ସିଏସକେକୁ ହରାଇଲା ସନରାଇଜର୍ସ ହାଇଦ୍ରାବାଦ

ହାଇଦ୍ରାବାଦ: ଚଳିତ ଆଇପିଏଲ୍ରେ ଏବେ ଲଗାତାର ପରାଜୟ ବରଣ କରିଛି ୫ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ। ଗତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ହାରିଥିବା ଋତୁରାଜ ଗାଏକ୍ବାଡଙ୍କ ଦଳ ଶୁକ୍ରବାର ୬ ୱିକେଟ୍ରେ ଏକତରଫାୀ ଭାବେ ସନ୍ରାଇଜର୍ସ ହାଇଦ୍ରାବାଦ ନିକଟରୁ ପରାସ୍ତ ହୋଇଛି। ହାଇଦ୍ରାବାଦ ମଧ୍ୟ ୪ ମ୍ୟାଚ୍ରୁ ଦ୍ବିତୀୟ ବିଜୟ ସହ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି। ଶୁକ୍ରବାର ଚେନ୍ନାଇ ସୁପର୍ କିଙ୍ଗ୍ସର ମନ୍ଥର ବ୍ୟାଟିଂ କାରଣରୁ ଏହି ଦଳ ୧୬୫ ରନ୍ରେ […]

Samaya Live Picture
Published On

ହାଇଦ୍ରାବାଦ: ଚଳିତ ଆଇପିଏଲ୍ରେ ଏବେ ଲଗାତାର ପରାଜୟ ବରଣ କରିଛି ୫ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ। ଗତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ହାରିଥିବା ଋତୁରାଜ ଗାଏକ୍ବାଡଙ୍କ ଦଳ ଶୁକ୍ରବାର ୬ ୱିକେଟ୍ରେ ଏକତରଫାୀ ଭାବେ ସନ୍ରାଇଜର୍ସ ହାଇଦ୍ରାବାଦ ନିକଟରୁ ପରାସ୍ତ ହୋଇଛି। ହାଇଦ୍ରାବାଦ ମଧ୍ୟ ୪ ମ୍ୟାଚ୍ରୁ ଦ୍ବିତୀୟ ବିଜୟ ସହ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି। ଶୁକ୍ରବାର ଚେନ୍ନାଇ ସୁପର୍ କିଙ୍ଗ୍ସର ମନ୍ଥର ବ୍ୟାଟିଂ କାରଣରୁ ଏହି ଦଳ ୧୬୫ ରନ୍ରେ ଅଟକିଯାଇଥିଲା। ହାଇଦ୍ରାବାଦ ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲାବେଳେ ଘରୋଇ ବୋଲରମାନେ ସିଏସ୍କେ ବ୍ୟାଟର୍ଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ। ରାଚିନ ରବୀନ୍ଦ୍ର (୧୨) ଓ ଋତୁରାଜ ଗାଏକ୍ବାଡ (୨୬) ପ୍ରଥମ ଅଧଘଣ୍ଟା ଭିତରେ ଆଉଟ୍ ହୋଇଯିବାରୁ ଅଜିଙ୍କ୍ୟ ରାହାଣେ ଓ ଶିବମ ଦୁବେ ମ୍ୟାଚ୍କୁ ନିୟନ୍ତ୍ରଣକୁ ଆଣିଥିଲେ। ରାହାଣେ ରକ୍ଷଣାତ୍ମକ ଖେଳୁଥିଲା ବେଳେ ଦୁବେ ଗୋଟିଏ ପଟରୁ ଆକ୍ରମଣ କରିଥିଲେ। ତୃତୀୟ ୱିକେଟ୍ ପାଇଁ ଉଭୟଙ୍କ ମଧ୍ୟରେ ୫୪ ରନ୍ ଭାଗୀଦାରି ହେବା ସହ ଦଳ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଥିଲା। କିନ୍ତୁ ଚତୁର୍ଦଶ ଓଭରରେ କମିନ୍ସ ଯୋଡ଼ି ଭାଙ୍ଗିବା ସହ ଦୁବେ (୪୫ ରନ୍, ୨୪ ବଲ୍)ଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ୩୦ ବଲ୍ରୁ ୩୫ ରନ୍ କରିବା ପରେ ରାହାଣେ ମଧ୍ୟ ଆଉଟ୍ ହୋଇଯାଇଥିଲେ। ରବୀନ୍ଦ୍ର ଜାଡ଼େଜାଙ୍କ ୨୩ ବଲ୍ ୩୧ ରନ୍ ସହାୟତାରେ ଦଳ ୧୬୫/୫ ସ୍କୋରରେ ପହଞ୍ଚିଥିଲା। ଜବାବରେ ଅଭିଷେକ ଶର୍ମା ମାତ୍ର ୧୨ ବଲ୍ରୁ ୩୭ ରନ୍ (୩ ଚୌକା, ୪ ଛକା) ସଂଗ୍ରହ କରି ଆଉଟ୍ ହେବା ବେଳକୁ ହାଇଦ୍ରାବାଦ ମାତ୍ର ୨.୪ ଓଭରରେ ୪୬ ରନ୍ ସଂଗ୍ରହ କରି ନେଇଥିଲା। ଅଭିଷେକଙ୍କ ୱିକେଟ୍ ହରାଇ ପାୱାର ପ୍ଲେରେ ହାଇଦ୍ରାବାଦ ୭୮ ରନ୍ କରିବା ପରେ ବିଜୟ ପଥ ସୁଗମ ହୋଇଯାଇଥିଲା। ଦୁଇ ଓଭରସିଜ୍ ଖେଳାଳି ଟ୍ରାଭିସ୍ ହେଡ୍ (୨୪ ବଲ୍ରୁ ୩୧ ରନ୍) ଏବଂ ଏଦୈନ ମାରକ୍ରମ (୩୬ ବଲ୍ରୁ ୫୦ ରନ୍) ଦଳକୁ ବିଜୟ ଆଡ଼କୁ ନେଇଥିଲେ। ହେନରିକ୍ କ୍ଲାସେଁ (୧୧ ବଲ୍ରୁ ୧୦* ରନ୍) ଏବଂ ନୀତୀଶ ରେଡ୍ଡୀ (୮ ବଲ୍ରୁ ୧୪* ରନ୍) ଦଳକୁ ୧୧ ବଲ୍ ପୂର୍ବରୁ ବିଜୟୀ କରିଥିଲେ। ଅବିଶ୍ବସନୀୟ ଆରମ୍ଭ କରିଥିବା ଅଭିଷେକ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିଲେ।

Tags: