ୟୁଏସ୍ ଓପନରେ ମେଦଭେଦେଭଙ୍କୁ ହରାଇ ଜୋକୋଭିକଙ୍କୁ ମିଳିଲା ୨୪ତମ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି
ନ୍ୟୁୟର୍କ: ସର୍ବିୟା ଟେନିସ ତାରକା ନୋଭାକ ଜୋକୋଭିକ ୟୁଏସ୍ ଓପନ୍ ପୁରୁଷ ଏକକ ଟ୍ରଫି ଜିତି ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ଫାଇନାଲ୍ରେ ଜୋକୋଭିକ୍ ସିଧାସଳଖ ୬-୩, ୭-୬, ୬-୩ ସେଟ୍ରେ ରୁଷିଆର ଡାନିଲ ମେଦଭେଦେଭଙ୍କୁ ପରାସ୍ତ କରି ଚତୁର୍ଥ ୟୁଏସ୍ ଓପନ୍ ଏବଂ ୨୪ତମ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଧରିଥିଲେ। ଏଥିସହ ସେ ସର୍ବାଧିକ ଗ୍ରାଣ୍ଡ ସ୍ଲାମ୍ ଏକକ ଟ୍ରଫି ଜିତିବାରେ ଅଷ୍ଟ୍ରେଲିଆର ମାର୍ଗାରେଟ କୋର୍ଟଙ୍କ ସମକକ୍ଷ ହୋଇଛନ୍ତି। କିନ୍ତୁ ୧୯୬୮ରୁ ଆରମ୍ଭ ହୋଇଥିବା ଓପନ୍ ଏରାରେ […]
ନ୍ୟୁୟର୍କ: ସର୍ବିୟା ଟେନିସ ତାରକା ନୋଭାକ ଜୋକୋଭିକ ୟୁଏସ୍ ଓପନ୍ ପୁରୁଷ ଏକକ ଟ୍ରଫି ଜିତି ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ଫାଇନାଲ୍ରେ ଜୋକୋଭିକ୍ ସିଧାସଳଖ ୬-୩, ୭-୬, ୬-୩ ସେଟ୍ରେ ରୁଷିଆର ଡାନିଲ ମେଦଭେଦେଭଙ୍କୁ ପରାସ୍ତ କରି ଚତୁର୍ଥ ୟୁଏସ୍ ଓପନ୍ ଏବଂ ୨୪ତମ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଧରିଥିଲେ। ଏଥିସହ ସେ ସର୍ବାଧିକ ଗ୍ରାଣ୍ଡ ସ୍ଲାମ୍ ଏକକ ଟ୍ରଫି ଜିତିବାରେ ଅଷ୍ଟ୍ରେଲିଆର ମାର୍ଗାରେଟ କୋର୍ଟଙ୍କ ସମକକ୍ଷ ହୋଇଛନ୍ତି। କିନ୍ତୁ ୧୯୬୮ରୁ ଆରମ୍ଭ ହୋଇଥିବା ଓପନ୍ ଏରାରେ ସେରେନା ୱିଲିୟମ୍ସ (୨୩)ଙ୍କୁ ଟପି ଜୋକୋଭିକ୍ ପ୍ରଥମ ଖେଳାଳି ହୋଇଛନ୍ତି। ମାର୍ଗାରେଟ ସ୍ପୋର୍ଟ୍ସ ଆମେଚର ଏରାରେ ଏହି ସଫଳତା ପାଇଥିଲେ। ତେବେ ପୁରୁଷ ବର୍ଗରେ ସେ ସର୍ବାଗ୍ରେ ରହିଛନ୍ତି। ତାଙ୍କ ପଛକୁ ସ୍ପେନ୍ର ରାଫେଲ ନାଦାଲ (୨୨) ଏବଂ ଗତ ବର୍ଷ ଅବସର ନେଇଥିବା ସ୍ବିଜରଲାଣ୍ଡର ରୋଜର ଫେଡେରର୍ (୨୦) ଅଛନ୍ତି। ୩୬ ବର୍ଷୀୟ ଜୋକୋଭିକ ମଧ୍ୟ ଚଳିତ ବର୍ଷ ୩ ଗ୍ରାଣ୍ଡ ସ୍ଲାମ୍ ଅଷ୍ଟ୍ରେଲିଆନ୍, ଫ୍ରେଞ୍ଚ ଓ ୟୁଏସ୍ ଓପନ୍ ଜିତି ଆଉ ଏକ କୀର୍ତ୍ତିମାନର ଅଧିକାର ହୋଇଛନ୍ତି। ଚତୁର୍ଥ ଥର ଲାଗି ଗୋଟିଏ ଋତୁରେ ୩ ଗ୍ରାଣ୍ଡ ସ୍ଲାମ୍ ଜିତିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି। ଅନ୍ୟପକ୍ଷରେ ୨୦୨୧ ୟୁଏସ୍ ଓପନ୍ ଫାଇନାଲ୍ରେ ମେଦଭେଦେଭଙ୍କଠୁ ହାରି କ୍ୟାରିୟର ଗ୍ରାଣ୍ଡ ସ୍ଲାମ୍ରୁ ବଞ୍ଚିତ ହୋଇଥିବା ଜୋକୋଭିକ ମଧ୍ୟ ଏହି ବିଜୟ ସହ ମଧୁର ପ୍ରତିଶୋଧ ନେଇଛନ୍ତି। ୟୁଏସ୍ ଓପନ୍ ଜିତିବା ପରେ ଜୋକୋଭିକ ବିଶ୍ବ ମାନ୍ୟତାର ଶୀର୍ଷକୁ ଫେରିଛନ୍ତି।




