ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍
ଲକ୍ଷ୍ନୌ: ୫ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ରନ୍ରେ ପରାସ୍ତ କରି ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିଛି। ୧୭୮ ରନ୍ ବିଜୟ ଲକ୍ଷ୍ୟରେ ଖେଳିଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରୋହିତ ଶର୍ମା ଏବଂ ଈଶାନ କିଶନ ଭଲ ଆରମ୍ଭ କରିଥିଲେ। କିନ୍ତୁ ୯୦ ରନ୍ ଭାଗୀଦାରି ପରେ ଏ ଦୁହେଁ ଅଲଗା ହୋଇଯିବା ମାତ୍ରେ ଲକ୍ଷ୍ନୌ ଚାପ ପକାଇବା ସହ ମ୍ୟାଚ୍କୁ ଶେଷ ଭାଗ ପର୍ଯ୍ୟନ୍ତ ନେଇଥିଲା। ଶେଷ ଦୁଇ […]
ଲକ୍ଷ୍ନୌ: ୫ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ରନ୍ରେ ପରାସ୍ତ କରି ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିଛି। ୧୭୮ ରନ୍ ବିଜୟ ଲକ୍ଷ୍ୟରେ ଖେଳିଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରୋହିତ ଶର୍ମା ଏବଂ ଈଶାନ କିଶନ ଭଲ ଆରମ୍ଭ କରିଥିଲେ। କିନ୍ତୁ ୯୦ ରନ୍ ଭାଗୀଦାରି ପରେ ଏ ଦୁହେଁ ଅଲଗା ହୋଇଯିବା ମାତ୍ରେ ଲକ୍ଷ୍ନୌ ଚାପ ପକାଇବା ସହ ମ୍ୟାଚ୍କୁ ଶେଷ ଭାଗ ପର୍ଯ୍ୟନ୍ତ ନେଇଥିଲା। ଶେଷ ଦୁଇ ଓଭରରୁ ମୁମ୍ବାଇକୁ ୩୦ ରନ୍ ଆବଶ୍ୟକ ପଡ଼ିଥିଲା। ୧୯ତମ ଓଭରରେ ନବୀନ ଉଲ୍ ହକ୍ଙ୍କୁ ଟିମ୍ ଡେଭିଡ୍ ୨ ଛକା ମାରି ୧୯ ରନ୍ ଆଦାୟ କରିବା ପରେ ମୁମ୍ବାଇ ମ୍ୟାଚ୍ ଜିତିଯିବ ବୋଲି ସଭିଏଁ ଧରି ନେଇଥିଲେ। ପ୍ରଥମ ଓଭରରେ ୧୩ ରନ୍ବ୍ୟୟ କରି ଅଭିଯାନ ଆରମ୍ଭ କରିଥିବା ସ୍ଥାନୀୟ ଖେଳାଳି ମୋହସିନ୍ ଖାନ୍ ଶେଷ ଓଭରରେ କିନ୍ତୁ ଅସମ୍ଭବ ଲାଗୁଥିବା ୧୧ ରନ୍କୁ ରୋକି ପାରିଥିଲେ। ମାର୍କସ ଷ୍ଟୋଇନିସ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୂର୍ବରୁ ମାର୍କସ ଷ୍ଟୋଇନିସ୍ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଶେଷ ଘରୋଇ ମ୍ୟାଚ୍ ଖେଳୁଥିବା ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୧୭୮ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଆରମ୍ଭରୁ ଲକ୍ଷ୍ନୌ ବିପର୍ଯ୍ୟୟର ସାମ୍ନା କରିବା ସହ ୩୫ ରନ୍ ଭିତରେ ଦୀପକ ହୁଦା (୫), ପ୍ରେରକ ମଙ୍କଡ଼ (୦) ଓ କ୍ବିଣ୍ଟନ ଡି’କକ୍ (୧୬)ଙ୍କ ୱିକେଟ୍ ହରାଇଥିଲା। ହେଲେ କ୍ରୁନାଲ ପାଣ୍ଡ୍ୟା ଓ ମାର୍କସ ଷ୍ଟୋଇନିସ୍ତୃତୀୟ ୱିକେଟ୍ରେ ୮୨* ରନ୍ ଯୋଡ଼ି ପାଳି ସମ୍ଭାଳି ନେଇଥିଲେ। କିନ୍ତୁ ଅର୍ଦ୍ଧଶତକଠୁ ୧ ରନ୍ ଦୂରରେ ଥିଲାବେଳେ ରକ୍ଷଣାତ୍ମକ ଖେଳୁଥିବା ପାଣ୍ଡ୍ୟା ରିଟାୟର୍ଡ ହର୍ଟ ହୋଇ ପାଭିଲିୟନ୍ ଫେରିଥିଲେ। ୧୮ତମ ଓଭରରେ କ୍ରିସ୍ ଜୋର୍ଡାନ୍ଙ୍କଠୁ ୨୪ ଆଦାୟ କରିବା ସହ ଷ୍ଟୋଇନିସ୍ ଅର୍ଦ୍ଧଶତକ ପୂରଣ କରିଥିଲେ। ଶେଷ ପର୍ଯ୍ୟନ୍ତ ଦ୍ରୁତ ରନ୍ ସଂଗ୍ରହ କରି ଷ୍ଟୋଇନିସ୍ ୮୯* ରନ୍ରେ ଅପରାଜିତ ରହିଥିଲେ।




