ପାକିସ୍ତାନର ଲଜ୍ଜାଜନକ ପରାଜୟ; ଇଂଲଣ୍ଡ ଏକ ପାଳି ଓ ୪୭ ରନ୍‌ରେ ବିଜୟୀ

ମୁଲତାନ୍‌: ପୁଣି ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି ପାକିସ୍ତାନ। ପାକିସ୍ତାନକୁ ନିଜ ମାଟିରେ ଇଂଲଣ୍ଡ ଠାରୁ ଗୋଟିଏ ଇନିଂସ ଓ ୪୭ ରନ୍‌ରେ ହାରିବାକୁ ପଡ଼ିଛି। ଇଂଲଣ୍ଡ ଆଗରେ ପାକିସ୍ତାନ ଏକପ୍ରକାରର ଆତ୍ମସମର୍ପଣ କରି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି। ପାକିସ୍ତାନ ମୁଲତାନ ଟେଷ୍ଟର ପ୍ରଥମ ଇନିଂସରେ ୫୫୬ ରନ କରିଥିଲା। କୌଣସି ଟିମ ୫୦୦ରୁ ଅଧିକ ରନ କରିବା ପରେ ଇନିଂସ ପରାଜୟ କେବେ ବରଣ କରି ନଥିଲା। ଅଧିନାୟକ ଶାନ ମସୁଦଙ୍କ ୧୫୧, […]

Samaya Live Picture
Published On

ମୁଲତାନ୍‌: ପୁଣି ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି ପାକିସ୍ତାନ। ପାକିସ୍ତାନକୁ ନିଜ ମାଟିରେ ଇଂଲଣ୍ଡ ଠାରୁ ଗୋଟିଏ ଇନିଂସ ଓ ୪୭ ରନ୍‌ରେ ହାରିବାକୁ ପଡ଼ିଛି। ଇଂଲଣ୍ଡ ଆଗରେ ପାକିସ୍ତାନ ଏକପ୍ରକାରର ଆତ୍ମସମର୍ପଣ କରି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି। ପାକିସ୍ତାନ ମୁଲତାନ ଟେଷ୍ଟର ପ୍ରଥମ ଇନିଂସରେ ୫୫୬ ରନ କରିଥିଲା। କୌଣସି ଟିମ ୫୦୦ରୁ ଅଧିକ ରନ କରିବା ପରେ ଇନିଂସ ପରାଜୟ କେବେ ବରଣ କରି ନଥିଲା। ଅଧିନାୟକ ଶାନ ମସୁଦଙ୍କ ୧୫୧, ଅବଦୁଲ୍ଲା ସୈଫିକ୍ୟୁଙ୍କ ୧୦୨ ଓ ଆଘା ସଲମାନଙ୍କ ଅପରାଜିତ ୧୦୪ ରନ ବଳରେ ପାକିସ୍ତାନ ତା’ର ପ୍ରଥମ ଇନିଂସରେ ଏତେ ବଡ଼ ସ୍କୋର କରିଥିଲା। ହେଲେ ବୋଲିଂରେ ପାକିସ୍ତାନ ଆଦୌ ପ୍ରଭାବ ଦେଖାଇ ପାରି ନଥିଲା। ହ୍ୟାରୀ ବ୍ରୁକଙ୍କ ରେକର୍ଡ ୩୧୭ ଓ ଜୋ ରୁଟଙ୍କ ୨୬୨ ରନ ବଳରେ ଇଂଲଣ୍ଡ ପ୍ରଥମ ଇନିଂସରେ ୭ ୱିକେଟ ହରାଇ ୮୨୩ ରନ କରିବା ପରେ ୪ର୍ଥ ଦିନ ଶେଷ ହେବାର କିଛି ସମୟ ପୂର୍ବରୁ ପାଳି ଘୋଷଣା କରିଥିଲା। ଏହା ଟେଷ୍ଟ କ୍ରିକେଟର ଚତୁର୍ଥ ସର୍ବୋଚ୍ଚ ଦଳଗତ ସ୍କୋର ହୋଇଥିବା ବେଳେ ବ୍ରୁକ ଓ ରୁଟ ୪ର୍ଥ ୱିକେଟ ପାଇଁ ୪୫୪ ରନ ଯୋଡ଼ିଥିଲେ। ଏହାପରେ ପାକିସ୍ତାନ ତା’ର ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଆଘା ସଲମାନ ୬୩ ଓ ଆମୀର ଜମାଲ ଅପରାଜିତ ୫୫ ରନ କରିଥିଲେ ହେଁ ପାକିସ୍ତାନ ୨୨୦ ରନରେ ଅଲଆଉଟ ହୋଇଯାଇଥିଲା।ଫଳରେ ଇଂଲଣ୍ଡ ଏହି ମ୍ୟାଚ୍‌ ଜିତି ୩ ଟିକିଆ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି। ପାକିସ୍ତାନ ଏହାକୁ ମିଶାଇ କ୍ରମାଗତ ୬ଟି ଟେଷ୍ଟ ମ୍ୟାଚ୍‌ ହାରିଛି। ଦ୍ୱିତୀୟ ଟେଷ୍ଟ ଅକ୍ଟୋବର ୧୫ ତାରିଖରୁ ମୁଲତାନରେ ଅନୁଷ୍ଠିତ ହେବ।

Tags: