ଏଲ୍ ନିନୋ

ଏଲ୍ ନିନୋ
Ipsita Picture
By: Ipsita
Published On

 

ସାରା ଭାରତ ବର୍ତ୍ତମାନ ସୂର୍ଯ୍ୟର ତାପରେ ଜଳୁଛି । ତେବେ ଏହାରି ଭିତରେ ଏହି ପ୍ରବଳ ଗରମ ଗୁଳୁଗୁଳି ଆହୁରି ବଢିବାର ସଙ୍କେତ ଦେଇଛି ବିଶ୍ୱ ପାଣିପାଗ ସଂଗଠନ । ଖୁବଶୀଘ୍ର ଏଲ୍ ନିନୋ ସକ୍ରିୟ ହେବାକୁ ଥିବାରୁ ସାରା ବିଶ୍ବରେ ଏହାର ପ୍ରଭାବ ପଡିବା ନେଇ ସତର୍କ କରାଇଛନ୍ତି ପାଣିପାଗ ବିଶେଷଜ୍ଞ, ଯାହାକୁ ନେଇ ସବୁଆଡେ ଚର୍ଚ୍ଚା ଜାରି ରହିଛି । ନିକଟରେ ବିଶ୍ୱ ପାଣିପାଗ ସଂଗଠନ ଏକ ଗମ୍ଭୀର ଚେତାବନୀ ଜାରି କରି କହିଛି ଯେ, ଚଳିତ ଜୁନ୍ରୁ ଅଗଷ୍ଟ ମାସ ମଧ୍ୟରେ ପ୍ରଶାନ୍ତ ମହାସାଗରରେ ଏଲ୍ ନିନୋସକ୍ରିୟ ହେବାର ଆଶଙ୍କା ୮୦ ପ୍ରତିଶତ ରହିଛି । ଏହା କେବଳ ବିଶ୍ୱ ଜଳବାୟୁ ନୁହେଁ, ବରଂ ଭାରତର ଆଗାମୀ ମୌସୁମୀ ବର୍ଷା ଉପରେ ମଧ୍ୟ ବଡ଼ ସଙ୍କଟ ସୃଷ୍ଟି କରିପାରେ । ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ଏହାକୁ ଏକ ଜରୁରୀକାଳୀନ ପାଣିପାଗ ଚେତାବନୀ ଭାବେ ଗ୍ରହଣ କରିବାକୁ ସାରା ବିଶ୍ୱକୁ ଆହ୍ୱାନ ଦେଇଛନ୍ତି । ଯାହାପରେ ସାରାବିଶ୍ବରେ ଏଲ୍ ନିନୋକୁ ନେଇ ଚର୍ଚ୍ଚା ଆମ୍ଭ ହୋଇଛି ।

କିପରି ହୋଇଥାଏ ଏଲ ନିନୋର ଗଠନ

ଏଲ୍ ନିନୋ ହେଉଛି ଏକ ପ୍ରାକୃତିକ ଜଳବାୟୁ ପ୍ରକ୍ରିୟା, ଯାହା ପ୍ରତି ୨ ରୁ ୭ ବର୍ଷ ମଧ୍ୟରେ କେନ୍ଦ୍ରୀୟ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରର କ୍ରାନ୍ତୀୟ ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ଅତ୍ୟଧିକ ଗରମ ହେବା ଯୋଗୁଁ ସୃଷ୍ଟି ହୋଇଥାଏ । ଏହାର ପ୍ରଭାବ ସାଧାରଣତଃ ୯ ରୁ ୧୨ ମାସ ପର୍ଯ୍ୟନ୍ତ ରହିଥାଏ। ସାଧାରଣ ଦିନରେ ପୂର୍ବାଞ୍ଚଳ ବାଣିଜ୍ୟିକ ବାୟୁ ବା ଟ୍ରେଡ ଉଇଣ୍ଡ ଉଷ୍ମ ଜଳକୁ ଦକ୍ଷିଣ ଆମେରିକାରୁ ଏସିଆ ଆଡ଼କୁ ଆଣିଥାଏ । କିନ୍ତୁ ଏଲ୍ ନିନୋ ସମୟରେ ଏହି ପବନ ଦୁର୍ବଳ କିମ୍ବା ଓଲଟା ହୋଇଯାଏ, ଯାହାଫଳରେ ଗରମ ଜଳ ପୁଣି ପୂର୍ବ ଦିଗ ଅର୍ଥାତ୍ ଆମେରିକା ଆଡ଼କୁ ଗତି କରେ । ସମୁଦ୍ରର ଏହି ଉଷ୍ମତା ପେରୁ ଉପକୂଳରେ ତଳୁ ଉପରକୁ ଆସୁଥିବା ପୋଷକତତ୍ତ୍ୱ-ସମୃଦ୍ଧ ଥଣ୍ଡା ଜଳର ପ୍ରବାହକୁ ରୋକିଦେଇଥାଏ । ଯାହା ସାମୁଦ୍ରିକ ଜୀବନ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଅର୍ଥନୀତିକୁ ଗଭୀର ଭାବେ ପ୍ରଭାବିତ କରେ ।

ଭାରତ ଉପରେ ପ୍ରଭାବ

ଦୁର୍ବଳ ମୌସୁମୀ ଓ ମରୁଡ଼ି ଆଶଙ୍କା : ଭାରତରେ ଏଲ୍ ନିନୋ ସକ୍ରିୟ ହେଲେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଯାଏ, ଯାହାଫଳରେ ସ୍ୱାଭାବିକଠାରୁ ବହୁତ କମ୍ ବର୍ଷା ହୋଇଥାଏ । ଡବ୍ଲୁଏମଓର ମାନଚିତ୍ର ଅନୁଯାୟୀ, କେନ୍ଦ୍ରୀୟ ଭାରତ ସମେତ ପ୍ରାୟ ସମଗ୍ର ଦେଶରେ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ନିଅଣ୍ଟିଆ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।

ଅସହ୍ୟ ଗ୍ରୀଷ୍ମ ପ୍ରବାହ : ଏଲ୍ ନିନୋ ଯୋଗୁଁ ଭାରତରେ ଗ୍ରୀଷ୍ମ ଋତୁ ଅଧିକ ପ୍ରଖର ଏବଂ ଦୀର୍ଘସ୍ଥାୟୀ ହୋଇଥାଏ । ଚଳିତ ବର୍ଷ ଏହି ପ୍ରଭାବ ମଧ୍ୟମରୁ ତୀବ୍ର ହେବାର ସମ୍ଭାବନା ଥିବାରୁ ଏହା ଚାଷକାର୍ଯ୍ୟ ପାଇଁ ଚିନ୍ତା ବଢ଼ାଇଛି ।

ଜଳ ସଙ୍କଟ : ବର୍ଷା କମିବା ଆଶଙ୍କା ଥିବାରୁ ବିଭିନ୍ନ ସହର ଏବେଠାରୁ ଜଳ ସଞ୍ଚୟ ଉପରେ ସମୀକ୍ଷା ଆରମ୍ଭ କରିଛନ୍ତି । ଏଥିସହିତ ଫସଲ ରକ୍ଷା ପାଇଁ କୃଷି ବିଭାଗକୁ ମଧ୍ୟ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବବୋଲି ମତ ପ୍ରକାଶ ପାଇଛି ।

ଜଳବାୟୁ ଚେତାବନୀ

ତାପମାତ୍ରାରେ ରେକର୍ଡ ବୃଦ୍ଧି : ସମୁଦ୍ରରୁ ବିପୁଳ ପରିମାଣର ଉତ୍ତାପ ବାୟୁମଣ୍ଡଳକୁ ମୁକ୍ତ ହେବା ଯୋଗୁଁ ବିଶ୍ୱର ହାରାହାରି ତାପମାତ୍ରା ବୃଦ୍ଧି ପାଇବ ।

 ପାଣିପାଗର ବିପର୍ଯ୍ୟୟ : ଏହାର ପ୍ରଭାବରେ ଦକ୍ଷିଣ ଆମେରିକାର ଉତ୍ତର ଭାଗ ଏବଂ ମଧ୍ୟ ଆମେରିକାରେ ଶୁଖିଲା ପାଣିପାଗ ଦେଖାଦେଉଥିବା ବେଳେ ଆମେରିକାର ଦକ୍ଷିଣ ଭାଗରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଅପରପକ୍ଷେ, ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆରେ ଭୟଙ୍କର ମରୁଡ଼ି ସହ ଜଙ୍ଗଲ ନିଆଁର ବିପଦ ବଢ଼ିଯାଇପାରେ ।

Tags: