ଭାରତର ଭାଗିଦାରୀ
୨୦୨୬ ଶୀତକାଳୀନ ଅଲିମ୍ପିକ୍ସରେ ଭାରତର ଉପସ୍ଥିତି ସୀମିତ ହେଲେ ମଧ୍ୟ ଏହା ଦେଶର ଶୀତକାଳୀନ କ୍ରୀଡ଼ା କ୍ଷେତ୍ରରେ କ୍ରମାଗତ ଅଗ୍ରଗତିକୁ ସୂଚାଉଛି । ଚଳିତ ସଂସ୍କରଣରେ ଦୁଇଜଣ ଖେଳାଳି ଭାରତକୁ ପ୍ରତିନିଧିତ୍ବ କରିବେ ବୋଲି ଜଣା ପଡିଛି । ଭାରତର ପ୍ରମୁଖ ଆଲପାଇନ୍ ସ୍କିୟର୍ ଆରିଫ୍ ଖାନ୍ 'ସ୍ଲାଲମ୍' ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରି ଦେଶର ପ୍ରତିନିଧିତ୍ୱ କରିବେ । ଏହାସହ ଷ୍ଟାନଜିନଙ୍କୁ ମଧ୍ୟ କ୍ରସ କଣ୍ଟ୍ରି ସ୍କିଂରେ ଦେଖିବାକୁ ମିଳିବାନେଇ ଚର୍ଚ୍ଚା ହେଉଛି । ଏହାସହ ଭାରତର ପ୍ରଥମ ବ୍ୟକ୍ତିଗତ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରାଙ୍କୁ ମଶାଲଧାରୀ ଭାବରେ ଚୟନ କରାଯାଇଛି । ଭାରତୀଯ ଅଲିମ୍ପିକ୍ସିର ଇତିହାସ ବେଶ ପୁରୁଣା । ୧୯୨୭ ମସିହାରେ ପ୍ରତିଷ୍ଠିତ ତଥା ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଦ୍ୱାରା ସ୍ୱୀକୃତିପ୍ରାପ୍ତ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ଦ୍ବାରା ଅଲିମ୍ପିକ୍ସ, ଏସୀୟ କ୍ରୀଡ଼ା ଏବଂ କମନୱେଲଥ ଗେମ୍ସ ପରି ପ୍ରମୁଖ ଆନ୍ତର୍ଜାତୀୟ ପ୍ରତିଯୋଗିତାକୁ ପରିଚାଳନା କରାଯାଇଥାଏ । ପ୍ରତିଯୋଗିତା ପାଇଁ ଆଥଲେଟ୍ମାନଙ୍କୁ ଚୟନ କରିବା ସହ ସେମାନଙ୍କ ପ୍ରଶିକ୍ଷଣ, ପ୍ରସ୍ତୁତି ଏବଂ ବିଭିନ୍ନ ଜାତୀୟ କ୍ରୀଡ଼ା ମହାସଂଘ ସହିତ ସମନ୍ୱୟ ରକ୍ଷା କରି ଦେଶରେ ଅଲିମ୍ପିକ୍ ଆଦର୍ଶ ତଥା କ୍ରୀଡ଼ା ମନୋଭାବର ବିକାଶ ପାଇଁ ଏହା କାର୍ଯ୍ୟ କରୁଛି। ଅନେକ ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନ ଖୁବ ଭଲ ରହିଛି । ଭାରତୀୟ ଅଲିମ୍ପିକ୍ସ ଇତିହାସ ଅତ୍ୟନ୍ତ ଗୌରବମୟ, ଯାହାର ଶୁଭାରମ୍ଭ ୧୯୦୦ ମସିହାରେ ନର୍ମାନ୍ ପ୍ରିଚାର୍ଡଙ୍କ ଦୁଇଟି ରୌପ୍ୟ ପଦକ ଜିତିବା ଦ୍ୱାରା ହୋଇଥିଲା । ପରବର୍ତ୍ତୀ ସମୟରେ ଭାରତୀୟ ପୁରୁଷ ହକି ଦଳ, ଅଭିନବ ବିନ୍ଦ୍ରା ସୁଟିଂରେ, ନୀରଜ ଚୋପ୍ରା ଆଥଲେଟିକ୍ସରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତି ଦେଶର ମର୍ଯ୍ୟାଦା ବଢ଼ାଇଥିବା । ଏହାସହ ପି.ଭି. ସିନ୍ଧୁ, ସୁଶୀଲ କୁମାର, ମେରୀ କମ୍ ଏବଂ ମୀରାବାଈ ଚାନୁଙ୍କ ଭଳି କ୍ରୀଡ଼ାବିତ୍ମାନେ ବିଶ୍ୱ ସ୍ତରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି | ଏହି ସଫଳତାର ଧାରା ଆଗକୁ ମଧ୍ୟ ଜାରି ରହିବ ବୋଲି ଦେଶବାସୀଙ୍କ ସହିତ ଖେଳାଳିଙ୍କର ମଧ୍ୟ ରହିଛି ।



