ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ହାଇଦ୍ରାବାଦ: ବିରାଟ କୋହଲି ଚଳିତ ଆଇପିଏଲ୍ରେ ପ୍ରଥମ ଶତକ ଅର୍ଜନ କରିବା ସାଙ୍ଗକୁ ଫାଫ୍ ଡୁ ପ୍ଲେସିସ୍ଙ୍କ ସହ ପ୍ରଥମ ୱିକେଟ୍ରେ ୧୭୨ ରନ୍ର ଭାଗୀଦାରି ଗଢ଼ି ହେନରିକ୍ କ୍ଲାସେଁଙ୍କ ଶତକକୁ ଫିକା କରିଦେଇଛନ୍ତି। ଗୁରୁବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଇଥିବା ଚଳିତ ସଂସ୍କରଣର ଶେଷ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ୮ ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଏହି ବିଜୟ ସହ ଆର୍ସିବି ପ୍ଲେ ଅଫ୍ ନିକଟତର ହୋଇଛି। ଏହି […]
ହାଇଦ୍ରାବାଦ: ବିରାଟ କୋହଲି ଚଳିତ ଆଇପିଏଲ୍ରେ ପ୍ରଥମ ଶତକ ଅର୍ଜନ କରିବା ସାଙ୍ଗକୁ ଫାଫ୍ ଡୁ ପ୍ଲେସିସ୍ଙ୍କ ସହ ପ୍ରଥମ ୱିକେଟ୍ରେ ୧୭୨ ରନ୍ର ଭାଗୀଦାରି ଗଢ଼ି ହେନରିକ୍ କ୍ଲାସେଁଙ୍କ ଶତକକୁ ଫିକା କରିଦେଇଛନ୍ତି। ଗୁରୁବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଇଥିବା ଚଳିତ ସଂସ୍କରଣର ଶେଷ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ୮ ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଏହି ବିଜୟ ସହ ଆର୍ସିବି ପ୍ଲେ ଅଫ୍ ନିକଟତର ହୋଇଛି। ଏହି ଦଳ ପଏଣ୍ଟ ଟେବୁଲ୍ର ଚତୁର୍ଥ ସ୍ଥାନରେ ପହଞ୍ଚିଛି। କ୍ଲାସେଁଙ୍କ ପ୍ରଥମ ଆଇପିଏଲ୍ ଶତକ ସହାୟତାରେ ହାଇଦ୍ରାବାଦ ଛାଡ଼ିଥିବା ୧୮୭ ରନ୍ର ଲକ୍ଷ୍ୟକୁ ପିଛା କରି ଆର୍ସିବି ୪ ବଲ୍ ବାକି ଥାଇ ମ୍ୟାଚ୍ ଜିତିଥିଲା। କୋହଲି ଓ ଡୁପ୍ଲେସିସ୍ ଆରମ୍ଭରୁ ହାଇଦ୍ରାବାଦର ଦେଶୀ ବୋଲରଙ୍କୁ ଧୂଲେଇ କରିଥିଲେ। ୧୮ତମ ଓଭରରେ ଆଇପିଏଲ୍ରେ ଷଷ୍ଠ ଶତକ ଅର୍ଜନ କରିବା ପରେ ଭୁବନେଶ୍ବର କୁମାରଙ୍କ ଏକ ବାଉନ୍ସରକୁ ଛକା ମାରିବାକୁ ଯାଇଥିଲେ ବି ବାଉଣ୍ଡରି ପାଖରେ ଧରାପଡ଼ିଯାଇଥିଲେ। ଏହି ଶତକ ଦ୍ବାରା ଆଇପିଏଲ୍ ଇତିହାସରେ ଗେଲ୍ଙ୍କ ସର୍ବାଧିକ ୬ ଶତକର ସମକକ୍ଷ ହୋଇଛନ୍ତି କୋହଲି। ଦଳକୁ ବିଜୟ ନିକଟତର କରାଇ ଡୁପ୍ଲେସିସ୍ ମଧ୍ୟ ୭୧ ରନ୍ରେ ଆଉଟ୍ ହୋଇଥିଲେ। ମ୍ୟାକ୍ସୱେଲ୍ ଓ ବ୍ରେସ୍ୱେଲ୍ଙ୍କ ଯୋଡ଼ି ଦଳର ବିଜୟ ମୁଣ୍ଡି ମାରିଥିଲେ।
ଏଥିପୂର୍ବରୁ ହେନରିକ୍ କ୍ଲାସେଁଙ୍କ ପ୍ରଥମ ଆଇପିଏଲ୍ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ ଶେଷ ଘରୋଇ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୧୮୬/୫ ସ୍କୋର କରିଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ହାଇଦ୍ରାବାଦ ପାଇଁ ଅଭିଷେକ ଶର୍ମା ଓ ରାହୁଲ ତ୍ରିପାଠୀ ରକ୍ଷଣାତ୍ମକ ଆରମ୍ଭ କରିଥିଲେ। କିନ୍ତୁ ପଞ୍ଚମ ଓଭରରେ ମାଇକେଲ ବ୍ରାସ୍ୱେଲ୍ ଉଭୟଙ୍କୁ ଆଉଟ୍ କରି ଆର୍ସିବିକୁ ବଡ଼ ସଫଳତା ଦେଇଥିଲେ। କ୍ଲାସେଁ ତୃତୀୟ ୱିକେଟ୍ରେ ଅଧିନାୟକ ଏଦେନ୍ ମାରକ୍ରମ୍ଙ୍କ ସହ ମିଶି ୭୬ ରନ୍ ଓ ହାରି ବ୍ରୁକ୍ଙ୍କ ସହ ଚତୁର୍ଥ ୱିକେଟ୍ରେ ୭୪ ରନ୍ ଦଳୀୟ ସ୍କୋରରେ ଯୋଡ଼ିଥିଲେ। ଏଥିମଧ୍ୟରେ ହାଇଦ୍ରାବାଦ ପାଇଁ ବ୍ରୁକ୍ଙ୍କ ପରେ କ୍ଲାସେଁ ଚଳିତ ଆଇପିଏଲ୍ରେ ଦ୍ବିତୀୟ ଶତକ ଜମାଇଥିଲେ। ୪୯ ତମ ବଲ୍ରୁ ହର୍ଷଲ ପଟେଲ୍ଙ୍କୁ ସିଧା ଛକା ମାରି ଶତକ ଅର୍ଜନ କରିଥିବା କ୍ଲାସେଁ ଦୁଇଟି ବଲ୍ ବ୍ୟବଧାନ ପରେ ୟର୍କର ବଲ୍ରେ ବିଫଳ ହୋଇ ବୋଲ୍ଡ ହୋଇଥିଲେ। କ୍ଲାସେଁଙ୍କ ଏହି ଶତକ ଚଳିତ ଆଇପିଏଲ୍ରେ ସପ୍ତମ ଥିଲା। ଏଥିପୂର୍ବରୁ ବ୍ରୁକ୍ (୧୦୦*), ଯଶସ୍ବୀ ଜୟସ୍ବାଲ୍ (୧୨୪), ଭେଙ୍କଟେଶ ଆୟର (୧୦୪), ସୂର୍ଯ୍ୟକୁମାର ଯାଦବ (୧୦୩*), ପ୍ରଭସିମ୍ରନ ସିଂହ (୧୦୩) ଓ ଶୁବମନ ଗିଲ୍ (୧୦୧) ଶତକ ମାରିସାରିଛନ୍ତି। ଶେଷରେ କୋହଲିଙ୍କ ଶତକ ଚଳିତ ଆଇପିଏଲ୍ରେ ଅଷ୍ଟମ ଶତକ ହୋଇଥିଲା।




