୬ରେ ଘୂର୍ଣ୍ଣିବଳୟ, ୯ ବେଳକୁ ଲଘୁଚାପ

ଭୁବନେଶ୍ୱର : ଆସନ୍ତା ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହାର ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହା ବାତ୍ୟା ‌ରୂପ ନେବ କି ନାହିଁ, ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ I ତେବେ ବିଦେଶୀ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି ଯେ ୧୧ […]

Samaya Live Picture
Published On

ଭୁବନେଶ୍ୱର : ଆସନ୍ତା ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହାର ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହା ବାତ୍ୟା ‌ରୂପ ନେବ କି ନାହିଁ, ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ I ତେବେ ବିଦେଶୀ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି ଯେ ୧୧ ତାରିଖ ବେଳକୁ ଏହି ଲଘୁଚାପ କ୍ଷେତ୍ର ଅଧିକ ସକ୍ରିୟ ହେବାର ସମ୍ଭାବନା ରହିଛି ।

ସେହିପରି ବାତ୍ୟା ସୃଷ୍ଟି ହେବା ନେଇ ପାଣିପାଗ ଆକଳନକାରୀ ସଂସ୍ଥା ୱିଣ୍ଡିର ଦୁଇଟି ମଡେଲ ପୂର୍ବାନୁମାନ କରିଛନ୍ତି। ମେ’ ୧୨ରୁ ୧୪ ମଧ୍ୟରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ଜିଏଫଏସ୍ ଓ ଇସିଏମ୍‌ଡବ୍ଲ୍ୟୁଏଫ୍ ମଡେଲ୍‌ ଆକଳନ କରିଛନ୍ତି। ମଡେଲ୍‌ଗୁଡ଼ିକର ଆକଳନକୁ ସମୀକ୍ଷା କରି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରୁଛନ୍ତି ଯେ ୬ରୁ ୭ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। ଧୀରେ ଧୀରେ ଅବପାତ ଓ ଗଭୀର ଅବପାତରେ ପରିଣତ ହୋଇ ‌୧୨ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଅଧିକ। ତେବେ ସମ୍ଭାବ୍ୟ ବାତ୍ୟା ନେଇ ୱିଣ୍ଡିର ମଡେ଼ଲ କିଛି ନିର୍ଦ୍ଦିଷ୍ଟ ଟ୍ରାକ୍ ଦେଇନାହାନ୍ତି।

ଅନ୍ୟପକ୍ଷରେ କାଳବୈଶାଖୀ ନେଇ ୪ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି । ଏହିସବୁ ଜିଲ୍ଲାରେ ଝଡ଼ ପବନ ସହ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏପରିକି ୩୦ରୁ ୪୦ କି.ମି ବେଗରେ ପବନ ବୋହିବା ନେଇ ମଧ୍ୟ ଆକଳନ କରାଯାଇଛି ।

ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ କହିଛନ୍ତି ଯେ ଆମେ ଆଇଏମ୍ଡି ଡିଜିଙ୍କ ସହ ସମ୍ପର୍କରେ ରହିଛୁ । ରାଜ୍ୟ ସରକାର ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସେ ସୂଚନା ଦେଇଛନ୍ତି । ମେ ପହିଲାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ତେଣୁ ଜନସାଧାରଣ ଭୟଭୀତ ହେବାର କାରଣ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ବାତ୍ୟା ନେଇ ସଠିକ ସୂଚନା ମିଳିନଥିଲେ ମଧ୍ୟ ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମକୁ ସଜାଗ ରଖାଯାଇଥିବା ସେ କହିଛନ୍ତି I ଆବଶ୍ୟକସ୍ଥଳେ ଉପକୂଳ ଓ ତଳୁଆ ଅଞ୍ଚଳରୁ ଅସୁରକ୍ଷିତ ସ୍ଥାନରେ ଥିବା ସବୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବେ, ସବୁ ଅତ୍ୟାବଶ୍ୟକ ମେସିନ୍ ଓ ଯନ୍ତ୍ରପାତିକୁ ପ୍ରସ୍ତୁତ ରଖିବେ, ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାସହ ମୁଖ୍ୟ ସଚିବ ବାତ୍ୟା ସମ୍ପର୍କରେ ନିୟମିତ ସମୀକ୍ଷା କରିବେ।

ସେହିପରି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଲଘୁଚାପ ସୃଷ୍ଟି ନେଇ ପାଗ ଅନୁକୂଳ ଥିବା ବେଳେ ତାହା ବାତ୍ୟାରେ ପରିଣତ ହେବ କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା ନାହିଁ । ତେବେ ସିଷ୍ଟମ ଉପରେ ନଜର ରଖାଯାଇଥିବା ସେ କହିଛନ୍ତି ।

Tags: