ଦକ୍ଷିଣ ଆଫ୍ରିକାକୁ ହରାଇ ବିପର୍ଯ୍ୟୟ କଲା ନେଦରଲାଣ୍ଡ୍ସ
ଧର୍ମଶାଳା: ଚଳିତ ବିଶ୍ବକପ୍ରେ ଗୋଟିଏ ଦିନ ବ୍ୟବଧାନ ପରେ ପୁଣି ଏକ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଯୋଗ୍ୟତା ପର୍ଯ୍ୟାୟରୁ ମୁଖ୍ୟ ପର୍ଯ୍ୟାୟକୁ ଆସିଥିବା ନେଦରଲାଣ୍ଡ୍ସ ୩୮ ରନ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ନେଦରଲାଣ୍ଡ୍ସ ୪୩ ଓଭରରେ ୨୪୫/୮ ସ୍କୋର କରିଥିଲା। ଏହାକୁ ପିଛା କରି ଦକ୍ଷିଣ ଆଫ୍ରିକା ଗୋଟିଏ ବଲ୍ ପୂର୍ବରୁ ୨୦୭ ରନ୍ରେ ଅଲଆଉଟ୍ ହୋଇଥିଲା। ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ମଧ୍ୟ ନେଦରଲାଣ୍ଡ୍ସଠୁ ଦକ୍ଷିଣ ଆଫ୍ରିକା ହାରିଥିଲା। ସେହିଭଳି ଏକ […]
ଧର୍ମଶାଳା: ଚଳିତ ବିଶ୍ବକପ୍ରେ ଗୋଟିଏ ଦିନ ବ୍ୟବଧାନ ପରେ ପୁଣି ଏକ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଯୋଗ୍ୟତା ପର୍ଯ୍ୟାୟରୁ ମୁଖ୍ୟ ପର୍ଯ୍ୟାୟକୁ ଆସିଥିବା ନେଦରଲାଣ୍ଡ୍ସ ୩୮ ରନ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ନେଦରଲାଣ୍ଡ୍ସ ୪୩ ଓଭରରେ ୨୪୫/୮ ସ୍କୋର କରିଥିଲା। ଏହାକୁ ପିଛା କରି ଦକ୍ଷିଣ ଆଫ୍ରିକା ଗୋଟିଏ ବଲ୍ ପୂର୍ବରୁ ୨୦୭ ରନ୍ରେ ଅଲଆଉଟ୍ ହୋଇଥିଲା। ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ମଧ୍ୟ ନେଦରଲାଣ୍ଡ୍ସଠୁ ଦକ୍ଷିଣ ଆଫ୍ରିକା ହାରିଥିଲା। ସେହିଭଳି ଏକ ଅଣ ଟେଷ୍ଟ୍ ଦଳଠାରୁ ଦିନିକିଆ ବିଶ୍ବକପ୍ରେ ହରିବାରେ ଦକ୍ଷିଣ ଆଫ୍ରିକା ପ୍ରଥମ ଦେଶ ହୋଇଛି। ପୂର୍ବରୁ ରବିବାର ଆଫଗାନିସ୍ତାନ ଚଳିତ ସଂସ୍କରଣର ପ୍ରଥମ ବିପର୍ଯ୍ୟୟ ଘଟାଇ ଗତ ଥରର ବିଜେତା ଇଂଲଣ୍ଡକୁ ୬୯ ରନ୍ରେ ପରାସ୍ତ କରିଥିଲା।
ଏଚ୍ପିସିଏ ଷ୍ଟାଡିୟମ୍ରେ ମଙ୍ଗଳବାର ବର୍ଷା ଯୋଗୁଁ ବିଳମ୍ବରେ ମ୍ୟାଚ୍ ଆରମ୍ଭ ହୋଇଥିଲା। ଫଳରେ ଏହାକୁ ୪୩ ଓଭର ବିଶିଷ୍ଟ କରାଯାଇଥିଲା। ଦକ୍ଷିଣ ଆଫ୍ରିକା ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା ବେଳେ ବୋଲରମାନେେ ମଧ୍ୟ ନିଷ୍ପତ୍ତିକୁ ଯଥାର୍ଥ ପ୍ରମାଣିତ କରିଥିଲେ। ୨୦ ଓଭର ମଧ୍ୟରେ ଅଧା ୱିକେଟ୍ ଝଡ଼ାଇ ଦେଇଥିଲେ ଦକ୍ଷିଣ ଆଫ୍ରିକା ବୋଲର। ଏକଦା ୧୪୦/୭ରେ ସଂଘର୍ଷ କରିଥିବା ଏହି ଦଳକୁ ଅଧିନାୟକ ସ୍କଟ ଏଡୱାର୍ଡ୍ସ ଉଦ୍ଧାର କରିବା ସହ ଏକାକୀ ଗୋଟିଏ ପଟରୁ ରନ୍ ଗତି ବଢ଼ାଉଥିଲେ। ଶେଷ ପର୍ଯ୍ୟନ୍ତ ରହି ଏଡୱାର୍ଡ୍ସ ୭୮* ରନ୍ (୬୯ ବଲ୍, ୧୦ ଚୌକା, ୧ ଛକା) କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ମଧ୍ୟ ନିମୟିତ ଭାବେ ୱିକେଟ୍ ହରାଇଥିଲା। କ୍ବିଣ୍ଟନ ଡି’କକ୍ (୨୦) ଓ ତେମ୍ବା ବଭୂମା (୧୬) ରକ୍ଷଣାତ୍ମକ ଖେଳୁଥିଲେ ମଧ୍ୟ ଅକରମନ ଓ ମରୱି ଉଭୟଙ୍କୁ ଆଉଟ୍ କରିବା ପରେ ମଧ୍ୟକ୍ରମ ଦୋହଲି ଯାଇଥିଲା। ହେନରିକ କ୍ଲାସେଁ (୨୮) ଓ ଡେଭିଡ୍ ମିଲର (୪୩) ଯଦିଓ କିଛି ସମୟ ଲଢ଼ିଥିଲେ। ନିୟମିତ ୱିକେଟ୍ ପତନ କାରଣରୁ ଦଳ ଶେଷରେ ଆତ୍ମସମର୍ପଣ କରିଥିଲା। ଏଥି ସହିତ ବିଶ୍ବକପ୍ରେ ଦକ୍ଷିଣ ଆଫ୍ରିକାକୁ ନେଦରଲାଣ୍ଡ୍ସ ପୁଣି ହରାଇଛି।




