ପାକିସ୍ତାନଠୁ ହାରି ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଲା ବାଂଲାଦେଶ

କୋଲ୍‌କାତା: ବାଂଲାଦେଶ ପ୍ରଥମ ଦଳ ଭାବେ ଚଳିତ ବିଶ୍ବକପ୍ର ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛି। କୋଲ୍‌କାତାର ଇଡେନ ଗାର୍ଡେନ୍ସରେ ହୋଇଥିବା ମୁକାବିଲାରେ ବାଂଲାଦେଶ ୭ ୱିକେଟ୍ରେ ପାକିସ୍ତାନଠୁ ହାରି ଯାଇଛି। ବାଂଲାଦେଶ ୨୦୫ ରନ୍ର ଲକ୍ଷ୍ୟ ରଖିଥିଲା ବେଳେ ବାବର ଆଜମଙ୍କ ଦଳ ଏହାକୁ ୩୨.୩ ଓଭରରେ ହାସଲ କରିଥିଲା। ଫଳରେ ବାଂଲାଦେଶ ୭ ମ୍ୟାଚ୍ରୁ ମାତ୍ର ଗୋଟିଏ ବିଜୟ ପାଇ ନବମ ସ୍ଥାନରେ ରହିଛି। ଆଗକୁ ୬ ତାରିଖରେ ଶ୍ରୀଲଙ୍କା ଏବଂ ୧୧ ତାରିଖରେ ଅଷ୍ଟ୍ରେଲିଆ […]

Samaya Live Picture
Published On

କୋଲ୍‌କାତା: ବାଂଲାଦେଶ ପ୍ରଥମ ଦଳ ଭାବେ ଚଳିତ ବିଶ୍ବକପ୍ର ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛି। କୋଲ୍‌କାତାର ଇଡେନ ଗାର୍ଡେନ୍ସରେ ହୋଇଥିବା ମୁକାବିଲାରେ ବାଂଲାଦେଶ ୭ ୱିକେଟ୍ରେ ପାକିସ୍ତାନଠୁ ହାରି ଯାଇଛି। ବାଂଲାଦେଶ ୨୦୫ ରନ୍ର ଲକ୍ଷ୍ୟ ରଖିଥିଲା ବେଳେ ବାବର ଆଜମଙ୍କ ଦଳ ଏହାକୁ ୩୨.୩ ଓଭରରେ ହାସଲ କରିଥିଲା। ଫଳରେ ବାଂଲାଦେଶ ୭ ମ୍ୟାଚ୍ରୁ ମାତ୍ର ଗୋଟିଏ ବିଜୟ ପାଇ ନବମ ସ୍ଥାନରେ ରହିଛି। ଆଗକୁ ୬ ତାରିଖରେ ଶ୍ରୀଲଙ୍କା ଏବଂ ୧୧ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଔପଚାରିକ ମ୍ୟାଚ୍ ଖେଳିବ। ଅନ୍ୟପକ୍ଷରେ ପାକିସ୍ତାନ ଏହି ମ୍ୟାଚ୍ ଜିତି ସେମିଫାଇନାଲ୍ ଆଶାକୁ ଉଜ୍ଜୀବିତ ରଖିଛି। ପାକିସ୍ତାନ ଏବେ ୬ ପଏଣ୍ଟ୍ ପାଇ ପଞ୍ଚମ ସ୍ଥାନକୁ ଉଠିଛି। ସେମିଫାଇନାଲ୍ରେ ପହଞ୍ଚିବାକୁ ହେଲେ ୪ ତାରିଖରେ ନ୍ୟୁଜିଲାଣ୍ଡ ଓ ୧୧ ତାରିଖରେ ଇଂଲଣ୍ଡକୁ ଉନ୍ନତ ରନ୍ରେଟ୍ରେ ହରାଇବା ଆବଶ୍ୟକ ରହିଛି।
ଇଡେନ ଗାର୍ଡେନ୍ସ ପିଚ୍ରେ ବାଂଲାଦେଶ ଟସ୍ ଜିତି ବ୍ୟାଟିଂ କରିଥିଲା। କିନ୍ତୁ ପ୍ରଥମ ଓଭରରୁ ତାଂଜିଦ ହାସନ ଖାତା ଖୋଲି ପାରି ନଥିଲା ବେଳେ ୨୩ ରନ୍ ମଧ୍ୟରେ ୩ ୱିକେଟ୍ର ପତନ ଘଟିଥିଲା। ଲିଟନ ଦାସ ଓ ମହମୁଦୁଲ୍ଲା ଦଳକୁ ଉଦ୍ଧାର କରିବା ସହ ଚତୁର୍ଥ ୱିକେଟ୍ରେ ୭୯ ରନ୍ ଭାଗୀଦାରି କରିଥିଲେ। ଦଳ ୧୦୦ ଅତିକ୍ରମ କରିବା ପରେ ଇଫତିକାର ଅହମଦଙ୍କୁ ଲିଟନ (୪୫) ବେପରୁଆ ସଟ୍ ଖେଳି ମିଡ୍ ୱିକେଟ୍ରେ ଆଘା ସଲମାନଙ୍କୁ କ୍ୟାଚ୍ ଦେଇଥିଲେ। ପଛକୁ ପଛ ମହମୁଦୁଲ୍ଲା (୫୬) ଓ ସମ୍ଭବତଃ ଶେଷ ଦିନିକିଆ ବିଶ୍ବକପ୍ ଖେଳୁଥିବା ସାକିବ ଅଲ୍ ହାସନ ୪୩ ରନ୍ କରି ଆଉଟ୍ ହୋଇଥିଲେ। ସାହିନ ଶାହ ଆଫ୍ରିଦି (୩/୨୩)ଙ୍କ ସହ ମହମ୍ମଦ ୱାସିମ୍ (୩/୩୧) ଓ ହାରିସ ରୌଫ (୨/୩୬) ବାଂଲାଦେଶର ବିପର୍ଯ୍ୟୟ ଘଟାଇଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ଆରମ୍ଭରୁ ଆଭିମୁଖ୍ୟ ସ୍ପଷ୍ଟ କରିଥିଲା। ୨୧ ଓଭର ପର୍ଯ୍ୟନ୍ତ ଅବଦୁଲ୍ଲା ସଫିକ୍ (୬୮) ଓ ଫକର ଜମାନ (୮୧) ବାଂଲା ବୋଲରଙ୍କୁ ଧୂଲେଇ କରିଥିଲେ। ମେହିଦି ହାସନ ମିରାଜ ଏହି ଯୋଡ଼ି ଭାଙ୍ଗିବା ପୂର୍ବରୁ ପ୍ରଥମ ୱିକେଟ୍ରେ ୧୨୮ ମହତ୍ବପୂର୍ଣ୍ଣ ରନ୍ ଯୋଡ଼ି ସାରିଥିଲେ। ଅଧିନାୟକ ବାବର ଆଜମ୍ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖି ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ। ଶତକ ଆଡ଼କୁ ଅଗ୍ରସର ହେଉଥିବା ଜମାନ (୮୧ ରନ୍, ୭୪ ବଲ୍, ୩ଚୌକା, ୭ଛକା)ଙ୍କୁ ମେହିଦି ତୃତୀୟ ଶିକାର କରିଥିଲେ ବି ସେତେବେଳକୁ ବହୁତ ଡ଼େରି ହୋଇଯାଇଥିଲା।

Tags: