ରାଜସ୍ଥାନ ରୟାଲ୍ସକୁ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ବେଙ୍ଗାଲୁରୁ: ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ରବିବାର ରାଜସ୍ଥାନ ରୟାଲ୍ସକୁ ୭ ରନ୍ରେ ହରାଇ ଚତୁର୍ଥ ବିଜୟ ପାଇଛି। ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ହାରି ବ୍ୟାଟିଂ ପାଇଥିବା ବାଙ୍ଗାଲୋର ପ୍ରଥମ ବଲ୍ରେ ୱିକେଟ୍ ହରାଇଥିଲା। ଟ୍ରେଣ୍ଟ ବୋଲ୍ଟ ନିଜର ପ୍ରଥମ ବଲ୍ରେ କାମଚଳା ଅଧିନାୟକ ବିରାଟ କୋହଲି (୦)ଙ୍କୁ ବୋଲ୍ଡ କରି ପ୍ୟାଭିଲିୟନ ପଠାଇଥିଲେ। ଏହାପରେ ନିଜର ଦ୍ବିତୀୟ ଓଭରର ପ୍ରଥମ ବଲ୍ରେ ଶାହବାଜ ଅହମଦ(୨)ଙ୍କୁ ଯଶସ୍ବୀ ଜୟସ୍ବାଲଙ୍କ ହାତରେ କ୍ୟାଚ୍ […]

Samaya Live Picture
Published On

ବେଙ୍ଗାଲୁରୁ: ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ରବିବାର ରାଜସ୍ଥାନ ରୟାଲ୍ସକୁ ୭ ରନ୍ରେ ହରାଇ ଚତୁର୍ଥ ବିଜୟ ପାଇଛି। ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ହାରି ବ୍ୟାଟିଂ ପାଇଥିବା ବାଙ୍ଗାଲୋର ପ୍ରଥମ ବଲ୍ରେ ୱିକେଟ୍ ହରାଇଥିଲା। ଟ୍ରେଣ୍ଟ ବୋଲ୍ଟ ନିଜର ପ୍ରଥମ ବଲ୍ରେ କାମଚଳା ଅଧିନାୟକ ବିରାଟ କୋହଲି (୦)ଙ୍କୁ ବୋଲ୍ଡ କରି ପ୍ୟାଭିଲିୟନ ପଠାଇଥିଲେ। ଏହାପରେ ନିଜର ଦ୍ବିତୀୟ ଓଭରର ପ୍ରଥମ ବଲ୍ରେ ଶାହବାଜ ଅହମଦ(୨)ଙ୍କୁ ଯଶସ୍ବୀ ଜୟସ୍ବାଲଙ୍କ ହାତରେ କ୍ୟାଚ୍ କରାଇ ବୋଲ୍ଟ ଦଳକୁ ଦ୍ବିତୀୟ ସଫଳତା ଦେଇଥିଲେ। ହେଲେ ତୃତୀୟ ୱିକେଟ୍ରେ ଫାଫ୍ ଡୁ’ପ୍ଲେସିସି ଓ ଗ୍ଲେନ୍ ମ୍ୟାକ୍ସୱେଲ ଶତକୀୟ (୧୨୭) ଭାଗୀଦାରି ଗଢ଼ି ଦଳକୁ ବଡ଼ ସ୍କୋର୍ ଦିଗରେ ନେଇଥିଲେ। ଡୁ’ପ୍ଲେସିସି (୬୨, ୩୯ ବଲ୍) ରନ୍ ଆଉଟ୍ ହେବା ପରେ ପରେ ମ୍ୟାକ୍ସୱେଲ (୭୭, ୪୪ ବଲ୍) ଙ୍କୁ ଅଶ୍ବିନ ଆଉଟ୍ କରିଦେବାରୁ ରନ୍ ଗତି ଧିମା ହୋଇଯାଇଥିଲା। ଏପରିକି ଶେଷ ୫ ଓଭରରେ ୫ ୱିକେଟ୍ ହରାଇ ମାତ୍ର ୩୩ ରନ୍ କରିବାରୁ ବାଙ୍ଗାଲୋର ୧୮୯/୯ରେ ଅଟକିଯାଇଥିଲା। ୧୯୦ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ରୟାଲ୍ସ ୬ ୱିକେଟ୍ ହରାଇ ୧୮୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ବାଙ୍ଗାଲୋର ଭଳି ରାଜସ୍ଥାନ ତାରକା ବ୍ୟାଟର୍ ଜୋସ ବଟଲର (୦)ଙ୍କୁ ପ୍ରଥମ ଓଭରରେ ହରାଇଥିଲା। ମହମ୍ମଦ ସିରାଜ ରାଜସ୍ଥାନକୁ ଏହି ଝଟ୍କା ଦେଇଥିଲେ। ତେବେ ଜୟସ୍ବାଲ ଓ ଦେବଦତ୍ତ ପଡ଼ିକଲ ଦ୍ବିତୀୟ ୱିକେଟ୍ରେ ୯୮ ରନ୍ ଯୋଡ଼ି ପାଳି ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ପଡ଼ିକଲ (୫୨) ଓ ଜୟସ୍ବାଲ (୪୭) ୯ ରନ୍ ମଧ୍ୟରେ ଆଉଟ୍ ହୋଇଯିବାରୁ ଦଳ ସଙ୍କଟରେ ପଡ଼ିଥିଲା। ଧ୍ରୁବ ଜୁରେଲ (୩୪*) ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ଦଳକୁ ବିଜୟ ଦେଇପାରିନଥିଲେ। ବିସ୍ଫୋରକ ପାଳି ପାଇଁ ମ୍ୟାକ୍ସୱେଲ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Tags: