ରଣଜୀ ଟ୍ରଫି: ମଧ୍ୟପ୍ରଦେଶ ପ୍ରଥମଥର ବିଜେତା
ବେଙ୍ଗାଲୁରୁ :ରଣଜୀ ଟ୍ରଫି ମହାମୁକାବିଲା ଶେଷ ହୋଇଛି । ଏଥର ଘରୋଇ କ୍ରିକେଟର ସର୍ବବୃହତ ପ୍ରତିଯୋଗିତା ରଣଜୀ ଟ୍ରଫିରେ ନୂଆ ବିଜେତା ହୋଇଛି ମଧ୍ୟପ୍ରଦେଶ । ପ୍ରଥମଥର ପାଇଁ ମଧ୍ୟପ୍ରଦେଶ ରଣଜୀ ଟ୍ରଫି ଟାଇଟଲ ପକେଟସ୍ଥ କରିବା ସହ ୨୩ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି । ପୂର୍ବରୁ ହଲକାର ଭାବେ ପରିଚିତ ଏହି ଦଳ ୪ଥର ରଣଜୀ ଟ୍ରଫି ଜିତିଥିଲା । ଦୀର୍ଘ ୬୯ ବର୍ଷ ପୂର୍ବେ ହଲକାର ଦଳ ଶେଷ ରଣଜୀ ଟ୍ରଫି ଟାଇଟଲ […]
ବେଙ୍ଗାଲୁରୁ :ରଣଜୀ ଟ୍ରଫି ମହାମୁକାବିଲା ଶେଷ ହୋଇଛି । ଏଥର ଘରୋଇ କ୍ରିକେଟର ସର୍ବବୃହତ ପ୍ରତିଯୋଗିତା ରଣଜୀ ଟ୍ରଫିରେ ନୂଆ ବିଜେତା ହୋଇଛି ମଧ୍ୟପ୍ରଦେଶ । ପ୍ରଥମଥର ପାଇଁ ମଧ୍ୟପ୍ରଦେଶ ରଣଜୀ ଟ୍ରଫି ଟାଇଟଲ ପକେଟସ୍ଥ କରିବା ସହ ୨୩ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି । ପୂର୍ବରୁ ହଲକାର ଭାବେ ପରିଚିତ ଏହି ଦଳ ୪ଥର ରଣଜୀ ଟ୍ରଫି ଜିତିଥିଲା । ଦୀର୍ଘ ୬୯ ବର୍ଷ ପୂର୍ବେ ହଲକାର ଦଳ ଶେଷ ରଣଜୀ ଟ୍ରଫି ଟାଇଟଲ ଜିତିଥିଲା । ତେଣୁ ଘରୋଇ କ୍ରିକେଟ୍ର ବଡ଼ ପ୍ରତିଯୋଗିତାରେ ମଧ୍ୟପ୍ରଦେଶ ବଡ଼ ଧରଣର ବିପର୍ଯ୍ୟୟ ଘଟାଇ ୪୧ଥର ଚାମ୍ପିଅନ୍ ମୁମ୍ବାଇକୁ ଧରାଶାୟୀ କରି ଟ୍ରଫି ହାସଲ କରିଛି । ମୁମ୍ବାଇ ପ୍ରଥମ ଇନିଂସରେ ୩୭୪ ଓ ଦ୍ୱିତୀୟ ଇନିଂସରେ ୨୬୯ ରନ୍ କରିଥିଲା । ମଧ୍ୟପ୍ରଦେଶ ପ୍ରଥମ ଇନିଂସରେ ୫୩୬ ଓ ଦ୍ୱିତୀୟ ଇନିଂସରେ ୧୦୮/୪ ରନ୍ କରି ୬ ୱିକେଟ୍ରେ ବିଜୟୀ ହୋଇଥିଲା । ଫାଇନାଲରେ ୧୧୬ ଓ ୩୦ ରନ୍ର ଇନିଂସ ଖେଳିଥିବା ଶୁଭମ୍ ଶର୍ମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଏବଂ ଚଳିତ ରଣଜୀ ଋତୁରେ ୯୮୨ ରନ୍ ସଂଗ୍ରହ କରିଥିବା ମୁମ୍ବାଇର ସର୍ଫରାଜ ଖାନ୍ଙ୍କୁ ପ୍ଲେୟାର ଅଫ୍ ଦ ସିରିଜ୍ ବିବେଚିତ କରାଯାଇଥିଲା ।

ମ୍ୟାଚ୍ର ପଞ୍ଚମ ତଥା ଶେଷ ଦିନ ମୁମ୍ବାଇ ମ୍ୟାଚ୍ ବଞ୍ଚାଇବା ପାଇଁ ଲଢ଼ିଥିଲା । ଅସମାପ୍ତ ଦ୍ୱିତୀୟ ଇନିଂସ ୧୧୩/୨ରୁ ପାଳି ଆରମ୍ଭ କରିଥିଲେ ମୁମ୍ବାଇର ଅର୍ମାନ ଜାର୍ଫର ଓ ସୁଭେଦ ପାର୍କର । ଅର୍ମାନ ୪୦ ବଲ୍ରୁ ୩୭ ରନ୍ ଓ ସୁଭେଦ ୫୮ ବଲ୍ରୁ ୫୧ ରନ୍ କରି ପାଭିଲିୟନ୍ ଫେରିବା ପରେ ମୁମ୍ବାଇର ବ୍ୟାଟିଂ ଦୁର୍ଗ ଭୁଷୁଡିବା ଆରମ୍ଭ ହୋଇଥିଲା । ସର୍ଫରାଜ ଖାନ୍ ୪୮ ବଲ୍ରୁ ୪୫ ରନ୍ କରିଥିବା ବେଳେ ମଧ୍ୟମକ୍ରମ ଓ ଟେଲ ଏଣ୍ଡରଙ୍କ ବିଫଳତା ମୁମ୍ବାଇ ପାଇଁ କାଳ ସାଜିଥିଲା । ଜଶଶଭି ଜୟସ୍ୱାଲ ୧, ସାମସ ମୁଲାନୀ ୧୭, ତୁନୁସ କୋଟିଆଲ ୧୧, ତୁଷାର ଦେଶପାଣ୍ଡେ ୭, ମୋହିତ ଅଗସ୍ତି ୧୫ ରନ୍ କରିଥିଲେ । ତେଣୁ ମୁମ୍ବାଇ ୫୭.୩ ଓଭରରେ ୨୬୯ ରନ୍ କରି ଅଲ୍ଆଉଟ୍ ହେବାରୁ ମଧ୍ୟପ୍ରଦେଶ ସମ୍ମୁଖରେ ମାତ୍ର ୧୦୮ ରନ୍ର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ମଧ୍ୟପ୍ରଦେଶର ଶାଣୀତ ବୋଲିଂ ଯୋଗୁଁ ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ବେଶି ସମୟ ତିଷ୍ଠି ପାରିନଥିଲେ । ମଧ୍ୟପ୍ରଦେଶର କୁମାର କାର୍ତ୍ତିକେୟ ସର୍ବାଧିକ ୪ଟି, ଗୌରବ ଯାଦବ ଓ ପାର୍ଥ ସାହାଣୀ ଦୁଇଟି କରି ୱିକେଟ୍ ସଫଳତା ହାସଲ କରିଥିଲେ । ବୋଲରଙ୍କ ଜମାଣିଆ ପ୍ରଦର୍ଶନ ଯୋଗୁଁ ଇନିଂସ ଅଗ୍ରଣୀ ହାସଲ କରିଥିବା ମଧ୍ୟପ୍ରଦେଶ ଶକ୍ତିଶାଳୀ ମୁମ୍ବାଇକୁ ଧୂଳି ଚଟାଇବାରେ ସକ୍ଷମ ହୋଇପାରିଛି ।
