ତୃତୀୟ ମ୍ୟାଚ୍ ଟାଇ, ମହିଳା ଦିନିକିଆ ଟ୍ରଫି ବାଣ୍ଟିଲେ ଭାରତ-ବାଂଲାଦେଶ
ଢାକା: ସ୍ଥାନୀୟ ସେର୍-ଇ-ବାଂଲା ଷ୍ଟାଡିୟମ୍ରେ ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମହିଳା ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍ ଟାଇରେ ଶେଷ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ୨୨୫/୪ କରିଥିଲା। ଜବାବରେ ଭାରତ ୪୯.୩ ଓଭରରେ ୨୨୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଫଳରେ ଏହି ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ୧-୧ ବରାବର ସ୍ଥିତିରେ ଶେଷ ହେବାରୁ ଉଭୟ ଦଳ ଟ୍ରଫି ବାଣ୍ଟିଛନ୍ତି। ପୂର୍ବରୁ ପ୍ରଥମ ମ୍ୟାଚ୍ ବାଂଲାଦେଶ ଜିତିଥିଲା ବେଳେ ଦ୍ବିତୀୟକୁ ଭାରତ ଜିତି […]
ଢାକା: ସ୍ଥାନୀୟ ସେର୍-ଇ-ବାଂଲା ଷ୍ଟାଡିୟମ୍ରେ ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମହିଳା ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍ ଟାଇରେ ଶେଷ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ୨୨୫/୪ କରିଥିଲା। ଜବାବରେ ଭାରତ ୪୯.୩ ଓଭରରେ ୨୨୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଫଳରେ ଏହି ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ୧-୧ ବରାବର ସ୍ଥିତିରେ ଶେଷ ହେବାରୁ ଉଭୟ ଦଳ ଟ୍ରଫି ବାଣ୍ଟିଛନ୍ତି। ପୂର୍ବରୁ ପ୍ରଥମ ମ୍ୟାଚ୍ ବାଂଲାଦେଶ ଜିତିଥିଲା ବେଳେ ଦ୍ବିତୀୟକୁ ଭାରତ ଜିତି ଶୃଙ୍ଖଳାକୁ ସମାନ ସ୍ଥିତିରେ ରଖିଥିଲା। ହର୍ଲିନ ଦେଓଲ ମ୍ୟାଚ୍ ଏବଂ ଫର୍ଗାନା ହକ୍ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ରବିବାର ଓପନର୍ ଫର୍ଗାନା ହକ୍ ନିଜର ପ୍ରଥମ ଶତକ ଅର୍ଜନ କରିବା ସହ ବାଂଲାଦେଶର ମଙ୍ଗ ସମ୍ଭାଳିଥିଲେ। ଫର୍ଗାନା ଓ ଶମିମା ସୁଲତାନ (୫୨ ରନ୍) ପ୍ରଥମ ୱିକେଟ୍ରେ ୯୨ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଏହାପରେ ଫର୍ଗାନା ଅଧିନାୟିକା ନିଗାର ସୁଲତାନା (୨୪) ଓ ସୋଭନା ମୋସ୍ତାରି (୨୩*)ଙ୍କ ସହ ଦୁଇଟି ଅର୍ଦ୍ଧଶତକୀୟ ଭାଗୀଦାରି ଗଢ଼ି ଦଳକୁ ୨୨୫/୪ ରନ୍ରେ ପହଞ୍ଚାଇଥିଲେ। ହେଲେ ଶେଷ ବଲ୍ରେ ସେ (୧୦୭) ଶେଫାଳି ବର୍ମାଙ୍କ ଦ୍ବାରା ରନ୍ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ସ୍ନେହା ରାଣା ୨ ଓ ଦେବୀକା ବୈଦ୍ୟ ଗୋଟିଏ ୱିକେଟ୍ ନେଇଥିଲେ। ଜବାବରେ ଭାରତ ୩୨ ରନ୍ରେ ପ୍ରଥମ ଦୁଇ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ତୃତୀୟ ୱିକେଟ୍ରେ ସ୍ମୃତି ମନ୍ଧାନା ଓ ହର୍ଲିନ ଦେଓଲ ୧୦୭ ରନ୍ର ଭାଗୀଦାରି ଗଢ଼ି ଦଳକୁ ଉଦ୍ଧାର କରିଥିଲେ। ମନ୍ଧାନା (୫୯) ନିଜର ଅର୍ଦ୍ଧଶତକ ପୂରଣ ପରେ ପରେ ଆଉଟ୍ ହୋଇଥିଲେ। ୪୨ ଓଭରରେ ଦଳୀୟ ସ୍କୋର୍ ୧୯୨/୬ ଥିଲା ବେଳେ ହର୍ଲିନ (୭୭) ରନ୍ ଆଉଟ୍ ହୋଇଯାଇଥିଲେ। ଏକଦା ଶେଷ ୫ ଓଭରରେ ଭାରତକୁ ୧୪ ରନ୍ ଆବଶ୍ୟକ ଥିଲା ବେଳେ ହାତରେ ୪ ୱିକେଟ୍ ଥିଲା। କିନ୍ତୁ ବାଂଲାଦେଶୀ ବୋଲର ୪.୩ ଓଭରରେ ୧୩ ରନ୍ରେ ଭାରତର ୪ଟି ଯାକ ୱିକେଟ୍ ଝାଡ଼ି ମ୍ୟାଚ୍ ଟାଇ କରିଦେଇଥିଲେ। ଜେମିମା ରଡ୍ରିଗୁଏଜ (୩୩*) ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ମାରୁଫା ଅକ୍ତର ୨ ଓ ନାହିଦା ଅକ୍ତର ୩ ୱିକେଟ୍ ନେଇଥିଲେ।




