ହିମ କ୍ରୀଡାକୁମ୍ଭ
ବିଶ୍ବରେ ଖେଳାଯାଉଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତା ମଧ୍ୟରେ ଶୀତକାଳୀନ ଅଲିମ୍ପିକ୍ସର ଖୁବ ଅଧିକ କ୍ରେଜ ଦେଖିବାକୁ ମିଳିଥାଏ । ଏହି କ୍ରୀଡା ପ୍ରତିଯୋଗିତାରେ ଅନ୍ୟମାନଙ୍କ ଠାରୁ ଭିନ୍ନତା ସହିତ ସ୍ବତନ୍ତ୍ରତା ମଧ୍ୟ ରହିଥାଏ, ଯାହା ପର୍ଯ୍ୟଟକ ଓ ଖେଳପ୍ରେମୀଙ୍କୁ ଆକର୍ଷିତ କରିବାରେ ସକ୍ଷମ ହୋଇଥାଏ ।
ଶୀତକାଳୀନ ଅଲିମ୍ପିକ୍ସ, ଯାହା ବିଶ୍ୱର ସବୁଠାରୁ ପ୍ରତିକ୍ଷିତ ଆନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟରୁ ଅନ୍ୟତମ। ଏହି କ୍ରୀଡ଼ା ବରଫ ଉପରେ ଖେଳାଯାଉଥିବା ବିଭିନ୍ନ କ୍ରୀଡ଼ାରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସାରା ବିଶ୍ୱର ଆଥଲେଟମାନଙ୍କୁ ଏକାଠି କରିବ। ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ୍ରୀଡ଼ାବିତ୍ ମନୋଭାବ, ବିଶ୍ୱ ଏକତା ଏବଂ ସାଂସ୍କୃତିକ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା। ଶୀତକାଳୀନ ଅଲିମ୍ପିକ୍ସର ଇତିହାସ ଅତ୍ୟନ୍ତ ରୋମାଞ୍ଚକର ଏବଂ ଏହା ବିଶ୍ୱର ସର୍ବବୃହତ ଶୀତକାଳୀନ କ୍ରୀଡ଼ା ମହୋତ୍ସବ ଭାବେ ପରିଚିତ । ଏହି ଯାତ୍ରା ପ୍ରକୃତରେ ବିଂଶ ଶତାବ୍ଦୀର ପ୍ରାରମ୍ଭରୁ ଆରମ୍ଭ ହୋଇଥିଲା । ଯଦିଓ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ୧୮୯୬ ମସିହାରୁ ଆରମ୍ଭ ହୋଇସାରିଥିଲା, କିନ୍ତୁ ବରଫରେ ଖେଳାଯାଉଥିବା ଖେଳଗୁଡ଼ିକ ପାଇଁ ଏକ ସ୍ୱତନ୍ତ୍ର ପ୍ରତିଯୋଗିତାର ଆବଶ୍ୟକତା ଅନୁଭୂତ ହେଲା । ଯାହାପରେ ଉଇଣ୍ଟର ଅଲିମ୍ପିକ୍ସର ଆରମ୍ଭ ହୋଇଥିଲା । ପ୍ରଥମେ, ଫିଗର ସ୍କେଟିଂ ଭଳି ଖେଳକୁ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ ସ୍ଥାନ ଦିଆଯାଇଥିଲା, କିନ୍ତୁ ପ୍ରତିକୂଳ ପାଣିପାଗ ଏବଂ ଭିତ୍ତିଭୂମିର ଅଭାବ ଯୋଗୁଁ ଏହା ସବୁବେଳେ ସମ୍ଭବ ହେଉନଥିଲା । ପରବର୍ତ୍ତୀ ସମୟରେ, ୧୯୨୪ ମସିହାରେ ଫ୍ରାନ୍ସର ଚାମୋନିକ୍ସଠାରେ ପ୍ରଥମ ଥର ପାଇଁ "ଆନ୍ତର୍ଜାତୀୟ ଶୀତକାଳୀନ କ୍ରୀଡ଼ା ସପ୍ତାହ" ଆୟୋଜନ କରାଯାଇଥିଲା, ଯାହା ପରେ ବିଧିବଦ୍ଧ ଭାବେ ପ୍ରଥମ ଶୀତକାଳୀନ ଅଲିମ୍ପିକ୍ସର ମାନ୍ୟତା ପାଇଲା । ଏହି ପ୍ରଥମ ଆୟୋଜନରେ ପ୍ରାୟ ୧୬ଟି ଦେଶର ୨୫୦ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ସ୍କିଇଂ, ସ୍କେଟିଂ ଏବଂ ଆଇସ୍ ହକି ଭଳି ଖେଳ ମୁଖ୍ୟ ଆକର୍ଷଣ ଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ, ଅର୍ଥାତ୍ ୧୯୪୦ ଏବଂ ୧୯৪৪ ମସିହାରେ, ଏହି କ୍ରୀଡ଼ା ମହୋତ୍ସବ ଆୟୋଜିତ ହୋଇପାରିନଥିଲା, ଯାହା ଏହାର ଇତିହାସରେ ଏକ ବଡ଼ ବ୍ୟାଘାତ ସୃଷ୍ଟି କରିଥିଲା । ଯୁଦ୍ଧ ପରେ ୧୯୪୮ ମସିହାରେ ସୁଇଜରଲ୍ୟାଣ୍ଡର ସେଣ୍ଟ ମୋରିଜ୍ ଠାରୁ ଏହା ପୁନର୍ବାର ଆରମ୍ଭ ହୋଇଥିଲା। ଶୀତକାଳୀନ ଅଲିମ୍ପିକ୍ସର ଇତିହାସରେ ଏକ ବଡ଼ ପରିବର୍ତ୍ତନ ୧୯୯୪ ମସିହାରେ ଆସିଥିଲା। ପୂର୍ବରୁ ଗ୍ରୀଷ୍ମକାଳୀନ ଏବଂ ଶୀତକାଳୀନ ଅଲିମ୍ପିକ୍ସ ଗୋଟିଏ ବର୍ଷରେ ହିଁ ଅନୁଷ୍ଠିତ ହେଉଥିଲା, କିନ୍ତୁ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଏହାକୁ ପରିବର୍ତ୍ତନ କରି ଦୁଇ ବର୍ଷର ବ୍ୟବଧାନରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଲା । ଯାହାଫଳରେ ଶୀତକାଳୀନ ଅଲିମ୍ପିକ୍ସକୁ ଏକ ସ୍ୱତନ୍ତ୍ର ପରିଚୟ ମିଳିଲା ଏବଂ ପ୍ରଚାର ପ୍ରସାର ହୋଇପାରିଲା । ଆମେରିକା, ରୁଷିଆ, ନରୱେ ଏବଂ କାନାଡା ଭଳି ଦେଶଗୁଡ଼ିକ ଏହି ଖେଳରେ ପାରମ୍ପରିକ ଭାବେ ନିଜର ଆଧିପତ୍ୟ ବଜାୟ ରଖିଛନ୍ତି। ଏବେ ୨୦୨୬ ମସିହାରେ ଇଟାଲୀର ମିଲାନୋ କୋର୍ଟିନାଠାରେ ହେବାକୁ ଥିବା ୨୫ତମ ସଂସ୍କରଣ ଏହି ଐତିହାସିକ ଯାତ୍ରାର ଏକ ନୂତନ ଅଧ୍ୟାୟ ଯୋଡ଼ିବାକୁ ଯାଉଛି ।
Related Posts



