ଭାରତର ବିଜୟଧାରା ଜାରି; ୭ ୱିକେଟରେ ପରାସ୍ତ ହେଲା ପାକିସ୍ତାନ

ଅହମଦାବାଦ: ବିଶ୍ବକପର ମହାଲଢ଼େଇରେ ବଡ଼ ବିଜୟ ହାସଲ କରିଛି ଭାରତ। ବୋଲର୍ଙ୍କ ପରେ ବ୍ୟାଟର୍ଙ୍କ ବିସ୍ଫୋରଣ ଯୋଗୁଁ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭାରତ ୭ ୱିକେଟ୍ରେ ହରାଇ ଦେଇଛି। ଏହାଫଳରେ ବିଶ୍ବକପ୍ରେ ପାକିସ୍ତାନ ବିପକ୍ଷରେ ଭାରତ ବିଜୟ ୮-୦ରେ ପହଞ୍ଚିଛି। ଭାରତର ଏହି ସ୍ମରଣୀୟ ବିଜୟ ପରେ ସାରାଦେଶରେ ଖୁସିର ଲହରି ଖେଳିଯାଇଛି। ଶନିବାର ଭାରତୀୟ ବୋଲରଙ୍କ ପରାକ୍ରମୀ ବୋଲିଂରେ ଘାଇଲା ହୋଇ ପାକିସ୍ତାନ ମାତ୍ର ୧୯୧ ରନ୍ରେ ଅଟକି ଯାଇଥିଲା। ପରେ ଅଧିନାୟକ ରୋହିତ ଶର୍ମାଙ୍କ […]

Samaya Live Picture
Published On

ଅହମଦାବାଦ: ବିଶ୍ବକପର ମହାଲଢ଼େଇରେ ବଡ଼ ବିଜୟ ହାସଲ କରିଛି ଭାରତ। ବୋଲର୍ଙ୍କ ପରେ ବ୍ୟାଟର୍ଙ୍କ ବିସ୍ଫୋରଣ ଯୋଗୁଁ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭାରତ ୭ ୱିକେଟ୍ରେ ହରାଇ ଦେଇଛି। ଏହାଫଳରେ ବିଶ୍ବକପ୍ରେ ପାକିସ୍ତାନ ବିପକ୍ଷରେ ଭାରତ ବିଜୟ ୮-୦ରେ ପହଞ୍ଚିଛି। ଭାରତର ଏହି ସ୍ମରଣୀୟ ବିଜୟ ପରେ ସାରାଦେଶରେ ଖୁସିର ଲହରି ଖେଳିଯାଇଛି।
ଶନିବାର ଭାରତୀୟ ବୋଲରଙ୍କ ପରାକ୍ରମୀ ବୋଲିଂରେ ଘାଇଲା ହୋଇ ପାକିସ୍ତାନ ମାତ୍ର ୧୯୧ ରନ୍ରେ ଅଟକି ଯାଇଥିଲା। ପରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୧୧୭ ବଲ୍ ପୂର୍ବରୁ ମାତ୍ର ୩ ୱିକେଟ୍ ହରାଇ ବିଜୟ ମୁଣ୍ଡି ମାରିଥିଲା। ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ପରେ ଟସ୍ ପଡ଼ିବା ଠାରୁ ଶେଷ ବଲ୍ ପର୍ଯ୍ୟନ୍ତ, ପୂରା ମ୍ୟାଚ୍କୁ ନିୟନ୍ତ୍ରଣରେ ରଖିଥିଲା ଘରୋଇ ଦଳ। ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ନେତୃତ୍ବରେ ପାକିସ୍ତାନକୁ ୪୨.୫ ଓଭରରେ ମାତ୍ର ୧୯୧ ରନ୍ରେ ଅଲଆଉଟ୍ କରି ଦେଇଥିଲା। ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡ଼େଜା ପ୍ରତ୍ୟେକ ୨ ୱିକେଟ୍ ଲେଖାଏଁ ନେଇ ପାକିସ୍ତାନର ବ୍ୟାଟିଂ କ୍ରମ ଭାଙ୍ଗିଦେଇଥିଲେ। ପରେ ରୋହିତଙ୍କ ଛକା ବର୍ଷା ସହ ଶ୍ରେୟସ ଆୟରଙ୍କ ଦାୟିତ୍ବବାନ ଅର୍ଦ୍ଧଶତକ ବଳରେ ଭାରତ ୩୦.୩ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ୭ ଓଭର ବୋଲିଂ କରି ଗୋଟିଏ ମେଡେନ୍ ସହ ୧୯ ରନ୍ ଦେଇ ପାକିସ୍ତାନର ଦୁଇଟି ପ୍ରମୁଖ ୱିକେଟ୍ କରାୟତ୍ତ କରିଥିବା ବୁମ୍ରା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୂର୍ବରୁ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନକୁ ହରାଇଥିବା ରୋହିତ ବାହିନୀ ଲଗାତାର ତିନିଟି ମ୍ୟାଚ୍ ଜିତି ଚଳିତ ବିଶ୍ବକପ୍ରେ ହ୍ୟାଟ୍ରିକ୍ ବିଜୟ ପାଇବା ସହ ପଏଣ୍ଟ୍ ତାଲିକାର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ସବୁଦିଗରୁ ବିଫଳ ହୋଇ ଶୋଚନୀୟ ପରାଜୟ ବରଣ କରିଥିବା ପାକିସ୍ତାନ ତୃତୀୟ ମ୍ୟାଚ୍ରେ ପ୍ରଥମ ପରାଜୟ ବରଣ କରିଛି। ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍ ୧୯ ତାରିଖରେ ପଡ଼ୋଶୀ ବାଂଲାଦେଶ ବିପକ୍ଷରେ ଖେଳିବ।

Tags: