ସନ୍ରାଇଜର୍ସ ହାଇଦ୍ରାବାଦକୁ ୭୨ ରନ୍ରେ ହରାଇଲା ରାଜସ୍ଥାନ ରୟାଲ୍ସ
ହାଇଦ୍ରାବାଦ: ଆଇପିଏଲ୍ରେ ରବିବାର ପ୍ରଥମ ମୁକାବିଲାରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ୭୨ ରନ୍ରେ ପରାସ୍ତ କରି ରାଜସ୍ଥାନ ରୟାଲ୍ସ ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଟ୍ରେଣ୍ଟ୍ ବୋଲ୍ଟଙ୍କ ପ୍ରଥମ ଓଭର ବିପର୍ଯ୍ୟୟ ପରେ ୟୁଝବେନ୍ଦ୍ର ଚହଲ ୪ ୱିକେଟ୍ ନେଇ ରାଜସ୍ଥାନକୁ ଜିତାଇଥିଲେ। ଏହି ମ୍ୟାଚ୍ରେ ଟସ୍ ଜିତି ଭୁବନେଶ୍ବର କୁମାରଙ୍କ ନେତୃତ୍ବାଧୀନ ସନ୍ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବୋଲିଂ କରିଥିଲା। ରାଜସ୍ଥାନର ଦୁଇ ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଏବଂ ଜୋସ୍ ବଟଲର ଆକ୍ରମଣାତ୍ମକ ବ୍ୟାଟିଂ କରି […]
ହାଇଦ୍ରାବାଦ: ଆଇପିଏଲ୍ରେ ରବିବାର ପ୍ରଥମ ମୁକାବିଲାରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ୭୨ ରନ୍ରେ ପରାସ୍ତ କରି ରାଜସ୍ଥାନ ରୟାଲ୍ସ ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଟ୍ରେଣ୍ଟ୍ ବୋଲ୍ଟଙ୍କ ପ୍ରଥମ ଓଭର ବିପର୍ଯ୍ୟୟ ପରେ ୟୁଝବେନ୍ଦ୍ର ଚହଲ ୪ ୱିକେଟ୍ ନେଇ ରାଜସ୍ଥାନକୁ ଜିତାଇଥିଲେ। ଏହି ମ୍ୟାଚ୍ରେ ଟସ୍ ଜିତି ଭୁବନେଶ୍ବର କୁମାରଙ୍କ ନେତୃତ୍ବାଧୀନ ସନ୍ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବୋଲିଂ କରିଥିଲା। ରାଜସ୍ଥାନର ଦୁଇ ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଏବଂ ଜୋସ୍ ବଟଲର ଆକ୍ରମଣାତ୍ମକ ବ୍ୟାଟିଂ କରି ରୟାଲ୍ସ ପାଇଁ ଦୃଢ଼ ମୁଳଦୂଆ ପକାଇଥିଲେ। ଦୁହେଁ ଅର୍ଦ୍ଧଶତକ ଜମାଇବା ସହିତ ପ୍ରଥମ ୱିକେଟ୍ରେ ୮୫ ରନ୍ ଯୋଡ଼ିଥିଲେ। ଏହାପରେ ଅଧିନାୟକ ସଞ୍ଜୁ ସାମ୍ସନ ମଧ୍ୟ ଦ୍ରୁତ ଅର୍ଦ୍ଧଶତକ (୫୫ ରନ୍, ୩୨ ବଲ୍) ହାସଲ କରି ଦଳୀୟ ସ୍କୋର୍କୁ ୧୮୭ରେ ପହଞ୍ଚାଇଥିଲେ। ଜୟସ୍ବାଲ ଓ ସାମ୍ସନ୍ ଦ୍ବିତୀୟ ୱିକେଟ୍ରେ ୫୪ ରନ୍ ଯୋଡ଼ିଥିଲେ। ଶେଷ ଆଡ଼କୁ ସିମ୍ରନ ହେଟ୍ମାୟରଙ୍କ ଅପରାଜିତ ୨୨ ରନ୍ ଯୋଗୁଁ ସ୍କୋର୍ ୨୦୩/୫ ରେ ପହଞ୍ଚିଥିଲା। ହାଇଦ୍ରାବାଦ ପାଇଁ ଫଜଲହକ୍ ଫାରୁକୀ ଏବଂ ଟି. ନଟରାଜନ ୨ ୱିକେଟ୍ ଲେଖାଏଁ ନେଇଥିଲେ। ଏହା ଜବାବରେ ସନରାଇଜର୍ସ ପ୍ରଥମ ଓଭରରେ ହିଁ ବିପର୍ଯ୍ୟୟର ଶିକାର ହୋଇଥିଲା। ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ବଲ୍ରେ ପ୍ରଥମ ଓଭରରେ ଅଭିଷେକ ଶର୍ମା ଏବଂ ରାହୁଲ ତ୍ରିପାଠୀଙ୍କୁ ଖାତା ଖୋଲିବା ଆଗରୁ ଆଉଟ୍ କରିଥିଲେ। ଏହାପରେ ୟୁଝବେନ୍ଦ୍ର ଚହଲ ୪ ୱିକେଟ୍ ନେଇ ହାଇଦ୍ରବାଦକୁ ଚାପରେ ରଖିଥିଲେ। ଏଥିଯୋଗୁଁ ହାଇଦ୍ରାବାଦ ପାଳି ଧିମା ହୋଇଯାଇଥିଲା ବେଳେ ଧାର୍ଯ୍ୟ ଓଭର ବେଳକୁ ୮ ୱିକେଟ୍ ବିନିମୟରେ ଦଳ ୧୩୧ ରନ୍ କରିପାରିଥିଲା। ଜୋସ୍ ବଟଲର୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।




