ନୂଆ ରୂପରେ ଆସିବ ହକି ଇଣ୍ଡିଆ ଲିଗ୍; ପ୍ରଥମ ଥର ସାମିଲ ହେବ ମହିଳା ଦଳ
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍) ଏଥର ନୂଆ ରୂପରେ ଫେରିବାକୁ ଯାଉଛି। ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍) ଏଥି ପାଇଁ ୱିଣ୍ଡୋ ନିର୍ଧାରଣ କରିନଥିଲେ ମଧ୍ୟ ହକି ଇଣ୍ଡିଆ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପରେ କିମ୍ବା ୨୦୨୫ ପ୍ରାରମ୍ଭରୁ ଏହି ଲିଗ୍କୁ ପୁନଃ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଆର୍ଥିକ ପ୍ରସଙ୍ଗ ଏବଂ ଦଳୀୟ ମାଲିକଙ୍କ ଅସହଯୋଗ କାରଣରୁ ୨୦୧୭ ମସିହାରୁ ଏଚ୍ଆଇଏଲ୍ ବନ୍ଦ ରହିଛି। କିଂବଦନ୍ତି ଖେଳାଳି ଦିଲୀପ ତିର୍କି ହକି […]
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍) ଏଥର ନୂଆ ରୂପରେ ଫେରିବାକୁ ଯାଉଛି। ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍) ଏଥି ପାଇଁ ୱିଣ୍ଡୋ ନିର୍ଧାରଣ କରିନଥିଲେ ମଧ୍ୟ ହକି ଇଣ୍ଡିଆ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପରେ କିମ୍ବା ୨୦୨୫ ପ୍ରାରମ୍ଭରୁ ଏହି ଲିଗ୍କୁ ପୁନଃ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଆର୍ଥିକ ପ୍ରସଙ୍ଗ ଏବଂ ଦଳୀୟ ମାଲିକଙ୍କ ଅସହଯୋଗ କାରଣରୁ ୨୦୧୭ ମସିହାରୁ ଏଚ୍ଆଇଏଲ୍ ବନ୍ଦ ରହିଛି। କିଂବଦନ୍ତି ଖେଳାଳି ଦିଲୀପ ତିର୍କି ହକି ଇଣ୍ଡିଆ ସଭାପତି ହେବା ପରଠାରୁ ଏହି ଲିଗ୍କୁ ପୁନଃର୍ଜୀବିତ କରିବା ଲାଗି ପ୍ରଚେଷ୍ଟା କରି ଆସିଛନ୍ତି। ଏଚ୍ଆଇଏଲ୍ ମାଧ୍ୟମରେ ଯୁବ ଖେଳାଳିମାନଙ୍କୁ ଅନ୍ତର୍ଜାତୀୟ ସ୍ତରର ପ୍ଲାଟଫର୍ମ ଯୋଗାଇବାକୁ ତିର୍କି ଆଶା ରଖିଛନ୍ତି। ହକି ଇଣ୍ଡିଆର ଯୋଜନା ଅନୁସାରେ ଏଚ୍ଆଇଏଲ୍ର ନୂଆ ସଂସ୍କରଣରେ ପ୍ରଥମ ଥର ପାଇଁ ମହିଳା ବର୍ଗ ସାମିଲ ହେବ। ପୁରୁଷ ବିଭାଗରେ ୮ ଏବଂ ମହିଳା ବିଭାଗରେ ୪ ଦଳ ଅଂଶଗ୍ରହଣ କରିବେ। ବିଗ୍ ବ୍ୟାଙ୍ଗ୍ ମେଡିଆ ଭେଞ୍ଚର୍ସ ଏହାର ବ୍ୟାବସାୟିକ ଓ ବିପଣନ ଅଂଶୀଦାର ଭାବେ କାର୍ଯ୍ୟ କରିବ। ଏ ଦିଗରେ ସମସ୍ତ ଔପଚାରିକତା ଶେଷ ହୋଇଛି ଏବଂ ଅନ୍ୟ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ହେଉଛି। ଜୁଲାଇ ୫ ତାରିଖରେ ସମସ୍ତ ସମ୍ପୃକ୍ତ ସଂସ୍ଥାକୁ ନେଇ ଏକ ବୈଠକ ମଧ୍ୟ ବସୁଥିବା ଜଣାପଡ଼ିଛି। ୨୦୧୩ରେ ୬ ଦଳକୁ ନେଇ ଆରମ୍ଭ ହୋଇଥିବା ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍)ର ଶେଷ ସଂସ୍କରଣ ୨୦୧୭ରେ କଳିଙ୍ଗ ଲାନସର୍ସ ଚାମ୍ପିଅନ୍ ହୋଇଥିଲା। ପୂର୍ବ ସଂସ୍କରଣ ଗୁଡିକରେ ରାଞ୍ଚି ରାଇନୋସ୍, ଦିଲ୍ଲୀ ୱେଭରାଇଡର୍ସ, ରାଞ୍ଚି ରେଜ୍, ପଞ୍ଜାବ ୱାରିୟର୍ସ ଚାମ୍ପିଅନ୍ ହୋଇଥିଲେ।




