ନ୍ୟୁଜିଲାଣ୍ଡକୁ ୧୯୦ ରନରେ ହରାଇ ଶୀର୍ଷକୁ ଫେରିଲା ଦକ୍ଷିଣ ଆଫ୍ରିକା

ପୁଣେ: ଚଳିତ ବିଶ୍ବକପ୍ରେ କ୍ବିଣ୍ଟନ ଡି’କକ୍ଙ୍କ ଚତୁର୍ଥ ଓ ରାସି ଭାନ ଡର ଡସନଙ୍କ ଦ୍ବିତୀୟ ଶତକ ପରେ କେଶବ ମହାରାଜ ଓ ମାର୍କୋ ୟାନସେନ୍ଙ୍କ ଘାତକ ବୋଲିଂ ବଳରେ ଦକ୍ଷିଣ ଆଫ୍ରିକା ପୁଣି ଥରେ ଟେବୁଲ୍ ଶୀର୍ଷକୁ ଫେରି ସେମିଫାଇନାଲ୍ଠୁ ଆଉ ଗୋଟିଏ ବିଜୟ ଦୂରରେ ରହିଛି। ବୁଧବାର ପୁଣେର ମହାରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ଦକ୍ଷିଣ ଆଫ୍ରିକା ବିଜୟ ଧାରା ଜାରି ରଖି ଅନ୍ୟତମ ଟ୍ରଫି ଦାବିଦାର ନ୍ୟୁଜିଲାଣ୍ଡକୁ ୧୯୦ ରନ୍ରେ ପରାସ୍ତ କରିଛି। […]

Samaya Live Picture
Published On

ପୁଣେ: ଚଳିତ ବିଶ୍ବକପ୍ରେ କ୍ବିଣ୍ଟନ ଡି’କକ୍ଙ୍କ ଚତୁର୍ଥ ଓ ରାସି ଭାନ ଡର ଡସନଙ୍କ ଦ୍ବିତୀୟ ଶତକ ପରେ କେଶବ ମହାରାଜ ଓ ମାର୍କୋ ୟାନସେନ୍ଙ୍କ ଘାତକ ବୋଲିଂ ବଳରେ ଦକ୍ଷିଣ ଆଫ୍ରିକା ପୁଣି ଥରେ ଟେବୁଲ୍ ଶୀର୍ଷକୁ ଫେରି ସେମିଫାଇନାଲ୍ଠୁ ଆଉ ଗୋଟିଏ ବିଜୟ ଦୂରରେ ରହିଛି। ବୁଧବାର ପୁଣେର ମହାରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ଦକ୍ଷିଣ ଆଫ୍ରିକା ବିଜୟ ଧାରା ଜାରି ରଖି ଅନ୍ୟତମ ଟ୍ରଫି ଦାବିଦାର ନ୍ୟୁଜିଲାଣ୍ଡକୁ ୧୯୦ ରନ୍ରେ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିସ୍ଫୋରଣ ବଳରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ୩୫୮ ରନ୍ର ବିଶାଳ ଲକ୍ଷ୍ୟ ରଖିଥିଲା। ମାତ୍ର କିୱି ଦଳ ନିୟମିତ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୬୭ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଫଳରେ ନ୍ୟୁଜିଲାଣ୍ଡ କ୍ରମାଗତ ୩ୟ ପରାଜୟ ମୁଣ୍ଡାଇ ଚତୁର୍ଥ ସ୍ଥାନକୁ ଖସିଆସିଛି।
ସ୍ପିନ୍କୁ ସହାୟତା କରୁଥିବା ପିଚ୍ରେ ଟସ୍ ଜିତି ନ୍ୟୁଜିଲାଣ୍ଡ ବୋଲିଂ କରିଥିଲା। ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବଭୂମା ପୁଣି ଥରେ କମ୍ ରନ୍ କରି ନିରାଶ କରିଥିଲେ। ତାଙ୍କ ପରେ କ୍ବିଣ୍ଟନ ଡି’କକ୍ ଓ ରାସି ଭାନ ଡର ଡସନ ଦ୍ବିତୀୟ ୱିକେଟ୍ରେ ୨୦୦ ରନ୍ ଯୋଡ଼ି ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିରାଶ କରିଥିଲେ। ୧୦୩ ବଲ୍ରୁ ଡି’କକ୍ ଚଳିତ ବିଶ୍ବକପ୍ର ଚତୁର୍ଥ ଶତକ ଅର୍ଜନ କରିଥିଲେ। ୧୧୪ ରନ୍ (୧୧୬ ବଲ୍, ୧୦ ଚୌକା, ୩ ଛକା)ରେ ଆଉଟ୍ ହେବା ବେଳକୁ ସେ ଦକ୍ଷିଣ ଆଫ୍ରିକାର ମହାନ୍ ଖେଳାଳି ଜାକ୍ସ କାଲିସ୍ (୪୮୫ ରନ୍, ୨୦୦୭)ଙ୍କ ଗୋଟିଏ ବିଶ୍ବକପ୍ ସଂସ୍କରଣରେ ସର୍ବାଧିକ ରନ୍ କୀର୍ତ୍ତିମାନକୁ ଟପିଯାଇଥିଲେ। ଡି’କକ୍ଙ୍କ ବ୍ୟତୀତ ଡସନ୍ ମଧ୍ୟ ଚଳିତ ବିଶ୍ବକପ୍ରେ ଦ୍ବିତୀୟ ଶତକ (୧୩୩ ରନ୍, ୧୧୮ ବଲ୍, ୯ ଚୌକା, ୫ ଛକା) ଅର୍ଜନ କରିଥିଲେ। ୪୦ ଓଭର ପରେ ବ୍ୟାଟିଂ କରିବାକୁ ଆସିଥିବା ଡେଭିଡ୍ ମିଲର ମଧ୍ୟ ଆକ୍ରମଣାତ୍ମକ ଖେଳି ୨ଚୌକା ଓ ୪ ଛକା ସହାୟତାରେ ମାତ୍ର ୨୯ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ନ୍ୟୁଜିଲାଣ୍ଡ କିନ୍ତୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। କେବଳ ଗ୍ଲେନ୍ ଫିଲିପ୍ସ (୬୦), ୱିଲ ୟଙ୍ଗ (୩୩) ଓ ଡାରେଲ ମିଚେଲ (୨୪) ଦୁଇ ଅଙ୍କରେ ପହଞ୍ଚି ପାରିଥିଲେ। ମାର୍କୋ ୟାନସେନ୍ (୩/୩୧) ଓ କେଶବ ମହାରାଜ (୪/୪୬) ସଫଳ ବୋଲର ହେବା ସହ ନ୍ୟୁଜିଲାଣ୍ଡ ବ୍ୟାଟର୍ଙ୍କୁ ହାତ ଖୋଲି ଖେଳିବାକୁ ସୁଯୋଗ ଦେଇ ନଥିଲେ।

Tags: