ଭାରତୀୟ ହକି ଦଳକୁ ସ୍ବର୍ଣ୍ଣ ପଦକ ସହ ମିଳିଲା ଅଲିମ୍ପିକ୍ସ ଟିକେଟ୍
ନୂଆଦିଲ୍ଲୀ: ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଜାପାନ୍କୁ ୫-୧ ଗୋଲ୍ରେ ହରାଇ ସ୍ବର୍ଣ୍ଣ ପଦକ ଜିତିଛି ଭାରତୀୟ ହକି ଦଳ। କେବଳ ସ୍ବର୍ଣ୍ଣ ପଦକ ଜିତିନାହିଁ ଭାରତୀୟ ଦଳ ମଧ୍ୟ ଏଥି ସହିତ ଆସନ୍ତା ବର୍ଷର ପ୍ୟାରିସ୍ ଅଲିମ୍ପିକ୍ସ ଟିକେଟ୍କୁ ସିଧାସଳଖ ଅର୍ଜନ କରିଛି। ଭାରତୀୟ ହକି ଦଳର ଏହି ସଫଳତା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ପ୍ରତି ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଫାଇନାଲ୍ରେ […]
ନୂଆଦିଲ୍ଲୀ: ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଜାପାନ୍କୁ ୫-୧ ଗୋଲ୍ରେ ହରାଇ ସ୍ବର୍ଣ୍ଣ ପଦକ ଜିତିଛି ଭାରତୀୟ ହକି ଦଳ। କେବଳ ସ୍ବର୍ଣ୍ଣ ପଦକ ଜିତିନାହିଁ ଭାରତୀୟ ଦଳ ମଧ୍ୟ ଏଥି ସହିତ ଆସନ୍ତା ବର୍ଷର ପ୍ୟାରିସ୍ ଅଲିମ୍ପିକ୍ସ ଟିକେଟ୍କୁ ସିଧାସଳଖ ଅର୍ଜନ କରିଛି। ଭାରତୀୟ ହକି ଦଳର ଏହି ସଫଳତା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ପ୍ରତି ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଫାଇନାଲ୍ରେ ଜାପାନ ପ୍ରଥମ ଦୁଇ କ୍ବାର୍ଟରରେ ଢ଼େର ଲଢ଼ିଥିଲା। ହେଲେ ପୂର୍ବତନ ଅଧିନାୟକ ମନପ୍ରୀତ୍ ସିଂହ (୨୫ ମିନିଟ୍)ଙ୍କ ଗୋଲ୍ ବଳରେ ଭାରତ ୧-୦ରେ ଆଗୁଆ ରହିଥିଲା। ଅଧିନାୟକ ହର୍ମନପ୍ରୀତ୍ ସିଂହ (୩୨ ମିନିଟ୍) ଏବଂ ଅମିତ ରୋହିଦାସ (୩୬ ମିନିଟ୍)ଙ୍କ ଦୁଇ ଗୋଲ୍ ଭାରତକୁ ୩-୦ରେ ପହଞ୍ଚାଇଥିଲା। ଯୁବ ତାରକା ଅଭିଷେକ ୪୮ତମ ମିନିଟ୍ରେ ଭାରତ ପାଇଁ ଚତୁର୍ଥ ଗୋଲ୍ ଦେବା ପରେ ଭାରତର ସ୍ବର୍ଣ୍ଣ ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଥିଲା। ୫୧ତମ ମିନିଟ୍ରେ ସେରିନ୍ ଟାନାକା ଜାପାନ ପାଇଁ ଏକମାତ୍ର ସାନ୍ତ୍ବନା ଆଣିଥିଲେ। ତଥାପି ଭାରତୀୟ ଅଧିନାୟକ ହର୍ମନପ୍ରୀତ୍ ସିଂହ ୫୯ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣରରୁ ଆଉ ଏକ ଗୋଲ୍ ଦେଇ ଭାରତର ୫-୧ ବିଜୟକୁ ନିଶ୍ଚିତ କରିଥିଲେ। କ୍ରେଗ୍ ଫୁଲଟନ୍ଙ୍କ ପ୍ରଶିକ୍ଷିତ ଦଳ ମଧ୍ୟ ଏସୀୟ କ୍ରୀଡ଼ା ଅଭିଯାନକୁ ଅପରାଜେୟ ରେକର୍ଡ ସହ ଶେଷ କରିଛି। ଅନ୍ୟପକ୍ଷରେ ଦକ୍ଷିଣ କୋରିଆ ୨-୧ ଗୋଲ୍ରେ ଚୀନକୁ ପରାସ୍ତ କରି କାଂସ୍ୟ ପଦକ ଜିତି ନେଇଥିଲା।




