ଟି-୨୦ ମ୍ୟାଚ୍: ଭାରତକୁ ଜିତାଇଲେ ପାଣ୍ଡ୍ୟା
ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୫୧ ରନ୍ ସାଙ୍ଗକୁ ଗୁରୁତ୍ୱପୂର୍ଣ୍ଣ ୪ ୱିକେଟ୍ ଅକ୍ତିଆର କରି ଟିମ୍ ଇଣ୍ଡିଆ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହି ମ୍ୟାଚରେ ଭାରତ ୫୦ ରନ୍ ବ୍ୟବଧାନରେ ଇଂଲଣ୍ଡକୁ ହରାଇ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଜମାଣିଆ ପ୍ରଦର୍ଶନ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା । ପ୍ରଥମେ […]
ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୫୧ ରନ୍ ସାଙ୍ଗକୁ ଗୁରୁତ୍ୱପୂର୍ଣ୍ଣ ୪ ୱିକେଟ୍ ଅକ୍ତିଆର କରି ଟିମ୍ ଇଣ୍ଡିଆ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହି ମ୍ୟାଚରେ ଭାରତ ୫୦ ରନ୍ ବ୍ୟବଧାନରେ ଇଂଲଣ୍ଡକୁ ହରାଇ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଜମାଣିଆ ପ୍ରଦର୍ଶନ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା ।

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମାଙ୍କ ସହ ଇଶାନ କିଷାନ ପାଳି ଆରମ୍ଭ କରିଥିଲେ । ୨.୫ ଓଭରରେ ଦୁହେଁ ୨୯ ରନ୍ ଆଦାୟ କରିଥିବା ବେଳେ ଇଶାନ ୮ ରନ୍ କରି ଅଲ୍ଲୀଙ୍କ ଶିକାର ହୋଇଥିଲେ । ଅଧିନାୟକ ରୋହିତ ୧୪ ବଲ୍ରୁ ୨୪ ରନ୍ କରି ପାଭିଲିୟନ୍ ଫେରିଥିବା ବେଳେ ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ପୋରକ ଇନିଂସ ଦେଖିବାକୁ ମିଳିଥିଲା । ନବାଗତ ଦୀପକ ହୁଦା ୧୭ ବଲ୍ରୁ ୩ଟି ଚୌକା ଓ ୨ଟି ଛକା ସହାୟତାରେ ୩୩ ରନ୍ କରିଥିଲେ । ସୂର୍ଯ୍ୟକୁମାର ଯାଦବ ମଧ୍ୟ ଅନୁରୂପ ଇନିଂସ ଖେଳିଥିଲେ । ସୂର୍ଯ୍ୟକୁମାର ୧୯ ବଲରୁ ୪ଟି ଚୌକା ଓ ଦୁଇଟି ଛକା ସହାୟତାରେ ୩୯ ରନ୍ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଆତ୍ମବିଶ୍ୱାସ ଭରା ଇନିଂସ ଖେଳିଥିଲେ । ପାଣ୍ଡ୍ୟା ୩୩ ବଲ୍ରୁ ୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୧ ରନ୍ କରିଥିଲେ । ଅକ୍ଷର ପଟେଲ ମଧ୍ୟ ୧୨ ବଲ୍ରୁ ୧୭ ରନ୍ ଓ ଅଭିଜ୍ଞ ଦୀନେଶ କାର୍ତ୍ତିକ ୭ ବଲ୍ରୁ ୧୧ ରନ୍ କରିଥିଲେ । ତେଣୁ ଭାରତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୯୮ ରନ ସଂଗ୍ରହ କରିଥିଲା । ଇଂଲଣ୍ଡର କ୍ରିସ୍ ଜୋର୍ଡାନ ଓ ମୋଇନ ଅଲ୍ଲୀ ଦୁଇଟି କରି ତଥା ରେସି ଟପଲେ, ତାଏମଲ ମିଲ୍ସ ଓ ମାର୍ଟ ପାର୍କିସନ୍ ଗୋଟିଏ କରି ୱିକେଟ୍ ସଫଳତା ହାସଲ କରିଥିଲେ ।

୧୯୯ ରନ୍ର ବିଜୟଲକ୍ଷ୍ୟକୁ ପିଛା କରିଥିଲା ଇଂଲଣ୍ଡ । ଘରୋଇ ମାଟିରେ ଇଂଲଣ୍ଡ ଖେଳାଳି ଆରମ୍ଭରୁ ଝୁଣ୍ଟିଥିଲେ । ଦଳୀୟ ସ୍କୋର ୩୩ ରନ୍ ବେଳେ ପ୍ରାରମ୍ଭିକ ୪ ୱିକେଟ୍ ହରାଇଥିଲା ଇଂଲଣ୍ଡ । ଜାସନ ରୟ ୪, ଯୋଶ ବଟଲର ୦, ଡେଭିଡ ମାଲନ ୨୧ ଓ ଲିଆମ ଲିଭିଂଷ୍ଟୋନ୍ ବିନା ସ୍କୋରରେ ପାଭିଲିୟନ୍ ଫେରିଥିଲେ । ହ୍ୟାରି ବ୍ରୁକ୍ ଓ ମୋଇନ ଅଲ୍ଲୀ କିଛି ସମୟ ସଂଘର୍ଷ କରିଥିଲେ । ବ୍ରୁକ୍ ୨୩ ବଲରୁ ୨୮ ଓ ମୋଇନ ଅଲ୍ଲୀ ୨୦ ବଲ୍ରୁ ୩୬ ରନ୍ କରି ଦଳୀୟ ସ୍କୋରକୁ ୧୦୦ ରନ୍ରେ ପହଞ୍ଚାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ରିସ୍ ଜୋର୍ଡାନ ୨୬ ରନ୍ କରିଥିବା ବେଳେ ଭାରତର ହାର୍ଦ୍ଦିକ ପାଣ୍ଡ୍ୟା ୪ଟି, ୟୁଜଭେନ୍ଦ୍ର ଚହଲ ଓ ଅର୍ସଦୀପ ସିିଂ ଦୁଇଟି ଲେଖାଏଁ, ଭୁବନେଶ୍ୱର କୁମାର ଓ ହର୍ସାଲ ପଟେଲ ଗୋଟିଏ କରି ୱିକେଟ୍ ସଫଳତା ହାସଲ କରିଥିଲେ ।




