୨୦୧୯ ପରେ ପୁଣି ସେମିଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା ସମ୍ଭାବନା
ନୂଆଦିଲ୍ଲୀ: ଗତଥରର ଉପବିଜେତା ନ୍ୟୁଜିଲାଣ୍ଡ ସଂପ୍ରତି ତା’ର ୯ଟି ଯାକ ଲିଗ୍ ମ୍ୟାଚ୍ ଖେଳି ୫ ବିଜୟରୁ ୧୦ ପଏଣ୍ଟ୍ ଅର୍ଜନ କରିଛି। ପଏଣ୍ଟ୍ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ସେମିଫାଇନାଲ୍ର ଚତୁର୍ଥ ସ୍ଥାନ ପାଇଁ ଏହି ଦଳକୁ ଏବେ ପାକିସ୍ତାନ ଓ ଆଫଗାନିସ୍ତାନ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ହେବ। କାରଣ ଗୋଟିଏ ଲେଖାଏଁ ଲିଗ୍ ମ୍ୟାଚ୍ ବାକିଥାଇ ଉଭୟ ପାକିସ୍ତାନ ଓ ଆଫଗାନିସ୍ତାନ ୮ ପଏଣ୍ଟ୍ ପାଇଛନ୍ତି। ଯଦି ଏମାନେ ନିଜ ନିଜ ଶେଷ ଲିଗ୍ […]
ନୂଆଦିଲ୍ଲୀ: ଗତଥରର ଉପବିଜେତା ନ୍ୟୁଜିଲାଣ୍ଡ ସଂପ୍ରତି ତା’ର ୯ଟି ଯାକ ଲିଗ୍ ମ୍ୟାଚ୍ ଖେଳି ୫ ବିଜୟରୁ ୧୦ ପଏଣ୍ଟ୍ ଅର୍ଜନ କରିଛି। ପଏଣ୍ଟ୍ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ସେମିଫାଇନାଲ୍ର ଚତୁର୍ଥ ସ୍ଥାନ ପାଇଁ ଏହି ଦଳକୁ ଏବେ ପାକିସ୍ତାନ ଓ ଆଫଗାନିସ୍ତାନ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ହେବ। କାରଣ ଗୋଟିଏ ଲେଖାଏଁ ଲିଗ୍ ମ୍ୟାଚ୍ ବାକିଥାଇ ଉଭୟ ପାକିସ୍ତାନ ଓ ଆଫଗାନିସ୍ତାନ ୮ ପଏଣ୍ଟ୍ ପାଇଛନ୍ତି। ଯଦି ଏମାନେ ନିଜ ନିଜ ଶେଷ ଲିଗ୍ ମ୍ୟାଚ୍ ଜିତିବେ, ତାହେଲେ ପ୍ରତ୍ୟେକ ୧୦ ପଏଣ୍ଟ୍ ଲେଖାଏଁରେ ପହଞ୍ଚିଯିବେ। ଏଭଳି ସ୍ଥିତିରେ ନେଟ୍ ରନ୍ ହାର ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ତେବେ ଉଭୟ ପାକିସ୍ତାନ ଓ ଆଫଗାନିସ୍ତାନର ନେଟ୍ ରନ୍ ହାର ନ୍ୟୁଜିଲାଣ୍ଡଠାରୁ ଖରାପ ରହିଛି। ଏଣୁ କେବଳ ଚମତ୍କାର ହିଁ ଏମାନଙ୍କୁ ନେଟ୍ ରନ୍ ହାରରେ ନ୍ୟୁଜିଲାଣ୍ଡ ଆଗକୁ ନେଇ ପାରିବ। ଯାହା ଏକପ୍ରକାର ଅସମ୍ଭବ ମନେହେଉଛି। ନ୍ୟୁଜିଲାଣ୍ଡର ବିଜୟ ପରେ କିନ୍ତୁ ଦ୍ବିତୀୟ ସେମିଫାଇନାଲ୍ରେ ଦ୍ବିତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ଏବଂ ତୃତୀୟରେ ରହିଥିବା ଅଷ୍ଟ୍ରେଲିଆ ୧୬ ତାରିଖରେ କୋଲକାତାଠାରେ ପରସ୍ପରକୁ ଭେଟିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଅବଶ୍ୟ ଏହି ଦୁଇ ଦଳର ଗୋଟିଏ ଲେଖାଏଁ ଲିଗ୍ ମ୍ୟାଚ୍ ବାକି ରହିଛି। ତେବେ ଏହାର ଫଳାଫଳ ଯାହା ହେଉନା କାହିଁକି ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ପଏଣ୍ଟ୍ ତାଲିକାରେ ଦ୍ବିତୀୟ କିମ୍ବା ତୃତୀୟ ସ୍ଥାନ ବାହାରକୁ ଯିବାର ନାହିଁ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରୁ ଯିଏ ଚତୁର୍ଥ ସ୍ଥାନରେ ରହିବ, ସିଏ ପ୍ରଥମ ସେମିଫାଇନାଲ୍ରେ ଆୟୋଜକ ଭାରତକୁ ଭେଟିବ। ସାଂପ୍ରତିକ ସ୍ଥିତିକୁ ତର୍ଜମା କଲେ ଏହି କ୍ଷେତ୍ରରେ ନ୍ୟୁଜିଲାଣ୍ଡର ସମ୍ଭାବନା ଉଜ୍ଜ୍ବଳ ରହିଛି। ଭାରତ ଏକମାତ୍ର ଦଳ ଭାବେ ୮ ମ୍ୟାଚ୍ରୁ ୮ ବିଜୟ ସହ ପୂରା ୧୬ ପଏଣ୍ଟ୍ ପାଇ ପଏଣ୍ଟ୍ ତାଲିକାର ପ୍ରଥମ ସ୍ଥାନରେ ଆଡ଼ା ଜମାଇଛି। ସେମିଫାଇନାଲ୍ ଲାଗି ଏମାନଙ୍କ ଭିତରୁ ଜଣକୁ ଅପେକ୍ଷା କରି ରହିଛି। ଭାରତ ଶେଷ ଲିଗ୍ ମ୍ୟାଚ୍ରେ ନେଦରଲାଣ୍ଡ୍ସକୁ ଭେଟିବ। ଏହି ମ୍ୟାଚ୍ର ଫଳାଫଳ କିନ୍ତୁ ରୋହିତ ବାହିନୀର ମାନ୍ୟତା ଉପରେ କୌଣସି ପ୍ରଭାବ ପକାଇବନାହିଁ।




