ଅଧୁରା ଭାରତର ଫିଫା ବିଶ୍ୱକପ୍‌ ସ୍ୱପ

ଅଧୁରା ଭାରତର ଫିଫା ବିଶ୍ୱକପ୍‌ ସ୍ୱପ
Ipsita Picture
By: Ipsita
Published On

 

ଫିଫା ବିଶ୍ୱକପ୍‌ ଆସିଲେ ଭାରତରେ ସୁନ୍ଦର ଖେଳ ଫୁଟବଲର ଶୋଚନୀୟ ସ୍ଥିତି ଅପଣାଛାଏଁ ମନକୁ ଆସିଯାଏ । ଅନ୍ତର୍ଜାତୀୟ ପଦାର୍ପଣର ୭୮ବର୍ଷ ପରେ ମଧ୍ୟ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ବ୍ରହ୍ମାଣ୍ଡର ସବୁଠାରୁ ଲୋକପ୍ରିୟ ଖେଳର ବିଶ୍ୱ ଲଢ଼େଇରେ ଥରେ ମାତ୍ର ବି ସାମିଲ ନହେବାର ଦୁଃଖ ଓ ଅବସୋସ ମଧ୍ୟ କ୍ରୀଡ଼ାପ୍ରେମୀଙ୍କୁ ବ୍ୟଥିତ କରେ । ଏଭଳି ସ୍ଥିତିରେ ୭୬ ବର୍ଷ ତଳେ ଅର୍ଥାତ୍‌ ୧୯୫୦ରେ ମିଳିଥିବା ବିଶ୍ୱକପ୍‌ ଖେଳିବାର ସୁବର୍ଣ୍ଣ ସୁଯୋଗକୁ ଭାରତ ହାତଛଡ଼ା କରିବା ଏକ ମସ୍ତବଡ଼ ଭୁଲ୍‌ ଥିଲା ଭଳି ମନେହୁଏ । ସବୁଠାରୁ ପରିତାପର ବିଷୟ ହେଉଛି ଭାରତ ବିଗତ ୭ ଦଶନ୍ଦିରୁ ଅଧିକ ସମୟ ଭିତରେ ବିଶ୍ୱକପ୍‌ ଟିକେଟ ହାସଲ କରିପାରି ନଥିଲା ବେଳେ ଆଗାମୀ ଅନେକ ଦଶନ୍ଦି ପର୍ଯ୍ୟନ୍ତ ଏହାକୁ ଲାଭ କରିବାର ସମ୍ଭାବନା ବି କମ୍‌ ରହିଛି । ବିଡ଼ମ୍ବନାର ବିଷୟ ହେଉଛି କାନାଡା, ମେକ୍ସିକୋ ଓ ଆମେରିକାରେ ଜୁନ୍‌ ୧୧ରୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଫିଫା ବିଶ୍ୱକପର ୪୮ଟି ଦେଶର ମୋଟ ଜନସଂଖ୍ୟା ହେଉଛି ପାଖାପାଖି ୨୩୦ କୋଟି । ଏକାକୀ ଭାରତର ଜନସଂଖ୍ୟା ହେଉଛି ୧୪୭ କୋଟିରୁ ଅଧିକ । ଏଣୁ ଭାରତ ଭଳି ଦେଶ ବିଶ୍ୱକପ୍‌ ବାହାରେ ରହିବା କେବଳ ଘରୋଇ କ୍ରୀଡ଼ାପ୍ରେମୀ ନୁହନ୍ତି, ସମଗ୍ର କ୍ରୀଡ଼ା ଜଗତ ପାଇଁ ଏକ ବଡ଼ ଅନୁଶୋଚନାର ବିଷୟ ବୋଲି କୁହାଯାଇପାରେ ।

୧୯୫୦ ମସିହା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଭାରତର ସବୁ ପ୍ରତିପକ୍ଷ ଓହରି ଯାଇଥିଲେ । ଫଳରେ ଭାରତ ସ୍ୱତଃପ୍ରବୃତ୍ତ ଭାବେ ବିଶ୍ୱକପର ଏହି ସଂସ୍କରଣ ଲାଗି ଯୋଗ୍ୟତା ଅର୍ଜନ କରିଥିଲା । ହେଲେ ଗସ୍ତ ଖର୍ଚ୍ଚ ବହନ କରିବାର କ୍ଷମତା ନଥିବାରୁ ସର୍ବଭାରତୀୟ ଫୁଟବଲ୍‌ ମହାସଂଘ ଦଳ ପଠାଇ ନଥିଲା । ପରେ କିନ୍ତୁ ଭାରତୀୟ ଦଳ ଖାଲିପାଦରେ ଖେଳୁଥିବାରୁ ଏଥିଲାଗି ଫିଫାର ଅନୁମତି ନଥିଲା ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ଏହା ଗୁଜବ ବୋଲି ଜଣାପଡ଼ିଥିଲା । ସେବେଠାରୁ ଭାରତୀୟ ଫୁଟବଲ୍‌ ଦଳ ବିଶ୍ୱକପ୍‌ ଲାଗି ଯୋଗ୍ୟତା ଅର୍ଜନ କରିବା ଦୂରେ ଥାଉ, ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ରାଉଣ୍ଡ୍‌ ମାତ୍ର ଥରେ ପାର ହୋଇଛି । ୨୦୧୮ରେ ନେପାଳକୁ ୨-୦ରେ ହରାଇ ଭାରତୀୟ ଦଳ ଏହି ସଫଳତା ଲାଭ କରିଥିଲା । ଭାରତୀୟ ଫୁଟବଲ୍‌ ଆଜି ସିନା ଅବକ୍ଷୟମୁଖୀ, ହେଲେ ଏହାର ଅତୀତ ବେଶ୍‌ ଗୌରବମୟ । ଊନ୍ନବିଂଶ ଶତାବ୍ଦୀର ମଧ୍ୟଭାଗରେ ବ୍ରିଟିସ୍‌ ସୈନିକଙ୍କ ଦ୍ୱାରା ଭାରତରେ ଫୁଟବଲ୍‌ ଖେଳର ଆରମ୍ଭ ହୋଇଥିଲା । କ୍ରମଶଃ କୋଲକାତା ଭାରତୀୟ ଫୁଟବଲର ପ୍ରମୁଖ ପେ=ସ୍ଥଳୀ ପାଲଟି ଯାଇଥିଲା । ଏଫ୍‌ଏ କପ୍‌ ଓ ସ୍କଟିସ୍‌ କପ୍‌ ପରେ ବିଶ୍ୱର ତୃତୀୟ ସର୍ବପୁରାତନ ଫୁଟବଲ୍‌ ପ୍ରତିଯୋଗିତା ୧୮୮୮ରେ ଡୁରାଣ୍ଡ କପ୍‌ ଭାରତରେ ହିଁ ଆରମ୍ଭ ହୋଇଥିଲା । ସେହି ସମୟରେ କାଲକାଟା ଏଫସି, ଡେଲ୍‌ହାଉସି କ୍ଲବ୍‌, ଟ୍ରେଡର୍ସ କ୍ଲବ୍‌, ନାଭାଲ ଭଲ୍ୟୁଣ୍ଟିଅର୍ସ କ୍ଲବ୍‌, ମୋହନ ବାଗାନ ଏଫସି ଭଳି ବହୁ ଫୁଟବଲ୍‌ ସଂଗଠନ ଗଠିତ ହୋଇଥିଲା । ଲୋକପ୍ରିୟତା ବଢ଼ିବା ସହ ୧୮୯୩ରେ ଭାରତୀୟ ଫୁଟବଲ୍‌ ସଂଘ ଗଠିତ ହୋଇଥିଲା । ହେଲେ ଏହାର ପରିଚାଳନା ବୋର୍ଡରେ ଜଣେ ହେଲେ ବି ଭାରତୀୟ ସଦସ୍ୟ ନଥିଲେ । କାଳକ୍ରମେ ଦକ୍ଷିଣ ଭାରତକୁ ମଧ୍ୟ ଫୁଟବଲ୍‌ ବ୍ୟାପ୍ତ ହୋଇଥିଲା । ୧୯୨୪ ପାଖାପାଖି ବ୍ରିଟିସ୍‌ ଓ ଭାରତୀୟ ଖେଳାଳିଙ୍କୁ ନେଇ ଏକାଧିକ ଦଳ ବିଦେଶ ଯାଇ ମ୍ୟାଚ୍‌ ଖେଳିଥିଲେ । ତେବେ ପୂର୍ଣ୍ଣାଙ୍ଗ ଭାରତୀୟ ଦଳ ୧୯୩୦ ମସିହା ପରଠାରୁ ହିଁ ବିଦେଶରେ ଯାଇ ଫୁଟବଲ୍‌ ଖେଳିବା ଆରମ୍ଭ କରିଥିଲା ବୋଲି କେତେକ ରେକର୍ଡରୁ ଜଣା ଯାଇଥାଏ । ୧୯୩୮ ମସିହାରେ ପରାଧୀନ ଭାରତର ପ୍ରଥମ ସଂଗଠିତ ଓ ଆନୁଷ୍ଠାନିକ ଦଳ ଅଷ୍ଟ୍ରେଲିଆ ଗସ୍ତ କରି ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିଥିଲା । ନ୍ୟୁକାସଲଠାରେ ୪-୧ରେ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ବିଜୟ ପାଇଥିଲା । ୧୯୪୮ ଅଲିମ୍ପିକ୍ସ ଖେଳିବାକୁ ଚୀନ ଦଳ ଲଣ୍ଡନ ଗସ୍ତ କରିବା ବାଟରେ ଭାରତରେ କିଛି ମ୍ୟାଚ ଖେଳିଥିଲା । ଏହି ଅଲିମ୍ପିକ୍ସ ହିଁ ଭାରତୀୟ ଫୁଟବଲ୍‌ ଦଳର ସବୁଠୁ ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତା ଥିଲା ।

 

 

Tags: