ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ହରାଇଲା ଭାରତ

କୋଲକାତା: ବିରାଟ କୋହଲିଙ୍କ ଜନ୍ମଦିନର ଶତକ ସହ ରବୀନ୍ଦ୍ର ଜାଡ଼େଜାଙ୍କ ୫ ୱିକେଟ୍ ସଫଳତା ବଳରେ ଭାରତ ଚଳିତ ବିଶ୍ବକପ୍ରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ଏକତରଫା ଭାବେ ୨୪୩ ରନ୍ରେ ପରାସ୍ତ କରିଥିଲା। କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୨୬ ରନ୍ ସଂଗ୍ରହ କରିଥିଲା। ହେଲେ ଭାରତୀୟ ବୋଲରଙ୍କୁ ସାମ୍ନା କରିବାରେ ଦକ୍ଷିଣ ଆଫ୍ରିକା ବଫଳ ହେବା ସହ ଦିନିକିଆ କ୍ରିକେଟ୍ରେ ତାହାର ସର୍ବନିମ୍ନ ସ୍କୋର (୮୩) କରି ଅଲଆଉଟ୍ […]

Samaya Live Picture
Published On

କୋଲକାତା: ବିରାଟ କୋହଲିଙ୍କ ଜନ୍ମଦିନର ଶତକ ସହ ରବୀନ୍ଦ୍ର ଜାଡ଼େଜାଙ୍କ ୫ ୱିକେଟ୍ ସଫଳତା ବଳରେ ଭାରତ ଚଳିତ ବିଶ୍ବକପ୍ରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ଏକତରଫା ଭାବେ ୨୪୩ ରନ୍ରେ ପରାସ୍ତ କରିଥିଲା। କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୨୬ ରନ୍ ସଂଗ୍ରହ କରିଥିଲା। ହେଲେ ଭାରତୀୟ ବୋଲରଙ୍କୁ ସାମ୍ନା କରିବାରେ ଦକ୍ଷିଣ ଆଫ୍ରିକା ବଫଳ ହେବା ସହ ଦିନିକିଆ କ୍ରିକେଟ୍ରେ ତାହାର ସର୍ବନିମ୍ନ ସ୍କୋର (୮୩) କରି ଅଲଆଉଟ୍ ହୋଇଥିଲା। ଏହି ବିଜୟ ଫଳରେ ଭାରତ ଚଳିତ ସଂସ୍କରଣରେ ଲଗାତାର ୮ ମ୍ୟାଚ୍ରେ ବିଜୟ ଲାଭ କରି ଆଉ ଏକ ରେକର୍ଡ କରିଛି। ଅପରାଜିତ ଶତକ ପାଇଁ ବିରାଟ କୋହଲିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଛି।
ଟସ୍ ଜିତି ବ୍ୟାଟିଂ କରିଥିବା ଭାରତ ପାଇଁ ଅଧିନାୟକ ରୋହିତ ଶର୍ମା (୪୦) ଓ ଶୁବମନ ଗିଲ୍ (୨୩) ଜବରଦସ୍ତ ବ୍ୟାଟିଂ କରିଥିଲେ। ଆରମ୍ଭରୁ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଧୂଲେଇ କରି ପ୍ରଥମ ୱିକେଟ୍ରେ ୬ ଓଭରରୁ ୬୨ ରନ୍ ସଂଗ୍ରହ କରିଥିଲେ। ଉଭୟଙ୍କ ୱିକେଟ୍ ଯିବା ପରେ ବିରାଟ କୋହଲି ଓ ଶ୍ରେୟସ ଆୟର ଭାରତୀୟ ସ୍କୋରକୁ ଗତି ପ୍ରଦାନ କରିଥିଲେ। ରକ୍ଷଣାତ୍ମକ ଖେଳିବା ସହ ରନ୍ରେଟ୍କୁ ଖସିବାକୁ ଦେଇନଥିଲେ ଏହି ଦୁଇ ଦିଲ୍ଲୀ ବ୍ୟାଟର। ତୃତୀୟ ୱିକେଟ୍ରେ ମହତ୍ବପୂର୍ଣ୍ଣ ୧୩୪ ରନ୍ ଯୋଡ଼ିବା ପରେ ଶ୍ରେୟସ ଶତକଠୁ ୨୩ ରନ୍ ଦୂରରେ ଥାଇ ପାଭିଲିଅନ୍ ଫେରିଥିଲେ। ରବୀନ୍ଦ୍ର ଜାଡ଼େଜା ସ୍ଲଗ୍ ଓଭରରୁ ଦ୍ରୁତ ରନ୍ ବାହାର କରିବା ମଧ୍ୟରେ କୋହଲି ଆନ୍ତର୍ଜାତିକ ଦିନିକିଆର ୪୯ତମ ଶତକ (୧୦୧ ରନ୍, ୧୨୧ ବଲ୍, ୧୦ ଚୌକା) ଅର୍ଜନ କରିଥିଲେ। ଯାହାଫଳରେ ସେ ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଥିଲେ।
ବଡ଼ ଲକ୍ଷ୍ୟକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକା ପାଇଁ ଭାଗ୍ୟ ସହାୟ ହୋଇନଥିଲା। ମହମ୍ମଦ ସିରାଜ ଦ୍ବିତୀୟ ଓଭରରୁ କ୍ବିଣ୍ଟନ ଡିକକ୍ଙ୍କୁ ଆଉଟ୍ କରି ୱିକେଟ୍ ଧାରା ଆରମ୍ଭ କରିଥିଲେ। ଖୁବ୍ ଶୀଘ୍ର ରବୀନ୍ଦ୍ର ଜାଡ଼େଜା ଓ ମହମ୍ମଦ ସାମି ମଧ୍ୟ ଏହି ପାର୍ଟିରେ ସାମିଲ ହୋଇଥିଲେ। ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଶେଷରେ ଦକ୍ଷିଣ ଆଫ୍ରିକା ୨୭.୧ ଓଭରରେ ମାତ୍ର ୮୩ ରନ୍ ସଂଗ୍ରହ କରି ଅଲଆଉଟ୍ ହୋଇଥିଲା। ତେମ୍ବା ବଭୂମା (୧୧), ହେନରିକ କ୍ଲାସେନ୍ (୧), ଡେଭିଡ୍ ମିଲର (୧୧), କେଶବ ମହାରାଜ (୭) ଓ କାଗିସୋ ରବାଡା (୬)ଙ୍କୁ ଜାଡ଼େଜା ଆଉଟ୍ କରି ଦିନିକିଆ କ୍ରିକେଟ୍ରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ (୫/୩୩) ଦେଇଥିଲେ। ମହମ୍ମଦ ସାମି, କୁଲଦୀପ ଯାଦବ ୨ ୱିକେଟ୍ ଲେଖାଏଁ ଓ ମହମ୍ମଦ ସିରାଜ ୧ ୱିକେଟ୍ ନେଇଥିଲେ।

Tags: