ରୋହିତଙ୍କ ବିସ୍ଫୋରକ ଶତକ ଯୋଗୁଁ ଭାରତର ଦ୍ବିତୀୟ ମ୍ୟାଚରେ ବିଜୟୀ
ନୂଆଦିଲ୍ଲୀ: ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ପରେ ବ୍ୟାଟରଙ୍କ ଦମ୍ଦାର ବ୍ୟାଟିଂ ବଳରେ ଭାରତ ଚଳିତ ବିଶ୍ବକପ୍ରେ ଆଫଗାନିସ୍ତାନକୁ ଅତି ସହଜରେ ୮ ୱିକେଟ୍ରେ ପରାସ୍ତ କରିଛି। ଏଥି ସହ ଭାରତ କ୍ରମାଗତ ଦ୍ବିତୀୟ ବିଜୟ ପାଇଛି। ରୋହିତ ଶର୍ମା ମାତ୍ର ୮୪ ବଲ୍ରୁ ୧୩୧ ରନ୍ର ପାଳି ଖେଳି ଏକାଧିକ କୀର୍ତ୍ତିମାନ କରିଥିବା ବେଳେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଭାରତ ନିଜର ପରବର୍ତ୍ତୀ ମ୍ୟାଚ୍ ଶନିବାର ଅହମଦାବାଦରେ ପାକିସ୍ତାନ ସହ ଖେଳିବ। ଦିଲ୍ଲୀର ଅରୁଣ […]
ନୂଆଦିଲ୍ଲୀ: ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ପରେ ବ୍ୟାଟରଙ୍କ ଦମ୍ଦାର ବ୍ୟାଟିଂ ବଳରେ ଭାରତ ଚଳିତ ବିଶ୍ବକପ୍ରେ ଆଫଗାନିସ୍ତାନକୁ ଅତି ସହଜରେ ୮ ୱିକେଟ୍ରେ ପରାସ୍ତ କରିଛି। ଏଥି ସହ ଭାରତ କ୍ରମାଗତ ଦ୍ବିତୀୟ ବିଜୟ ପାଇଛି। ରୋହିତ ଶର୍ମା ମାତ୍ର ୮୪ ବଲ୍ରୁ ୧୩୧ ରନ୍ର ପାଳି ଖେଳି ଏକାଧିକ କୀର୍ତ୍ତିମାନ କରିଥିବା ବେଳେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଭାରତ ନିଜର ପରବର୍ତ୍ତୀ ମ୍ୟାଚ୍ ଶନିବାର ଅହମଦାବାଦରେ ପାକିସ୍ତାନ ସହ ଖେଳିବ।
ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ଭାରତ ସମ୍ମୁଖରେ ୨୭୩ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା ଆଫଗାନିସ୍ତାନ। ରୋହିତ ଶର୍ମା ଏବଂ ଈଶାନ କିଶନ ଧୂଆଁଧାର ଆରମ୍ଭ କରିଥିଲେ। ପ୍ରଥମ ୱିକେଟ୍ ପାଇଁ ଏହି ଯୋଡ଼ି ମାତ୍ର ୧୮.୪ ଓଭରରେ ୧୫୬ ରନ୍ ସଂଯୋଗ କରି ଦୃଢ଼ ମୂଳଦୁଆ ପକାଇଥିଲେ। ରସିଦ ଖାନ୍ଙ୍କ ଶିକାର ହୋଇ କିଶନ ପ୍ରଥମ ବିଶ୍ବକପ୍ ଅର୍ଦ୍ଧଶତକଠାରୁ ମାତ୍ର ୩ ରନ୍ ଦୂରରେ ରହିଯାଇଥିଲେ। କିଛି ଓଭର ପରେ ରୋହିତ ଶର୍ମାଙ୍କୁ ମଧ୍ୟ ରସିଦ ଦ୍ବିତୀୟ ଶିକାର କରିଥିଲେ। ଏହା ପରେ କିନ୍ତୁ ବିରାଟ କୋହଲି କ୍ରମାଗତ ଅର୍ଦ୍ଧଶତକ (୫୬ ବଲ୍ରୁ ୫୫*) ହାସଲ କରିବା ସହ ଶ୍ରେୟସ ଆୟର (୨୩ ବଲ୍ରୁ ୨୫* ରନ୍)ଙ୍କୁ ସାଥୀ କରି ୬୮* ରନ୍ ଯୋଡ଼ିବା ସହ ୧୫ ଓଭର ପୂର୍ବରୁ ମ୍ୟାଚ୍ ଶେଷ କରିଦେଇଥିଲେ।
ଏଥିପୂର୍ବରୁ ଯଶପ୍ରୀତ୍ ବୁମରା ଆଫଗାନିସ୍ତାନ ବ୍ୟାଟିଂର ପ୍ରଥମରୁ ଶେଷ ଯାଏଁ ଛାଇ ରହିଥିଲେ। ୧୦-୦-୩୯-୪ ବୋଲିଂ ଚିତ୍ର ଅବସରରେ ବୁମରା ଆଫଗାନିସ୍ତାନର ପ୍ରଥମ ଓ ଶେଷ ୱିକେଟ୍ ମଧ୍ୟ ନେଇଥିଲେ। ଇବ୍ରାହିମ ଜଦ୍ରାନଙ୍କୁ ୱିକେଟ୍ରକ୍ଷକ କେଏଲ୍ ରାହୁଲଙ୍କ ଗ୍ଲୋଭ୍ସରେ ଧରାଇବା ପରେ ଭାରତକୁ ସପ୍ତମ ଓଭରରେ ପ୍ରଥମ ୱିକେଟ୍ ମିଳିଥିଲା। ଅନ୍ୟତମ ଓପନର୍ ରହମନୁଲ୍ଲା ଗୁରବାଜଙ୍କୁ ହାର୍ଦିକ ପାଣ୍ଡ୍ୟା ପ୍ୟାଭିଲିଅନ୍ ରାସ୍ତା ଦେଖାଇବା ପରେ ରହମତ ଶାହଙ୍କୁ ଶାର୍ଦୁଳ ଠାକୁର ଏଲ୍ବିଡବ୍ଲ୍ୟୁ କରି ଦେଇଥିଲେ। ଫଳରେ ତ୍ରୟୋଦଶ ଓଭର ବେଳକୁ ଆଫଗାନିସ୍ତାନ ଦଳ ୬୩/୩ରେ ସଂଘର୍ଷ କରିଥିଲା। ଏହି ସମୟରେ ଦୁଇ ଅଭିଜ୍ଞ ଖେଳାଳି ଅଧିନାୟକ ହାସମାତୁଲ୍ଲା ସାହିଦି (୮୮ ବଲ୍ରୁ ୮୦ ରନ୍) ଏବଂ ଅଜମାତୁଲ୍ଲା ଓମରଜାଇ (୬୯ ବଲ୍ ୬୨ ରନ୍) ଚତୁର୍ଥ ୱିକେଟ୍ ପାଇଁ ୧୨୧ ରନ୍ ଯୋଡ଼ି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ। ୩୫ତମ ଓଭରରେ କିନ୍ତୁ ଅଜମାତୁଲ୍ଲା ବୋଲ୍ଡ ହେବାରୁ ଯୋଡ଼ି ଭାଙ୍ଗିଥିଲା। କିଛି ଓଭର ପରେ ହାସମାତୁଲ୍ଲାଙ୍କୁ କୁଲଦୀପ ଯାଦବ ଆଉଟ୍ କରି ଆଫଗାନିସ୍ତାନକୁ ସମ୍ଭାବ୍ୟ ୩୦୦ ରନ୍ ସ୍କୋର୍ଠୁ ଦୂରେଇ ରଖିଥିଲେ। ଏହା ପରେ ମହମ୍ମଦ ନବି ଏବଂ ନଜିବୁଲ୍ଲା ଜଦ୍ରାନଙ୍କୁ ଗୋଟିଏ ଓଭରରେ ଆଉଟ୍ କରି ବୁମରା ଦଳକୁ ୨୭୨/୯ରେ ଅଟକାଇପାରିଥିଲେ।