୧୦୮ ରନ୍ର ବିଜୟଲକ୍ଷ୍ୟକୁ ହାସଲ କରିବା ପାଇଁ ମଧ୍ୟପ୍ରଦେଶ ୨୯.୫ ଓଭର ବ୍ୟାଟିଂ କରିଥିଲା । ଓପନର ହିମାଂଶୁ ମନ୍ତ୍ରୀ ୩୭ ରନ୍, ୟଶ ଦୁବେ ୧, ଶୁଭମ ଶର୍ମା ୩୦ ଓ ପାର୍ଥ ସାହାଣୀ ୫ ରନ୍ କରି ଆଉଟ୍ ହୋଇଥିଲେ । ରଜତ ପଟିଦାର ୩୭ ବଲ୍ରୁ ୩୦ ରନ୍ କରି ବିଜୟ ମୁଣ୍ଡି ମାରିଥିଲେ । ମୁମ୍ବାଇର ସାମସ ମୁଲାନୀ ସର୍ବାଧିକ ୱିକେଟ୍ ସଫଳତା ହାସଲ କରିଥିଲେ ।
ହଲକାର/ମଧ୍ୟପ୍ରଦେଶକୁ ପଞ୍ଚମ ଟାଇଟଲ

ରଣଜୀ ଟ୍ରଫି ଇତିହାସରେ ମୁମ୍ବାଇ/ବମ୍ବେ ଦଳ ୧୯୩୪ରୁ ୨୦୧୬ ମଧ୍ୟରେ ୪୧ଥର ବିଜେତା ହୋଇଛି । ଏପର୍ଯ୍ୟନ୍ତ କୌଣସି ଦଳ ମୁମ୍ବାଇକୁ ବାଦ ଦେଲେ ଟାଇଟଲ ହାତେଇବାର ଦୁଇ ଅଙ୍କ ଛୁଇଁପାରିନାହାନ୍ତି । ମୁମ୍ବାଇ ବ୍ୟତୀତ କର୍ଣ୍ଣାଟକ/ମହୀଶୂର ୮ଥର ବିଜେତା ହୋଇଥିଲା । ଦିଲ୍ଲୀ ୭ଥର, ବରୋଦା ୫ଥର ଓ ମଧ୍ୟପ୍ରଦେଶ/ହଲକାର ୫ଥର ବିଜେତା ହୋଇଛି । ହଲକାର ଦଳ ୧୯୪୫-୪୬, ୧୯୪୭-୪୮, ୧୯୫୦-୫୧ ଓ ୧୯୫୨-୫୩ ସିଜନ୍ରେ ଟାଇଟଲ ଜିତିଥିଲା । ଏହାପରଠୁ ହଲକାର ତଥା ମଧ୍ୟପ୍ରଦେଶ ଆଉ ଟାଇଟଲ ଜିତିବାକୁ ସମର୍ଥ ହୋଇନଥିଲେ । ଶେଷଥର ପାଇଁ ୧୯୯୮-୯୯ରେ ମଧ୍ୟପ୍ରଦେଶ ଫାଇନାଲରେ କର୍ଣ୍ଣାଟକ ନିକଟରୁ ହାରି ଉପବିଜେତା ହୋଇଥିଲା । ପାଖାପାଖି ୨୩ ବର୍ଷ ଧରି ମଧ୍ୟପ୍ରଦେଶ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିପାରିନଥିଲା । ତେବେ ୨୦୨୧-୨୨ ସିଜନ୍ରେ ମଧ୍ୟପ୍ରଦେଶ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାଇ ଟାଇଟଲ ଜିତିବାର ଗୌରବ ଅର୍ଜନ କରିଛି । ବିଦର୍ଭ, ବେଙ୍ଗଲ, ତାମିଲନାଡୁ, ରାଜସ୍ଥାନ, ହାଇଦ୍ରାବାଦ, ମହାରାଷ୍ଟ୍ର ଓ ରେଳବାଇ ଦୁଇଥର ଲେଖାଏଁ ରଣଜୀ ଟ୍ରଫି ଚାମ୍ପିଅନ୍ ହୋଇଥିଲେ । ସେହିଭଳି େୱଷ୍ଟର୍ଣ୍ଣ ଇଣ୍ଡିଆ, ସ୍ୱରାଷ୍ଟ୍ର, ୟୁନାଇଟେଡ ପ୍ରୋଭିନ୍ସ, ସର୍ଦ୍ଦନ ପଞ୍ଜାବ, ନୱାନଗର, ହରିୟାଣା ଓ ଗୁଜରାଟ ଦଳ ଥରେ ଲେଖାଏଁ ରଣଜୀ ବିଜେତା ହୋଇଥିଲେ ।
୧୯୩୪ରୁ ଅଦ୍ୟାବଧି ୧୪ଟି ଦଳ ରଣଜୀ ଟ୍ରଫିରେ ସ୍ୱଳ୍ପ ସଂଖ୍ୟକ ମ୍ୟାଚ୍ ଖେଳି ବିଦାୟ ନେଇଛନ୍ତି । ବିଦାୟ ନେଇଥିବା ଦଳ ଗୁଡିକ ମଧ୍ୟରୁ ସର୍ବାଧିକ ସ୍ୱାଧିନତା ପୂର୍ବବର୍ତ୍ତୀ ସମୟର । ସେଣ୍ଟ୍ରାଲ ପ୍ରୋଭିନ୍ସ ଦଳ ୧୯୩୪-୩୫ ସିଜନ୍ରୁ ୧୯୪୯-୫୦ ସିଜନ୍ ପର୍ଯ୍ୟନ୍ତ ରଣଜୀ ଟ୍ରଫି ଖେଳିଥିଲା । ସେହିଭଳି ନର୍ଦ୍ଦନ ଇଣ୍ଡିଆ ଦଳ ୧୯୩୪-୩୫ରୁ ୧୯୪୬-୪୭, ସିନ୍ଧ୍ ୧୯୩୪-୩୫ରୁ ୧୯୪୭-୪୮, ସର୍ଦ୍ଦନ ପଞ୍ଜାବ ୧୯୩୪ରୁ ୧୯୬୭, େୱଷ୍ଟର୍ଣ୍ଣ ଇଣ୍ଡିଆ ୧୯୩୪ରୁ ୧୯୪୬, ନୱାନଗର ୧୯୩୬ରୁ ୧୯୪୭, ନର୍ଥେୱଷ୍ଟ ଫ୍ରଣ୍ଟିୟର ପ୍ରୋଭିନ୍ସ, ୧୯୩୭ରୁ ୧୯୪୭ ହଲକାର ୧୯୪୧-୧୯୫୫, ଗ୍ୱାଲିୟାର ୧୯୪୩-୪୪, ପଟିୟାଲା ୧୯୪୮ରୁ ୧୯୫୯, ଇଷ୍ଟର୍ଣ୍ଣ ପଞ୍ଜାବ ୧୯୫୦ରୁ ୧୯୬୦, କୋଚିନ୍ ୧୯୫୧ରୁ ୧୯୫୭, ମଧ୍ୟଭାରତ ୧୯୫୫ରୁ ୧୯୫୭, ନର୍ଦ୍ଦନ ପଞ୍ଜାବ ୧୯୬୦ରୁ ୧୯୬୮ ପର୍ଯ୍ୟନ୍ତ ରଣଜୀ ଟ୍ରଫିରେ ସକ୍ରିୟ ଅଂଶଗ୍ରହଣ କରି ଅପସାରି ଯାଇଛନ୍ତି ।




