ସାଫ୍ ଚାମ୍ପିଅନସିପରେ ଆଜି ଭାରତ-କୁଏତ୍ ଫାଇନାଲ୍
ବେଙ୍ଗାଲୁରୁ: ଭାରତ ଲଗାତାର ନବମ ସାଫ୍ ଚାମ୍ପିଅନ୍ସିପ୍ ବିଜେତା ଲକ୍ଷ୍ୟରେ ଆଜି ବେଙ୍ଗାଲୁରୁର କାନ୍ତୀରଭା ଷ୍ଟାଡିୟମ୍ରେ ହେବାକୁ ଥିବା ଫାଇନାଲ୍ରେ କୁଏତ୍କୁ ଭେଟିବ। ସେମିଫାଇନାଲ୍ରେ ଲେବାନନ୍କୁ ୪-୨ ପେନାଲ୍ଟି ସୁଟ୍ଆଉଟ୍ରେ ଭାରତ ହରାଇଥିଲା ବେଳେ ବାଂଲାଦେଶକୁ ଅତିରିକ୍ତ ସମୟରେ ୧-୦ ଗୋଲ୍ରେ ହରାଇ କୁଏତ୍ ଫାଇନାଲ୍ରେ ପ୍ରବେଶ କରିଛି। ଏହାଫଳରେ ପ୍ରତିଯୋଗିତାର ଏହି ସଂସ୍କରଣରେ ଭାରତ ଦ୍ବିତୀୟ ଥର ପାଇଁ କୁଏତ୍କୁ ଭେଟିବାକୁ ଯାଉଛି। ଗତ ସପ୍ତାହରେ ଗ୍ରୁପ୍ ଏ’ ମ୍ୟାଚ୍ରେ ଉଭୟଙ୍କ ମଧ୍ୟରେ ହୋଇଥିବା ମୁକାବିଲା […]
ବେଙ୍ଗାଲୁରୁ: ଭାରତ ଲଗାତାର ନବମ ସାଫ୍ ଚାମ୍ପିଅନ୍ସିପ୍ ବିଜେତା ଲକ୍ଷ୍ୟରେ ଆଜି ବେଙ୍ଗାଲୁରୁର କାନ୍ତୀରଭା ଷ୍ଟାଡିୟମ୍ରେ ହେବାକୁ ଥିବା ଫାଇନାଲ୍ରେ କୁଏତ୍କୁ ଭେଟିବ। ସେମିଫାଇନାଲ୍ରେ ଲେବାନନ୍କୁ ୪-୨ ପେନାଲ୍ଟି ସୁଟ୍ଆଉଟ୍ରେ ଭାରତ ହରାଇଥିଲା ବେଳେ ବାଂଲାଦେଶକୁ ଅତିରିକ୍ତ ସମୟରେ ୧-୦ ଗୋଲ୍ରେ ହରାଇ କୁଏତ୍ ଫାଇନାଲ୍ରେ ପ୍ରବେଶ କରିଛି। ଏହାଫଳରେ ପ୍ରତିଯୋଗିତାର ଏହି ସଂସ୍କରଣରେ ଭାରତ ଦ୍ବିତୀୟ ଥର ପାଇଁ କୁଏତ୍କୁ ଭେଟିବାକୁ ଯାଉଛି। ଗତ ସପ୍ତାହରେ ଗ୍ରୁପ୍ ଏ’ ମ୍ୟାଚ୍ରେ ଉଭୟଙ୍କ ମଧ୍ୟରେ ହୋଇଥିବା ମୁକାବିଲା ୧-୧ ଗୋଲ୍ରେ ଅମୀମାଂସିତ ରହିଥିଲା।
କାନ୍ତୀରଭା ଦର୍ଶକଙ୍କ ଆଗରେ ଭାରତୀୟ ଦଳକୁ ଅଧିକ ସମର୍ଥନ ମିଳିବାକୁ ଥିବାରୁ କୁଏତ୍ ଚାପରେ ରହିବ। ଏପରିକି ଭାରତୀୟ ଖେଳାଳିମାନେ ଏପର୍ଯ୍ୟନ୍ତ ଆହତ ସମସ୍ୟାରେ ପଡ଼ିନଥିବାରୁ ଏହା ସକରାତ୍ମକ ଦିଗ ରହିବ। ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଂ ପ୍ରଶିକ୍ଷକ ଲୁକା ରାଡମ୍ୟାନ୍ ଭାରତୀୟ ଖେଳାଳିଙ୍କୁ ଫିଟ୍ ରଖିବା ଦାୟିତ୍ବ ନେବା ପରଠୁ ଗତ ୫୦ ଦିନ ଧରି ଭାରତ ଲଗାତାର ଖେଳିଆସୁଛି। ହେଲେ ଜଣେ ହେଲେ ବି ଆହତ ହୋଇନାହାନ୍ତି। ଫାଇନାଲ୍ରେ ମୁଖ୍ୟ ରକ୍ଷଣଭାଗ ଖେଳାଳି ସନ୍ଦେଶ ଝିଙ୍ଗାନ୍ଙ୍କ ପ୍ରତ୍ୟାବର୍ତ୍ତନ ହେଉଥିବାରୁ ଏହା ଭାରତୀୟ ଦଳକୁ ଶକ୍ତି ଯୋଗାଇବ। ପାକିସ୍ତାନ ଓ କୁଏତ୍ ବିପକ୍ଷରେ ଦୁଇଟି ହଳଦିଆ କାର୍ଡ ପାଇଥିବାରୁ ସେ ଲେବାନନ୍ ବିପକ୍ଷ ସେମିଫାଇନାଲ୍ ଖେଳିପାରିନଥିଲେ। ଯେଉଁଥିପାଇଁ ତାଙ୍କ ସ୍ଥାନରେ ଅନୱାର ଅଲୀ ଦାୟିତ୍ବ ହାତକୁ ନେଇଥିଲେ। ଅନ୍ୟପକ୍ଷରେ ସାଫ୍ ଶୃଙ୍ଖଳା ସମିତି ନିଷ୍ପତ୍ତିକ୍ରମେ ଦୁଇଟି ମ୍ୟାଚ୍ରୁ ବାସନ୍ଦ ହୋଇଥିବାରୁ ଭାରତୀୟ ପ୍ରଶିକ୍ଷକ ଇଗୋର ଷ୍ଟିମାକ୍ ଡକ୍ଆଉଟ୍ରେ ଅନୁପସ୍ଥିତ ରହିବେ। ଏଭଳିସ୍ଥିତିରେ ସୁନିଲ ଛେତ୍ରୀ, ସହଲ ଅବଦୁଲ ସମଦ, ମହେଶ ସିଂହ, ଉଦାନ୍ତ ସିଂହଙ୍କୁ ପଡ଼ିଆ ଭିତରେ ଭଲ ପ୍ରଦର୍ଶନ ଦେବାକୁ ହେବ।




