ଫିଫା ବିଶ୍ୱକପ୍ , ୧୯୦ କୋଟି ଟଙ୍କାର ଟ୍ରଫି
ଚଳିତବର୍ଷ ଫୁଟବଲର ମହାକୁମ୍ଭ ଆମେରିକା, ମେକ୍ସିକୋ ଓ କାନାଡାର ୧୬ ଟି ସହରରେ ଖେଳାଯିବ । ତେବେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଆସନ୍ତୁ ଜାଣିବା ଏହାର ଟ୍ରଫି ସମ୍ପର୍କରେ, ଯାହାକୁ ଜିତିବା ପାଇଁ ଏ ବର୍ଷ ୪୮ଟି ଟିମ୍ ମୁହାଁମୁହିଁ ହେବେ । ଫୁଟବଲ ଓ୍ୱାର୍ଲଡ କପ୍ ଟ୍ରଫିର ମୂଲ୍ୟ ପ୍ରାୟ ୨୦ ନିୟୁତ ଡଲାର ବା ୧୯୦ କୋଟି ଟଙ୍କା । ଟ୍ରଫିର ଉଚ୍ଚତା ୧୪.୫ ଇଞ୍ଚ ହୋଇଥିବା ବେଳେ ଏହାର ଓଜନ ୬.୧ କେଜି । ଏହି ଟ୍ରଫିଟି ୧୮ କ୍ୟାରେଟ୍ ସୁନା ଓ ମେଲାକାଇଟ୍ ପଥରରେ ତିଆରି ହୋଇଛି । ଫୁଟବଲ ଓ୍ୱାର୍ଲଡ କପ୍ ଟ୍ରଫିଟି ଫମ୍ପା । କାରଣ ଯଦି ଏହା କେବଳ ସୁନା ଓ ପଥରରେ ତିଆରି ହୋଇଥାନ୍ତା ଏହାର ଓଜନ ୭୦ରୁ ୮୦ କେଜି ହୋଇଥାନ୍ତା, ଯାହାକୁ ତଳୁ ଉଠାଇବା ଖେଳାଳିଙ୍କ ଲାଗି କଷ୍ଟକର ହୋଇଥାନ୍ତା । ଏହି ଟ୍ରଫି ୧୯୭୪ ମସିହାରୁ ବ୍ୟବହାର ହୋଇ ଆସୁଛି । ଏହାକୁ ଇଟାଲୀୟ କମ୍ପାନୀ ଜିଡିଇ ବେର୍ଟୋନୀ ତିଆରି କରିଥିଲା । ଫୁଟବଲ ଓ୍ୱାର୍ଲଡ କପ୍ ବିଜେତା ଟିମ୍କୁ କେବେ ଅସଲି ଟ୍ରଫି ଦିଆଯାଏନି । ଏହା ବଦଳେ ଟିମ୍ ଟ୍ରଫିର ରିପ୍ଲିକା ନେଇଥାନ୍ତି । ଅସଲି ଟ୍ରଫି ବର୍ଷ ତମାମ ଜ୍ୟୁରିକ୍ ସ୍ଥିତ ଫିଫା ଓ୍ୱାର୍ଲଡ କପ୍ ମ୍ୟୁଜିୟମରେ ରହିଥାଏ । ଏହି ଫୁଟବଲ ଓ୍ୱାର୍ଲଡ କପ୍ ଟ୍ରଫିକୁ ଛୁଇଁବା ବି ଏତେ ସହଜ କଥା ନୁହେଁ । ଏହାକୁ ଛୁଇଁବାର ଅଧିକାର ମାତ୍ର କିଛି ବିଶେଷ ଲୋକଙ୍କର ରହିଛିଛ ଏହି ଫୁଟବଲ ଟ୍ରଫିକୁ କେବଳ ଖେଳାଳି ଓ ଜାତୀୟ ନେତାମାନେ ଛୁଇଁ ପାରିବେ । ଏହାକୁ ବିଶ୍ୱ କ୍ରିଡ଼ା ଜଗତର ସବୁଠୁ ଆଇକନିକ୍ ଟ୍ରଫି ମନେ କରାଯାଏ ।



