ବାଂଲାଦେଶକୁ ହରାଇ ପ୍ରଥମ ବିଜୟ ପାଇଲା ଇଂଲଣ୍ଡ
ଧର୍ମଶାଳା: ଦାୱିଦ ମଲାନଙ୍କ ଶତକୀୟ ପାଳି ପରେ ରିସ୍ ଟପଲେଙ୍କ ଘାତକ ବୋଲିଂ ବଳରେ ଇଂଲଣ୍ଡ ଚଳିତ ଦିନିକିଆ ବିଶ୍ବକପ୍ରେ ବାଂଲା୨ଦେଶକୁ ୧୩୭ ରନ୍ରେ ପରାସ୍ତ କରି ପ୍ରଥମ ବିଜୟ ପାଇଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୩୬୫ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୨୨୭ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ପ୍ରାରମ୍ଭିକ ବ୍ୟାଟର୍ ଲିଟନ ଦାସ (୭୬) ଗୋଟିଏ ପଟରୁ ରନ୍ ଗତି ବଢ଼ାଉଥିଲା ବେଳେ ଅନ୍ୟ ପଟରୁ ଟପଲେ ୬ ଓଭର […]
ଧର୍ମଶାଳା: ଦାୱିଦ ମଲାନଙ୍କ ଶତକୀୟ ପାଳି ପରେ ରିସ୍ ଟପଲେଙ୍କ ଘାତକ ବୋଲିଂ ବଳରେ ଇଂଲଣ୍ଡ ଚଳିତ ଦିନିକିଆ ବିଶ୍ବକପ୍ରେ ବାଂଲା୨ଦେଶକୁ ୧୩୭ ରନ୍ରେ ପରାସ୍ତ କରି ପ୍ରଥମ ବିଜୟ ପାଇଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୩୬୫ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୨୨୭ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ପ୍ରାରମ୍ଭିକ ବ୍ୟାଟର୍ ଲିଟନ ଦାସ (୭୬) ଗୋଟିଏ ପଟରୁ ରନ୍ ଗତି ବଢ଼ାଉଥିଲା ବେଳେ ଅନ୍ୟ ପଟରୁ ଟପଲେ ୬ ଓଭର ମଧ୍ୟରେ ତାଂଜିଦ ହାସନ, ନଜମୁଲ ହୋସେନ ସାରଣ୍ଟୋ ଓ ସାକିବ ଅଲ ହାସନଙ୍କୁ ଆଉଟ୍ କରି ବିପର୍ଯ୍ୟୟ ଘଟାଇଥିଲେ। ମଧ୍ୟକ୍ରମରେ ମୁସଫିକର ରହିମ ଓ ତୋହିଦ ହୃଦୟ ଷଷ୍ଠ ୱିକେଟ୍ରେ ୪୩ ରନ୍ ଯୋଡ଼ିଥିଲେ ମଧ୍ୟ ତାହା ଯଥେଷ୍ଟ ହୋଇନଥିଲା। ଶେଷରେ ବାଂଲାଦେଶ ୧୦ ବଲ୍ ବାକି ଥାଇ ସମସ୍ତ ୱିକେଟ୍ ହରାଇଥିଲା। ଟପଲେ (୪/୪୩)ଙ୍କ ବ୍ୟତୀତ କ୍ରିସ୍ ୱକ୍ସ ୨ ଓ ସାମ କରନ, ମାର୍କ ଉଡ, ଅଦିଲ ରସିଦ, ଲିଆମ ଲିଭିଂଷ୍ଟୋନ ୧ ୱିକେଟ୍ ଲେଖାଏଁ ନେଇଥିଲେ। ମଲାନ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ପୂର୍ବରୁ ଟସ୍ରେ ହାରିଥିଲେ ମଧ୍ୟ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ ପାଇଁ ପ୍ରାରମ୍ଭିକ ମୂଳଦୁଆ ମଜବୁତ୍ ରହିଥିଲା। ଦାୱିଦ ମଲାନ (୧୪୦) ଦୁଇଟି ବଡ଼ ଭାଗୀଦାରିରେ ସାମିଲ୍ ହୋଇଥିଲେ। ପ୍ରଥମ ୱିକେଟ୍ରେ ଜନି ବେୟାରଷ୍ଟୋ (୫୨) ଙ୍କ ସହ ମିଶି ୧୧୫ ରନ୍ ଓ ପରେ ଜୋ ରୁଟ (୮୨)ଙ୍କ ସହ ଦ୍ବିତୀୟ ୱିକେଟ୍ରେ ୧୫୧ ରନ୍ ଦଳୀୟ ସ୍କୋରରେ ଯୋଡ଼ିଥିଲେ। ମଲାନ ଓ ରୁଟଙ୍କ ଦ୍ବିତୀୟ ୱିକେଟ୍ ଭାଗୀଦାରି ଧର୍ମଶାଳାରେ ଯେକୌଣସି ୱିକେଟ୍ରେ ସର୍ବାଧିକ ଥିଲା। ଏଥି ସହ ପ୍ରଥମ ଦୁଇ ୱିକେଟ୍ରେ ମୋଟ ୨୬୬ ରନ୍ ସଂଗ୍ରହ ହେବା ବିଶ୍ବକପ୍ରେ ଇଂଲଣ୍ଡ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ହୋଇପାରିଛି। ଇଂଲଣ୍ଡ ପକ୍ଷରୁ କରାଯାଇଥିବା ୩୬୪/୯ ସ୍କୋର ବିଶ୍ବକପ୍ରେ ଏହି ଦଳର ତୃତୀୟ ସର୍ବାଧିକ। ଅପରପକ୍ଷେ ବାଂଲାଦେଶର ମେହିଦି ହାସନ (୮-୦-୭୧-୪) ବିଶ୍ବକପ୍ ଇତିହାସରେ ସବୁଠୁ ବ୍ୟୟବହୁଳ (୮.୮୮ ଇକୋନୋମି) ୪ ୱିକେଟ୍ ସଫଳତା ପାଇଥିଲେ। ଏହାଛଡ଼ା ସେ ପ୍ରଥମ ସ୍ପିନର ଭାବେ ଧର୍ମଶାଳାରେ ୪ ୱିକେଟ୍ ଅକ୍ତିଆର କରିଛନ୍ତି।




