ସନରାଇଜର୍ସ ହାଇଦ୍ରାବାଦକୁ ହରାଇଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍
ହାଇଦ୍ରାବାଦ: ଚଳିତ ଆଇପିଏଲ୍ରେ ପ୍ରେରକ ମଙ୍କଡ଼ଙ୍କ ପ୍ରଥମ ଆଇପିଏଲ୍ ଅର୍ଦ୍ଧଶତକ ସହିତ ନିକୋଲାସ ପୂରନଙ୍କ ବିସ୍ଫୋରକ ପାଳି ଯୋଗୁଁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୧୫ ଦିନ ପରେ ବିଜୟ ଧାରାକୁ ଫେରିଛି। ହାଇଦ୍ରାବାଦର ଉପଲ ସ୍ଥିତ ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଶନିବାର ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍ରେ ଲକ୍ଷ୍ନୌ ୭ ୱିକେଟ୍ରେ ଘରୋଇ ଦଳକୁ ପରାସ୍ତ କରିଛି। ହାଇଦ୍ରାବାଦ ପକ୍ଷରୁ ଧାର୍ଯ୍ୟ ୧୮୩ ରନ୍ର ଲକ୍ଷ୍ୟକୁ ଲକ୍ଷ୍ନୌ ୪ ବଲ୍ ପୂର୍ବରୁ ହାସଲ କରିନେଇଥିଲା। ବିଶେଷକରି ୧୬ତମ […]
ହାଇଦ୍ରାବାଦ: ଚଳିତ ଆଇପିଏଲ୍ରେ ପ୍ରେରକ ମଙ୍କଡ଼ଙ୍କ ପ୍ରଥମ ଆଇପିଏଲ୍ ଅର୍ଦ୍ଧଶତକ ସହିତ ନିକୋଲାସ ପୂରନଙ୍କ ବିସ୍ଫୋରକ ପାଳି ଯୋଗୁଁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୧୫ ଦିନ ପରେ ବିଜୟ ଧାରାକୁ ଫେରିଛି। ହାଇଦ୍ରାବାଦର ଉପଲ ସ୍ଥିତ ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଶନିବାର ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍ରେ ଲକ୍ଷ୍ନୌ ୭ ୱିକେଟ୍ରେ ଘରୋଇ ଦଳକୁ ପରାସ୍ତ କରିଛି। ହାଇଦ୍ରାବାଦ ପକ୍ଷରୁ ଧାର୍ଯ୍ୟ ୧୮୩ ରନ୍ର ଲକ୍ଷ୍ୟକୁ ଲକ୍ଷ୍ନୌ ୪ ବଲ୍ ପୂର୍ବରୁ ହାସଲ କରିନେଇଥିଲା।
ବିଶେଷକରି ୧୬ତମ ଓଭରରେ ଅଭିଷେକ ଶର୍ମାଙ୍କ ବୋଲିଂ ମ୍ୟାଚ୍ର ସ୍ଥିତି ଓଲଟାଇ ଦେଇଥିଲା। ଶେଷ ୫ ଓଭରରେ ଲକ୍ଷ୍ନୌକୁ ଜିତିବା ପାଇଁ ୭୦ ରନ୍ ଆବଶ୍ୟକ ହେଉଥିଲା ବେଳେ ଅଭିଷେକ ତାଙ୍କର ତୃତୀୟ ଓଭରରେ ୩୧ ରନ୍ ବ୍ୟୟ କରିଥିଲେ। ସେଥିରୁ ମାର୍କସ ଷ୍ଟୋଇନିସ୍ ପ୍ରଥମ ଦୁଇ ବଲ୍ରେ ଦୁଇଟି ଛକା ମାରି ତୃତୀୟ ବଲ୍ରେ ଆଉଟ୍ ହୋଇଥିଲା ବେଳେ ଶେଷ ତିନ ବଲ୍ରେ ପୂରନ ହ୍ୟାଟ୍ରିକ ଛକା ମାରିଥିଲେ। ମାର୍କସ ଷ୍ଟୋଇନିସ୍ଙ୍କୁ ସାଥୀ କରି ପ୍ରେରକ ମଙ୍କଡ଼ ତୃତୀୟ ୱିକେଟ୍ରେ ୭୩ ରନ୍ ଯୋଡ଼ିବା ପରେ ପୂରନ୍ଙ୍କ ସହ ମିଶି ଅବିଭାଜିତ ଚତୁର୍ଥ ୱିକେଟ୍ରେ ୨୩ ବଲ୍ରୁ ୫୮* ରନ୍ ଯୋଡ଼ି ଦଳକୁ ଜିତାଇଥିଲେ। ଏହି ବିଜୟ ସହ ଲକ୍ଷ୍ନୌ ୨ ପଏଣ୍ଟ ହାସଲକରି ଚତୁର୍ଥ ସ୍ଥାନକୁ ଉଠିଛି। ଅର୍ଦ୍ଧଶତକୀୟ ମ୍ୟାଚ୍ ବିଜୟୀ ପାଳି ପାଇଁ ପ୍ରେରକଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ଏଥିପୂର୍ବରୁ ହାଇଦ୍ରାବାଦ ଟସ୍ ଜିତି ବ୍ୟାଟିଂ ନେଇଥିଲା ବେଳେ ପାୱାରପ୍ଲେ ମଧ୍ୟରେ ଅଭିଷେକ ଶର୍ମା ଓ ରାହୁଲ ତ୍ରିପାଠୀଙ୍କୁ ହରାଇଥିଲା। ମଧ୍ୟକ୍ରମରେ ହେନରିକ କ୍ଲାସେଁ ଓ ଅବଦୁଲ ସାମଦ ଷଷ୍ଠ ୱିକେଟ୍ରେ ୫୮ ରନ୍ ଯୋଡ଼ି ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ।




