କଲ୍ୟାଣ ଏଆଇଏଫ୍‌ଏଫ୍‌ ସଭାପତି

ନୂଆଦିଲ୍ଲୀ : ଦୀର୍ଘ ୮୫ ବର୍ଷ ପରେ ଜଣେ ପୂର୍ବତନ ଫୁଟବଲ ଖେଳାଳି ସର୍ବଭାରତୀୟ ଫୁଟବଲ ସଂଘ (ଏଆଇଏଫ୍‌ଏଫ)ର ସଭାପତି ପଦ ଅଳଙ୍କୃତ କରିଛନ୍ତି । ଏଆଇଏଫ୍‌ଏଫ୍‌ ନିର୍ବାଚନରେ ସଭାପତି ପଦ ପାଇଁ ଦୁଇ ଜଣଙ୍କ ନାମ ପ୍ରବଳ ଚର୍ଚ୍ଚାରେ ଥିଲା । ପୂର୍ବତନ ଫୁଟବଲର କଲ୍ୟାଣ ଚୌବେ ଓ ବାଇଚୁଙ୍ଗ ଭୂତିଆଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ଏଥିରେ ୪୫ ବର୍ଷୀୟ କଲ୍ୟାଣଙ୍କୁ ମୋଟ୍‌ ୩୪ ଜଣ ସଦସ୍ୟଙ୍କ ମଧ୍ୟରୁ ୩୩ ଜଣଙ୍କ ସମର୍ଥନ ମିଳିଥିଲା […]

Samaya Live Picture
Published On

ନୂଆଦିଲ୍ଲୀ : ଦୀର୍ଘ ୮୫ ବର୍ଷ ପରେ ଜଣେ ପୂର୍ବତନ ଫୁଟବଲ ଖେଳାଳି ସର୍ବଭାରତୀୟ ଫୁଟବଲ ସଂଘ (ଏଆଇଏଫ୍‌ଏଫ)ର ସଭାପତି ପଦ ଅଳଙ୍କୃତ କରିଛନ୍ତି । ଏଆଇଏଫ୍‌ଏଫ୍‌ ନିର୍ବାଚନରେ ସଭାପତି ପଦ ପାଇଁ ଦୁଇ ଜଣଙ୍କ ନାମ ପ୍ରବଳ ଚର୍ଚ୍ଚାରେ ଥିଲା । ପୂର୍ବତନ ଫୁଟବଲର କଲ୍ୟାଣ ଚୌବେ ଓ ବାଇଚୁଙ୍ଗ ଭୂତିଆଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ଏଥିରେ ୪୫ ବର୍ଷୀୟ କଲ୍ୟାଣଙ୍କୁ ମୋଟ୍‌ ୩୪ ଜଣ ସଦସ୍ୟଙ୍କ ମଧ୍ୟରୁ ୩୩ ଜଣଙ୍କ ସମର୍ଥନ ମିଳିଥିଲା । ଭୂତିଆଙ୍କୁ କେବଳ ଜଣେ ସଦସ୍ୟ ଭୋଟ୍‌ ଦେଇଥିଲେ । କଲ୍ୟାଣ ଜଣେ ପୂର୍ବତନ ଗୋଲକିପର ଭାବେ ଜଣାଶୁଣା । ଭାରତୀୟ ଫୁଟବଲରେ ତାଙ୍କ ଖ୍ୟାତି ରହିଛି । ପୂର୍ବରୁ ଏଆଇଏଫ୍‌ଏଫର ସଭାପତି ଥିବା ପ୍ରିୟ ରଞ୍ଜନ ଦାସ ମୁନସି ଓ ପ୍ରଫୁଲ୍ଲ ପଟେଲ ରାଜନେତା ଥିଲେ ।

 କଲ୍ୟାଣ ଏଆଇଏଫ୍‌ଏଫ୍‌ ସଭାପତି

ଖେଳ ଜୀବନ ଶେଷ କରିବା ପରେ କଲ୍ୟାଣ ରାଜନୈତିକ ମୈଦାନକୁ ଓହ୍ଲାଇଥିଲେ । ସେ ବିଜେପିର ପ୍ରତିନିଧି ଭାବେ ପଶ୍ଚିମବଙ୍ଗର କ୍ରିଷ୍ଣାନଗର ଆସନରୁ ସାଂସଦ ଭାବେ ଲଢ଼ି ନିର୍ବାଚନ ହାରିଥିଲେ । ଆଦୌ ଭାରତୀୟ ସିନିୟର ଦଳ ପାଇଁ ଖେଳିନଥିବା କଲ୍ୟାଣ ଖୁବ୍‌ କମ୍‌ ଥର ଜାତୀୟ ଦଳରେ ସ୍ଥାନ ପାଇଥିଲେ । ସେ ମୋହନ ବାଗାନ, ଇଷ୍ଟବେଙ୍ଗଲ ଦଳର ଗୋଲ୍‌କିପର ଥିଲେ । ଭୂତିଆ ଓ କଲ୍ୟାଣ ଥରେ ମାତ୍ର ଇଷ୍ଟବେଙ୍ଗଲ ପକ୍ଷରୁ ସାଥୀ ହୋଇ ଖେଳିଥିଲେ । କର୍ଣ୍ଣାଟକ ଫୁଟବଲ ଆସୋସିଏସନ୍‌ ସଭାପତି ଏନ୍‌ଏ ହରିଶ (କଂଗ୍ରେସ ବିଧାୟକ) ୨୯-୫ ବ୍ୟବଧାନରେ ରାଜସ୍ଥାନର ମାନଭେନ୍ଦ୍ର ସିଂଙ୍କୁ ପରାସ୍ତ କରି ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଅରୁଣାଚଳପ୍ରଦେଶର କିପା ଅଜୟ ୩୨-୧ ବ୍ୟବଧାନରେ ଆନ୍ଧ୍ରପ୍ରଦେଶର ଗୋପାଳ କ୍ରିଷ୍ଣା କୋଷା ରାଜୁଙ୍କୁ ହରାଇ କୋଷାଧ୍ୟକ୍ଷ ହୋଇଛନ୍ତି । ୨୪ ଜଣ ପରିଚାଳନା କମିଟିର ସଦସ୍ୟ ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ । ଏମାନେ ସମସ୍ତେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।

 କଲ୍ୟାଣ ଏଆଇଏଫ୍‌ଏଫ୍‌ ସଭାପତି

ପରାଜିତ ହେବା ପରେ ଭୂତିଆ କହିଛନ୍ତି, ଭାରତୀୟ ଫୁଟବଲର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରହିବ । ସଭାପତି ପଦ ଅଳଙ୍କୃତ କରିଥିବା କଲ୍ୟାଣଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ମୋର ଆଶା ସେ ଭାରତୀୟ ଫୁଟବଲକୁ ଶିଖରରେ ପହଞ୍ଚାଇବେ ।

ନୂଆ କାର୍ଯ୍ୟକାରୀ କମିଟିରେ ଓଡ଼ିଶାର ଅଭିଜିତ ପାଲ ସ୍ଥାନ ପାଇଛନ୍ତି । ତାଙ୍କ ବ୍ୟତୀତ ଜିପି ପାଲଗୁନା, ପି ଅନୀଲ କୁମାର, ନତାସା ଆଲିମାଓ, ମାଲୋଜୀ ରାଜେ ଛତ୍ରପତି, ମିନଲା ଇଥେନପାଲ ମୋହନ ଲାଲ, ଆରିଫ ଅଲ୍ଲୀ, କେ ନୈବୋ ଶିଖୋସେ, ଲାଲଘିନ୍‌ଲୋଭା ହାମର, ଦୀପକ ଶର୍ମା, ବିଜୟ ବଳି ଓ ସୟଦ ଇମତିଆଜ ହୁସେନ ଅଛନ୍ତି ।

ନିକଟରେ ଫିଫା ପକ୍ଷରୁ ଏଆଇଏଫ୍‌ଏଫ୍‌କୁ ବାସନ୍ଦ କରାଯାଇଥିଲା । ତେଣୁ ଭାରତୀୟ ଫୁଟବଲ ରସାତଳକୁ ଚାଲିଯାଇଥିଲା । କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ଓ ଏଆଇଏଫ୍‌ଏଫ୍‌ର ଅନୁରୋଧକ୍ରମେ ଫିଫା ବାସନ୍ଦାଦେଶ ଉଠାଇଥିଲା । ତେଣୁ ନିର୍ବାଚନ ହେବା ସହ ଭାରତରେ ଆୟୋଜନ ହେବାକୁଥିବା ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ପୂର୍ବପରି ଆୟୋଜନ ହେବ ବୋଲି ନିଶ୍ଚିତ ହୋଇଛି । ନୂଆ ସଭାପତି କଲ୍ୟାଣ ଭାରତୀୟ ଫୁଟବଲର ମାର୍ଗଦର୍ଶକ ହେବାକୁଯାଉଛନ୍ତି ।