ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ
ମୁମ୍ବାଇ: ଆଇପିଏଲରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟ୍ର ହରାଇ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲ୍ର ଶୀର୍ଷ ୪ ଭିତରକୁ ପ୍ରବେଶ କରିଛି। ମଙ୍ଗଳବାର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ଫାପ୍ ଡୁ ପ୍ଲେସିସ୍ ଏବଂ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଶତକୀୟ ଭାଗୀଦାରି ବଳରେ ଆର୍ସିବି ୧୯୯ ରନ୍ କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କିନ୍ତୁ ସୂର୍ଯ୍ୟକୁମାର ଯାଦବ ଏବଂ ନେହାଲ ୱାଧେରା ମାତ୍ର ୬୪ ବଲରୁ ୧୪୦ ରନ୍ର ଭାଗୀଦାରି କରି ମ୍ୟାଚ୍କୁ ଏକତରଫା କରି ଦେଇଥିଲେ। ସୂର୍ଯ୍ୟକୁମାର ୩୫ […]
ମୁମ୍ବାଇ: ଆଇପିଏଲରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟ୍ର ହରାଇ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲ୍ର ଶୀର୍ଷ ୪ ଭିତରକୁ ପ୍ରବେଶ କରିଛି। ମଙ୍ଗଳବାର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ଫାପ୍ ଡୁ ପ୍ଲେସିସ୍ ଏବଂ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଶତକୀୟ ଭାଗୀଦାରି ବଳରେ ଆର୍ସିବି ୧୯୯ ରନ୍ କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କିନ୍ତୁ ସୂର୍ଯ୍ୟକୁମାର ଯାଦବ ଏବଂ ନେହାଲ ୱାଧେରା ମାତ୍ର ୬୪ ବଲରୁ ୧୪୦ ରନ୍ର ଭାଗୀଦାରି କରି ମ୍ୟାଚ୍କୁ ଏକତରଫା କରି ଦେଇଥିଲେ। ସୂର୍ଯ୍ୟକୁମାର ୩୫ ବଲ୍ରୁ ୮୩ ରନ୍ କରି ଆଇପିଏଲ୍ରେ ନିଜ ଶ୍ରେଷ୍ଠ ବ୍ୟକ୍ତିଗତ ପାଳି ଖେଳିଥିଲେ। ୱାଧେରା ୩୪ ବଲ୍ରୁ ୫୨* ରନ୍ କରିଥିଲେ। ହର୍ଷଲ ପଟେଲଙ୍କୁ ଛକା ମାରି ନିଜ ଅର୍ଦ୍ଧଶତକ ପୂର୍ଣ୍ଣ କରିବା ସହ ମୁମ୍ବାଇକୁ ୩.୩ ଓଭର ପୂର୍ବରୁ ବିଜୟ ପ୍ରଦାନ କରିଥିଲେ। ଏଥିପୂର୍ବରୁ ଫାଫ୍ ଡୁ ପ୍ଲେସିସ୍ ଓ ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କ ବିସ୍ଫୋରଣ ଏବଂ ଶେଷ ଆଡ଼କୁ ଦୀନେଶ କାର୍ତ୍ତିକଙ୍କ ଆକର୍ଷଣୀୟ ବ୍ୟାଟିଂ ଯୋଗୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୨୦୦ ରନ୍ର ଲକ୍ଷ୍ୟ ଧାର୍ଯ୍ୟ ରଖିଥିଲା। ଏହି ମ୍ୟାଚ୍ରେ ରୋହିତ ଶର୍ମା ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲେ। ପ୍ରଥମ ଓଭରରେ ବିରାଟ କୋହଲି (୧) ଓ ତୃତୀୟ ଓଭରରେ ଅନୁଜ ରାୱତ (୬)ଙ୍କ ୱିକେଟ୍ ହରାଇବା ପରେ ଡୁପ୍ଲେସିସ୍-ମ୍ୟାକ୍ସୱେଲ୍ ଯୋଡ଼ି ଦର୍ଶକଙ୍କ ଭରପୂର ମନୋରଂଜନ କରିଥିଲେ। ଏହି ଯୋଡ଼ି ତୃତୀୟ ୱିକେଟ୍ରେ ୬୧ ବଲ୍ରୁ ୧୨୦ ରନ୍ ଉଠାଇ ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ଅର୍ଜନ କରିବା ପରେ ମ୍ୟାକ୍ସୱେଲ୍ (୬୮ ରନ୍, ୩୩ ବଲ୍, ୮ ଚୌକା, ୪ ଛକା)ଙ୍କୁ ଆଉଟ୍ କରି ବେହରେନଡର୍ଫ ଯୋଡ଼ି ଭାଙ୍ଗିଥିଲେ। ଦୁଇ ଓଭର ପରେ ଡୁପ୍ଲେସିସ୍ (୬୫ ରନ୍, ୪୧ ବଲ୍, ୫ଚୌକା, ୩ ଛକା)ଙ୍କୁ କାମେରନ୍ ଗ୍ରିନ୍ ଆଉଟ୍ କରିଥିଲେ। ଶେଷ ଆଡ଼କୁ କେଦାର ଯାଦବ (୧୨*) ଓ ୱାନିନ୍ଦୁ ହସରଙ୍ଗା (୧୨*) ଅପରାଜିତ ରହି ଦଳୀୟ ସ୍କୋର୍କୁ ୧୯୯/୬ ରେ ପହଞ୍ଚାଇଥିଲେ।




