ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ
ଧର୍ମଶାଳା: ଏକ ରୋମାଞ୍ଚକର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ୪ ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରାଇବା ସହ ପ୍ଲେ ଅଫ୍ ଦୌଡ଼ରୁ ବିଦା କରିଛି। ପଞ୍ଜାବ ପକ୍ଷରୁ ଧାର୍ଯ୍ୟ ୧୮୮ ରନ୍ର ଲକ୍ଷ୍ୟକୁ ରାଜସ୍ଥାନ ୨ ବଲ୍ ପୂର୍ବରୁ ହାସଲ କରିଥିଲା। ଯଶସ୍ବୀ ଜୟସ୍ବାଲ୍ ଓ ଦେବଦତ୍ତ ପଡ଼ିକଲ୍ ଦ୍ବିତୀୟ ୱିକେଟ୍ରେ ୮୪ ରନ୍ ଭାଗୀଦାରି କରି ମଜବୁତ ମୂଳଦୁଆ ପକାଇଥିଲେ। ଅର୍ଦ୍ଧଶତକ ଅର୍ଜନ କରିବା ପରେ ପଡ଼ିକଲ୍ (୫୧) ଆଉଟ୍ ହୋଇଥିଲେ। ସିମ୍ରନ ହେଟମାୟଙ୍କ ସହ […]
ଧର୍ମଶାଳା: ଏକ ରୋମାଞ୍ଚକର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ୪ ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରାଇବା ସହ ପ୍ଲେ ଅଫ୍ ଦୌଡ଼ରୁ ବିଦା କରିଛି। ପଞ୍ଜାବ ପକ୍ଷରୁ ଧାର୍ଯ୍ୟ ୧୮୮ ରନ୍ର ଲକ୍ଷ୍ୟକୁ ରାଜସ୍ଥାନ ୨ ବଲ୍ ପୂର୍ବରୁ ହାସଲ କରିଥିଲା। ଯଶସ୍ବୀ ଜୟସ୍ବାଲ୍ ଓ ଦେବଦତ୍ତ ପଡ଼ିକଲ୍ ଦ୍ବିତୀୟ ୱିକେଟ୍ରେ ୮୪ ରନ୍ ଭାଗୀଦାରି କରି ମଜବୁତ ମୂଳଦୁଆ ପକାଇଥିଲେ। ଅର୍ଦ୍ଧଶତକ ଅର୍ଜନ କରିବା ପରେ ପଡ଼ିକଲ୍ (୫୧) ଆଉଟ୍ ହୋଇଥିଲେ। ସିମ୍ରନ ହେଟମାୟଙ୍କ ସହ ମିଶି ଜୟସ୍ବାଲ୍ ଦ୍ରୁତ ଭାବେ ରନ୍ ସଂଗ୍ରହ କରିଥିଲେ। ଅର୍ଦ୍ଧଶତକ କରିବା ପରେ ଯଶସ୍ବୀ (୫୦) ମଧ୍ୟ ଆଉଟ୍ ହୋଇଥିଲେ। ହେଟମାୟର ଓ ରିୟାନ ପରାଗଙ୍କ ୩୨ ରନ୍ର ଭାଗୀଦାରି ଦଳକୁ ବିଜୟ ପାଖରେ ପହଞ୍ଚାଇଥିଲେ। ଶେଷ ଓଭରରେ ରାହୁଲ ଚହରଙ୍କୁ ଛକା ମାରି ପରାଗ ଦଳକୁ ବିଜୟୀ କରାଇଥିଲେ। ଏଥିସହ ରାଜସ୍ଥାନ ୧୪ ପଏଣ୍ଟ ପାଇ ଟେବୁଲ୍ର ପଞ୍ଚମ ସ୍ଥାନକୁ ଉଠିବା ସହ ପ୍ଲେ ଅଫ୍ ଆଶା ବଜାୟ ରଖିଛି। ଦଳର ସବୁ ଲିଗ୍ ମ୍ୟାଚ୍ ଶେଷ ହୋଇଥିଲେ ବି ନକ୍ଆଉଟ୍ରେ ଖେଳିବା ପାଇଁ ଏବେ ଅନ୍ୟ ଦଳଙ୍କ ଉପରେ ରାଜସ୍ଥାନକୁ ନିର୍ଭର କରିବାକୁ ହେବ। ଏଥିପୂର୍ବରୁ ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ ଆରମ୍ଭ କରି ପାୱାରପ୍ଲେ ମଧ୍ୟରେ ୩ ୱିକେଟ୍ ହରାଇଲା। ୫୦ ରନ୍ ମଧ୍ୟରେ ପ୍ରଭସିମ୍ରନ ସିଂହ (୨), ଅଥର୍ବ ତାଇଦେ (୧୯), ଶିଖର ଧାୱନ (୧୭) ଓ ଲିଆମ୍ ଲିଭିଂଷ୍ଟୋନ୍ (୯) ଙ୍କୁ ହରାଇ ଦଳ ବିପର୍ଯ୍ୟୟ ଭିତରକୁ ଚାଲିଯାଇଥିଲା। ହେଲେ ପଞ୍ଚମ ୱିକେଟ୍ରେ ସାମ୍ କରନ୍ ଓ ଜିତେଶ ଶର୍ମା ପାଳି ସମ୍ଭାଳିନେବା ସହ ୬୪ ରନ୍ର ଭାଗୀଦାରି ଗଢ଼ି ଦଳକୁ ଶହେ ପାର୍ କରାଇଥିଲେ। ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ଜିତେଶଙ୍କୁ ତୃତୀୟ ଶିକାର କରି ନବଦୀପ ସଇନି ରାଜସ୍ଥାନକୁ ବିଳମ୍ବିତ ସଫଳତା ଦେଇଥିଲେ। ଜିତେଶଙ୍କ ପରେ ଆସିଥିବା ଶାହରୁଖ ଖାନ୍ଙ୍କ ସହ ମିଶି କରନ୍ ଦ୍ରୁତ ରନ୍ ବାହାର କରିଥିଲେ। ପାଳି ଶେଷ ବେଳକୁ କରନ୍ ଅର୍ଦ୍ଧଶତକଠୁ ୧ ରନ୍ ଦୂରରେ ଥାଇ ଅପରାଜିତ ଥିଲା ବେଳେ ଶାହରୁଖ ୨୩ ବଲ୍ରୁ ୪୧* ରନ୍ କରି ଅପରାଜିତ ଥିଲେ। ଶେଷ ଦୁଇ ଓଭରରେ ୪୬ ରନ୍ ସଂଗ୍ରହ ହେବାରୁ ଦଳ ୧୮୭/୫ରେ ପହଞ୍ଚିଥିଲା।




