ବର୍ଡର-ଗାଭାସ୍କର ଟ୍ରଫି: ପ୍ୟାଟ୍ କମିନ୍ସଙ୍କ ବଦଳରେ ଅଷ୍ଟ୍ରେଲିଆର ନେତୃତ୍ୱ ନେବେ ଷ୍ଟିଭ୍ ସ୍ମିଥ୍

ନୂଆଦିଲ୍ଲୀ : ଆଲାନ ବର୍ଡ଼ର -ସୁନୀଲ ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ରେ ଖେଳିବେନି ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍ କମିନ୍ସ। ବ୍ୟକ୍ତିଗତ କାରଣରୁ ଦ୍ୱିତୀୟ ଟେଷ୍ଟ ପରେ ସ୍ୱଦେଶ ଫେରିଯାଇଥିବା ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ବଦଳରେ ତୃତୀୟ ଟେଷ୍ଟ ମ୍ୟାଚ୍‌‌ରେ ନେତୃତ୍ୱ ନେବେ ଷ୍ଟିଭ୍ ସ୍ମିଥ୍ I ଏହି ଟେଷ୍ଟମ୍ୟାଚ ଆସନ୍ତା ବୁଧ ବାରଠାରୁ ଇନ୍ଦୋରରେ ଖେଳ ହେବାକୁ ଯାଉଛି I ସେହିପରି ମାର୍ଚ୍ଚ ୯ରୁ ଅହମ୍ମଦାବାଦ୍‌‌ରେ ଖେଳାଯିବାକୁ ଥିବା ଚତୁର୍ଥ […]

Samaya Live Picture
Published On

ନୂଆଦିଲ୍ଲୀ : ଆଲାନ ବର୍ଡ଼ର -ସୁନୀଲ ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ରେ ଖେଳିବେନି ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍ କମିନ୍ସ। ବ୍ୟକ୍ତିଗତ କାରଣରୁ ଦ୍ୱିତୀୟ ଟେଷ୍ଟ ପରେ ସ୍ୱଦେଶ ଫେରିଯାଇଥିବା ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ବଦଳରେ ତୃତୀୟ ଟେଷ୍ଟ ମ୍ୟାଚ୍‌‌ରେ ନେତୃତ୍ୱ ନେବେ ଷ୍ଟିଭ୍ ସ୍ମିଥ୍ I ଏହି ଟେଷ୍ଟମ୍ୟାଚ ଆସନ୍ତା ବୁଧ ବାରଠାରୁ ଇନ୍ଦୋରରେ ଖେଳ ହେବାକୁ ଯାଉଛି I ସେହିପରି ମାର୍ଚ୍ଚ ୯ରୁ ଅହମ୍ମଦାବାଦ୍‌‌ରେ ଖେଳାଯିବାକୁ ଥିବା ଚତୁର୍ଥ ତଥା ଶେଷ ଟେଷ୍ଟ ଲାଗି କମିନ୍ସ ଭାରତ ଫେରିଆସିଲେ ମଧ୍ୟ ସ୍ମିଥ ଏହି ମ୍ୟାଚ୍‌‌ରେ ଦଳର ନେତୃତ୍ୱ ନେବେ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି।

ଖବର ଅନୁସାରେ,ଏହି ସିରିଜ୍‌‌ରେ ମୋଟ ୪ଟି ଟେଷ୍ଟ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହା ମଧ୍ୟରୁ ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ଅଷ୍ଟ୍ରେଲିଆ ପରାଜିତ ହୋଇ ୦-୨ରେ ପଛୁଆ ରହିଛି। ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ସମୟରେ କମିନ୍ସଙ୍କ ପାଖରେ ମା’ଙ୍କ ଅସୁସ୍ଥତା ନେଇ ଖବର ପହଞ୍ଚିଥିଲା। ରବିବାର ଅଷ୍ଟ୍ରେଲିଆ ଏହି ଟେଷ୍ଟ ମ୍ୟାଚ୍‌ରେ ହାରିବା କ୍ଷଣି କମିନ୍ସ ରାତାରାତି ଦିଲ୍ଲୀରୁ ସିଡ୍‌ନୀ ଅଭିମୁଖେ ଉଡ଼ାଣ କରିଥିଲେ। କୁହାଯାଉଥିଲା ଯେ ସେ ମାର୍ଚ୍ଚ ୧ରୁ ଆରମ୍ଭ ହେଉଥିବା ତୃତୀୟ ଟେଷ୍ଟ ବେଳକୁ ଭାରତ ଫେରି ଆସିବେ। କିନ୍ତୁ ଏବେ ତାଙ୍କ ମା’ଙ୍କ ଅବସ୍ଥାରେ କ୍ରମାଗତ ଅବନତି ହେଉଛି। ଏଭଳି ସମୟରେ କମିନ୍ସ ନିଜ ମା’ଙ୍କ ନିକଟରେ ରହିବାକୁ ଅନୁରୋଧ କରିଥିଲେ ଓ ତାହାକୁ କ୍ରିକେଟ ଅଷ୍ଟ୍ରେଲିଆ ଗ୍ରହଣ କରିନେଇଥିଲା। ଏହା ଫଳରେ ତାଙ୍କର ଇନ୍ଦୋର ଟେଷ୍ଟରେ ଖେଳିବା ସମ୍ଭବ ହୋଇ ପାରି ନଥିଲା। ଯାହା ଫଳରେ ଷ୍ଟିଭେନ୍‌‌ ସ୍ମିଥ୍‌‌ଙ୍କୁ ନେତୃତ୍ୱ ନେବାପାଇଁ କୁହାଯାଇଥିଲା।

କମିନ୍ସ କହିଛନ୍ତି, “ଏହି ସମୟରେ ଭାରତ ଫେରିବା ମୋ ପକ୍ଷେ ସମ୍ଭବ ନୁହେଁ। ମୁଁ ଭାବୁଛି ମୋ ପରିବାର ସହ ସମୟ ବିତାଇବା ଭଲ ହେବ। କ୍ରିକେଟ ଅଷ୍ଟ୍ରେଲିଆ ଓ ମୋ ସାଥୀ ଖେଳାଳିଙ୍କ ସମର୍ଥନ ପାଇଁ ମୁଁ କୃତଜ୍ଞତା ଜଣାଉଛି। ସେମାନେ ସବୁ କିଛି ବୁଝି ପାରିଥିବାରୁ ଧନ୍ୟବାଦ।” କମିନ୍ସଙ୍କ ଅନୁପସ୍ଥିତିରେ ଷ୍ଟିଭ ସ୍ମିଥ ଦଳର ନେତୃତ୍ୱ ନେବେ।

ସୂଚନାନୁସାରେ,ବଲ୍‌‌ ଟାମ୍ପରିଂ ମାମଲାରେ ଫସି ସ୍ମିଥ ଅଷ୍ଟ୍ରେଲିଆ ଦଳର ଅଧିନାୟକ ପଦ ହରାଇଥିଲେ। ତାଙ୍କୁ ପ୍ରାୟ ଏକ ବର୍ଷ ବାସନ୍ଦ କରାଯାଇଥିଲା। ଏହା ପରେ ସେ ଟେଷ୍ଟ ଦଳରେ ସାମିଲ ହୋଇଥିଲେ। ୨୦୨୧ରେ ବିବାଦୀୟ ପରିସ୍ଥିତିରେ ଟିମ୍‌‌ ପେନ୍‌‌ ଅଷ୍ଟ୍ରେଲିଆ ଅଧିନାୟକ ପଦରୁ ବିଦା ହେବା ପରେ ପ୍ୟାଟ କମିନ୍ସ ଦଳର ନେତୃତ୍ୱ ନେଇଥିଲେ I

Tags: