ନେଦରଲାଣ୍ଡ୍‌ସକୁ ୩୦୯ ରେକର୍ଡ ରନ୍‌ରେ ହରାଇଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଡେଭିଡ୍‌ ୱାର୍ଣ୍ଣରଙ୍କ କ୍ରମାଗତ ଶତକ ସହ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ଦ୍ରୁତତମ ବିଶ୍ବକପ୍‌ ଶତକ ସହାୟତାରେ ଅଷ୍ଟ୍ରେଲିଆ ୩୦୯ ରନ୍‌ର ବୃହତ୍‌ ବ୍ୟବଧାନରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ୩୯୯/୮ ସ୍କୋର କରିଥିଲା ବେଳେ ନେଦରଲାଣ୍ଡ୍‌ସ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ୯୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ବିସ୍ଫୋରକ ପାଳି ଖେଳିଥିବା ମ୍ୟାକ୍ସୱେଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବ୍ୟାଟିଂ କରିଥିଲା। ମିଚେଲ ମାର୍ଶ (୯) ଆଉଟ୍‌ ହେବାପରେ ଦ୍ବିତୀୟ […]

Samaya Live Picture
Published On

ନୂଆଦିଲ୍ଲୀ: ଡେଭିଡ୍‌ ୱାର୍ଣ୍ଣରଙ୍କ କ୍ରମାଗତ ଶତକ ସହ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ଦ୍ରୁତତମ ବିଶ୍ବକପ୍‌ ଶତକ ସହାୟତାରେ ଅଷ୍ଟ୍ରେଲିଆ ୩୦୯ ରନ୍‌ର ବୃହତ୍‌ ବ୍ୟବଧାନରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ୩୯୯/୮ ସ୍କୋର କରିଥିଲା ବେଳେ ନେଦରଲାଣ୍ଡ୍‌ସ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ୯୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ବିସ୍ଫୋରକ ପାଳି ଖେଳିଥିବା ମ୍ୟାକ୍ସୱେଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବ୍ୟାଟିଂ କରିଥିଲା। ମିଚେଲ ମାର୍ଶ (୯) ଆଉଟ୍‌ ହେବାପରେ ଦ୍ବିତୀୟ ୱିକେଟ୍‌ରେ ଷ୍ଟିଭେନ୍‌ ସ୍ମିଥ୍‌ (୭୧)ଙ୍କ ସହ ୧୩୨ ଓ ତୃତୀୟ ୱିକେଟ୍‌ରେ ମାର୍ନସ ଲବୁସାନ (୬୨)ଙ୍କ ସହ ୮୪ ରନ୍‌ ଭାଗୀଦାରି ପରେ ଡେଭିଡ୍‌ ୱାର୍ଣ୍ଣର ଚଳିତ ବିଶ୍ବକପ୍‌ରେ ଲଗାତାର ଦ୍ବିତୀୟ ଶତକ (୧୦୪ ରନ୍‌, ୯୩ ବଲ୍, ୧୧ ଚୌକା, ୩ ଛକା) ଅର୍ଜନ କରିଥିଲେ। ଏହି ଶତକୀୟ ପାଳି ସହାୟତାରେ ବିଶ୍ବକପ୍‌ ଇତିହାସରେ ସର୍ବାଧିକ ଶତକ କରିବାରେ ସେ ସଚିନ ତେନ୍ଦୁଲକର (୬)ଙ୍କ ସମକକ୍ଷ ହୋଇଛନ୍ତି। ୩୯ତମ ଓଭରରେ ବ୍ୟାଟିଂ ଆସିଥିବା ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଚୌକା, ଛକା ବର୍ଷା କରି ଦ୍ରୁତ ରନ୍‌ ସଂଗ୍ରହ କରିଥିଲେ। ୪୦ ବଲ୍‌ରୁ ଶତକ କରିବା ପରେ ୧୦୬ ରନ୍‌ (୯ ଚୌକା, ୮ ଛକା) କରି ଆଉଟ୍‌ ହୋଇଥିଲେ। ‌ଏଥିସହିତ ଦିନିକିଆରେ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ଛକା ମାରିବାରେ ସେ ରିକି ପଣ୍ଟିଂ (୧୫୯) ଓ ଆଡ଼ାମ ଗିଲକ୍ରିଷ୍ଟ (୧୪୮)ଙ୍କ ପଛକୁ ତୃତୀୟ (୧୩୮)ରେ ରହିଲେ। ନେଦରଲାଣ୍ଡ୍‌ସର ଲୋଗାନ ଭାନ୍‌ ବିକ୍‌ ସବୁଠୁ ସଫଳ ବୋଲର (୪/୭୪) ରହିଥିଲେ। କିନ୍ତୁ ବାସ୍‌ ଡି’ଲିଡେ ପୂର୍ଣ୍ଣ କୋଟା ୧୦ ଓଭରରେ ୧୧୫ ରନ୍‌ ବ୍ୟୟ କରି ଦିନିକିଆରେ ସବୁଠୁ ମହଙ୍ଗା ବୋଲର ହେବାର ଅଲୋଡ଼ା କୀର୍ତ୍ତି ବହନ କରିଛନ୍ତି। ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ନେଦରଲାଣ୍ଡ୍‌ସ ଅଷ୍ଟ୍ରେଲିଆ ଆକ୍ରମଣକୁ ସାମ୍ନା କରିପାରି ନଥିଲା। ଦକ୍ଷିଣ ଆଫ୍ରିକା ବିପର୍ଯ୍ୟୟରେ ବଡ଼ ଭୂମିକା ନେଇଥିବା ଅଧିନାୟକ ସ୍କଟ ଏଡୱାର୍ଡ୍ସ (୧୨) ବିଫଳ ହେବାରୁ ଦଳ ୨୧ ଓଭରେ ସମସ୍ତ ୱିକେଟ୍‌ ହରାଇଥିଲା। ଆଡ଼ାମ ଜାମ୍ପା ୩ ଓଭରରେ ମାତ୍ର ୮ ରନ୍‌ ବ୍ୟୟ କରି ୪ ୱିକେଟ୍‌ ଅକ୍ତିଆର କରିବା ସହ ବିଜୟ ମୁଣ୍ଡି ମାରିଥିଲେ। ଏଥିସହିତ ଚଳିତ ବିଶ୍ବକପ୍‌ରେ ସେ ମୋଟ ୧୩ ୱିକେଟ୍‌ ନେଇ ସର୍ବାଧିକ ୱିକେଟ୍‌ ହାସଲକାରୀ ହୋଇଛନ୍ତି।

Tags: