ନୀରଜ, ମନୁଙ୍କ ସହ ବିଶ୍ବ ଦୌଡ଼କୁଦ ଚାମ୍ପିଅନସିପ୍ ଫାଇନାଲରେ କିଶୋର
ବୁଡାପେଷ୍ଟ: ଓଡ଼ିଆ ଜାଭଲିନ୍ ଫିଙ୍ଗାଳି କିଶୋର କୁମାର ଜେନା ବିଶ୍ବ ଦୌଡ଼କୁଦ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ କରି ନୂଆ ଇତିହାସ ରଚିଛନ୍ତି। କିଶୋରଙ୍କ ସହିତ ଅନ୍ୟ ଦୁଇ ଭାରତୀୟ ଅଲମ୍ପିକ୍ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା ଓ ଡିପି ମନୁ ମଧ୍ୟ ଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି। ଗୋଟିଏ ଇଭେଣ୍ଟରେ ୩ ଜଣ ବିଶ୍ବ ପ୍ରତିଯୋଗିତା ଫାଇନାଲ୍ ଖେଳିବାକୁ ଯାଉଥିବାରୁ ଭାରତୀୟ କ୍ରୀଡ଼ା ଦୁନିଆକୁ ଆଉ ଏକ ବିରଳ ମୁହୂର୍ତ୍ତ ମିଳିଛି। ନୀରଜ କେବଳ ଫାଇନାଲ୍ରେ ପହଞ୍ଚିନାହାନ୍ତି […]
ବୁଡାପେଷ୍ଟ: ଓଡ଼ିଆ ଜାଭଲିନ୍ ଫିଙ୍ଗାଳି କିଶୋର କୁମାର ଜେନା ବିଶ୍ବ ଦୌଡ଼କୁଦ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ କରି ନୂଆ ଇତିହାସ ରଚିଛନ୍ତି। କିଶୋରଙ୍କ ସହିତ ଅନ୍ୟ ଦୁଇ ଭାରତୀୟ ଅଲମ୍ପିକ୍ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା ଓ ଡିପି ମନୁ ମଧ୍ୟ ଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି। ଗୋଟିଏ ଇଭେଣ୍ଟରେ ୩ ଜଣ ବିଶ୍ବ ପ୍ରତିଯୋଗିତା ଫାଇନାଲ୍ ଖେଳିବାକୁ ଯାଉଥିବାରୁ ଭାରତୀୟ କ୍ରୀଡ଼ା ଦୁନିଆକୁ ଆଉ ଏକ ବିରଳ ମୁହୂର୍ତ୍ତ ମିଳିଛି। ନୀରଜ କେବଳ ଫାଇନାଲ୍ରେ ପହଞ୍ଚିନାହାନ୍ତି ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ ଯୋଗ୍ୟତା ମଧ୍ୟ ଅର୍ଜନ କରିଛନ୍ତି। ଅଲିମ୍ପିକ୍ ଯୋଗ୍ୟତା ପାଇଁ ୮୫.୫୦ ମିଟର କୁ ଯୋଗ୍ୟତା ମାପଦଣ୍ଡ ରଖାଯାଇଥିଲା ବେଳେ ନୀରଜ ବୁଡାପେଷ୍ଟରେ ୮୮.୭୭ ମିଟର ସହ ଏହି ଯୋଗ୍ୟତା ହାସଲ କରିଛନ୍ତି। ରବିବାର ଏହି ଇଭେଣ୍ଟର ଫାଇନାଲ୍ ଅନୁଷ୍ଠିତ ହେବ।
ଯୋଗ୍ୟତା ପର୍ଯ୍ୟାୟରେ ଗ୍ରୁପ୍ ବି’ ରେ ପ୍ରଥମ ପ୍ରୟାସରେ କିଶୋର ୮୦.୫୫ ମିଟର ଫିଙ୍ଗିଥିଲା ବେଳେ ଦ୍ବିତୀୟ ପ୍ରୟାସରେ ୭୮.୦୭ ମିଟର ଫିଙ୍ଗି ପାରିଥିଲେ। ତୃତୀୟ ପ୍ରୟାସରେ କିଶୋର ପୁଣି ଖରାପ ପ୍ରଦର୍ଶନ କରି ୭୭.୧୨ ମିଟର ଜାଭଲିନ୍ ଫିଙ୍ଗିଥିଲେ। ତଥାପି ପ୍ରଥମ ପ୍ରୟାସରେ ସେ ହାସଲ କରିଥିବା ୮୦.୫୫ ମିଟର ପାଇଁ ଗ୍ରୁପ୍ରେ ପଞ୍ଚମ ସ୍ଥାନରେ ରହିବା ସହ ଫାଇନାଲ୍ ଟିକେଟ୍ ପାଇଥିଲେ। ଏଥି ପୂର୍ବରୁ ଗ୍ରୁପ୍ ଏ’ରେ ନୀରଜ ୮୮.୭୭ ମିଟରରେ ପହଞ୍ଚି ଫାଇନାଲ୍ ସହିତ ଅଲିମ୍ପିକ ଯୋଗ୍ୟତା ପାଇଥିଲେ। ଅନ୍ୟତମ ଭାରତୀୟ ଡିପି ମନୁ ପ୍ରଥମ ପ୍ରୟାସରେ ୭୮.୧୦ ମିଟର, ଦ୍ବିତୀୟ ପ୍ରୟାସରେ ୮୧.୩୧ ମିଟର ଜାଭଲିନ୍ ଫିଙ୍ଗି ଏହି ଗ୍ରୁପ୍ର ତୃତୀୟ ସ୍ଥାନରେ ରହି ଫାଇନାଲ୍ ଯୋଗ୍ୟତା ପାଇଥିଲେ।




