ତୃତୀୟ ଟ୍ବେଣ୍ଟି-୨୦ରେ ୱେଷ୍ଟଇଣ୍ଡିଜ୍କୁ ହରାଇଲା ଭାରତ
ଗାଏନା: କ୍ରମାଗତ ପରାଜୟ ପରେ ତୃତୀୟ ଟ୍ବେଣ୍ଟି-୨୦ରେ ଭାରତ ୭ ୱିକେଟ୍ରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଛି। କୁଲଦୀପଙ୍କ ୩ ୱିକେଟ୍ ସଫଳତା ପରେ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଏବଂ ତିଳକ ବର୍ମାଙ୍କ ୪୯* ରନ୍ ବଳରେ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ସହଜ ବିଜୟ ହାସଲ କରିଛି। ୱେଷ୍ଟଇଣ୍ଡିଜ୍ ୧୫୯ ରନ୍ କରିଥିବାବେଳେ ଭାରତ ୧୩ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଏଥି ସହିତ ୫ ମ୍ୟାଚ୍ ଶୃଙ୍ଖଳାରେ ଆଗୁଆ ପରାଜୟ ବିପଦକୁ ଟାଳି ଦେଇଛି ଭ୍ରମଣକାରୀ […]
ଗାଏନା: କ୍ରମାଗତ ପରାଜୟ ପରେ ତୃତୀୟ ଟ୍ବେଣ୍ଟି-୨୦ରେ ଭାରତ ୭ ୱିକେଟ୍ରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଛି। କୁଲଦୀପଙ୍କ ୩ ୱିକେଟ୍ ସଫଳତା ପରେ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଏବଂ ତିଳକ ବର୍ମାଙ୍କ ୪୯* ରନ୍ ବଳରେ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ସହଜ ବିଜୟ ହାସଲ କରିଛି। ୱେଷ୍ଟଇଣ୍ଡିଜ୍ ୧୫୯ ରନ୍ କରିଥିବାବେଳେ ଭାରତ ୧୩ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଏଥି ସହିତ ୫ ମ୍ୟାଚ୍ ଶୃଙ୍ଖଳାରେ ଆଗୁଆ ପରାଜୟ ବିପଦକୁ ଟାଳି ଦେଇଛି ଭ୍ରମଣକାରୀ ଦଳ। ଘରୋଇ ଦଳ ଏବେ ୨-୧ରେ ଆଗୁଆ ରହିଛି। ଅନ୍ତିମ ଦୁଇ ଟ୍ବେଣ୍ଟି-୨୦ ଆମେରିକାର ଲୌଡରହିଲ୍ରେ ଅଗଷ୍ଟ ୧୨ ଓ ୧୩ ତାରିଖରେ ଖେଳାଯିବ।
ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ବ୍ରାଣ୍ଡନ୍ କିଙ୍ଗ୍ ଓ କାଇଲ୍ ମାୟର୍ସ ପ୍ରଥମ ୱିକେଟ୍ ପାଇଁ ୫୫ ରନ୍ ସଂଗ୍ରହ କରିଥିଲେ ମଧ୍ୟ ଏଥି ପାଇଁ ୭.୪ ଓଭର ଖେଳିଥିଲେ। ପ୍ରଥମ ମାୟର୍ସଙ୍କୁ ଆଉଟ୍ କରି ଅକ୍ଷର ପଟେଲ୍ ପ୍ରାରମ୍ଭିକ ଯୋଡ଼ିକୁ ଅଲଗା କରିଥିଲେ। ଏହା ପରେ ବ୍ରାଣ୍ଡନ୍ କିଙ୍ଗ୍, ଜନ୍ସନ୍ ଚାର୍ଲସ, ନିକୋଲାସ ପୂରନଙ୍କୁ ଆଉଟ୍ କରି କୁଲଦୀପ ୩ ୱିକେଟ୍ ନେବା ସହ ଘରୋଇ ଦଳକୁ ବଡ଼ ସ୍କୋର୍ ଦିଗରେ ଅଗ୍ରସରରୁ ରୋକିଥିଲେ। ଅଧିନାୟକ ରୋଭମାନ ପାୱେଲ ତିନୋଟି ଦର୍ଶନୀୟ ଛକା ସହିତ ୧୯ ବଲ୍ରୁ ୪୦* ରନ୍ କରିବାରୁ ୱେଷ୍ଟଇଣ୍ଡିଜ୍ ୧୫୯ ରନ୍ର ଲଢ଼ୁଆ ସ୍କୋର୍ କରିଥିଲା। ଅକ୍ଷର ପଟେଲ୍ ଓ ମୁକେଶ କୁମାର ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ଭାରତ ଏହାାର ପ୍ରାରମ୍ଭିକ ଯୋଡ଼ିଙ୍କୁ ପଞ୍ଚମ ଓଭର ଭିତରେ ହରାଇ ୩୪/୨ରେ ସଂଘର୍ଷ କରିଥିଲା। ଏହି ସମୟରେ କିନ୍ତୁ ମୁମ୍ବାଇ ଯୋଡ଼ି ସୂର୍ଯ୍ୟକୁମାର ଯାଦବ ଏବଂ ତିଳକ ବର୍ମା ପ୍ରତି ଆକ୍ରମଣଭରା ପାଳି ଖେଳି ଭାରତକୁ ୧୦.୩ ଓଭରରେ ୧୦୦ ରନ୍ ଅତିକ୍ରମ କରାଇ ଦେଇଥିଲେ। ସୂର୍ଯ୍ୟକୁମାର ତାଙ୍କ ସ୍ବାଭାବିକ ସଟ୍ ଖେଳି ୨୩ ବଲ୍ରୁ ଅର୍ଦ୍ଧଶତକ କରିଥିଲେ। ହେଲେ ଶତକ ଆଡ଼କୁ ଦ୍ରୁତ ଅଗ୍ରସର ହେବାବେଳେ ୪୪ ବଲରୁ ୮୩ ରନ୍ ସଂଗ୍ରହ କରି ଆଉଟ୍ ହୋଇଯାଇଥିଲେ। ସୂର୍ଯ୍ୟଙ୍କ ପାଳିରେ ୧୦ ଚୌକା, ୪ ଛକା ସାମିଲ ଥିଲା। ହାର୍ଦିକ ପାଣ୍ଡ୍ୟା ଛକା ମାରି ମ୍ୟାଚ୍ ଶେଷ କରିବାରୁ ତିଳକ ବର୍ମା (୪୯*) କ୍ରମାଗତ ଅର୍ଦ୍ଧଶତକରୁ ବଞ୍ଚିତ ରହିଥିଲେ। ସୂର୍ଯ୍ୟକୁମାର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।




