କ୍ଷମା ମାଗୁଛନ୍ତି କମ୍ପାନୀ
ସାଧାରଣତଃ ଆମେ କିଛି ଭୁଲ କଲେ କ୍ଷମା ମାଗିଥାଉ । ହେଲେ ବର୍ତ୍ତମାନ ସୋସିଆଲ ମିଡିଆରେ କିଛି କମ୍ପାନୀ କ୍ଷମା ମାଗୁଥିବାର ଦେଖିବାକୁ ମିଳୁଛି । ତେବେ ଏମାନେ ନିଜର କୌଣସି ଭୁଲ ପାଇଁ ନୁହେଁ ବରଂ ନିଜ ସାମଗ୍ରୀ ଭଲ ହୋଇଥିବାରୁ ଗ୍ରାହକଙ୍କୁ କ୍ଷମା ମାଗୁଛନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସତ । ସୋସିଆଲ ମିଡିଆରେ ସ୍କୋଡା, ଭୋଲକାସ୍ୱାଗେନ୍,ଟି ସିରିଜ ଓ ରିଲାନ୍ସ ଡିଜିଟାଲ ଭଳି କମ୍ପାନୀ ଲୋକଙ୍କୁ କ୍ଷମା ମାଗୁଥିବାର ସୂଚନା ରହିଛି । ତେବେ ଏହା ଏକ ଟ୍ରେଣ୍ଡ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ କମ୍ପାନୀ ଗୁଡିକ ସାମିଲ ହେଉଛନ୍ତି । ଏହାର ନାଁ ଅଫିସିଆଲ ଆପୋଲୋଜି ରଖାଯାଇଛି ଯାହା ଇମୋସନାଲ ମାର୍କେଟିଂର ଏକ ଅଂଶ ବୋଲି ଜଣା ପଡିଛି । ଏହି ଟ୍ରେଣ୍ଡର ଆରମ୍ଭ ଗତବର୍ଷ ଫିଲିପିନ୍ସରୁ ଆରମ୍ଭ ହୋଇଛି । ହେଲେ ବର୍ତ୍ତମାନ ଭାରତରେ ଏହା ଭାଇରାଲ ହେବାରେ ଲାଗିଛି । ଏହା ଏକ ଲେଟର ଫର୍ମାଟରେ ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଛି । ଏଥିରେ ଖୁବ ଚତୁରତାର ସହିତ ଗ୍ରାହକଙ୍କୁ ନିଜ ବ୍ରାଣ୍ଡ ଭଲ ବୋଲି କହିବା ସହିତ କ୍ଷମା ମଗାଯାଉଛି । ଯେପରି ଆଦାନୀ ଅମ୍ବୁଜା ସିମେଣ୍ଟ କହିଛି କି ଆମ ସିମେଣ୍ଟରେ ଘରର କାନ୍ଥ ତିଆରି କଲେ ଏଭଳି ମଜବୁତ ହେବ କି ଗ୍ରାହକ ଏଥିରେ କଣ୍ଟା ବାଡେଇ ପାରିବେ ନାହିଁ । ସେଥିପାଇଁ ଆମେ କ୍ଷମା ମାଗୁଛୁ । ଏହିଭଳି ଭାବେ ସମସ୍ତ କମ୍ପାନୀ ନିଜର କ୍ଷମା ପତ୍ର ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳୁଛି ।


