ଡୋମିନିକା ଟେଷ୍ଟରେ ଅଶ୍ବିନଙ୍କୁ ୫ ୱିକେଟ୍, ୱେଷ୍ଟଇଣ୍ଡିଜ୍ ୧୫୦ରେ ଅଲ୍ଆଉଟ୍
ରୋସେୟୁ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ସ୍ପିନର୍ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ପ୍ରଥମ ଦିବସରେ ଘରୋଇ ଦଳ ମାତ୍ର ୧୫୦ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଛି। ସ୍ପିନ୍ ଯୋଡ଼ି ରବିଚନ୍ଦ୍ରନ ଅଶ୍ବିନ (୫/୬୦) ଏବଂ ରବୀନ୍ଦ୍ର ଜାଡେଜା (୩/୨୬) ମିଳିତ ଭାବେ ୮ ୱିକେଟ୍ ଅକ୍ତିଆର କରିଥିବାବେଳେ ଶାର୍ଦୁଳ ଠାକୁର-ମହମ୍ମଦ ସିରାଜ ୧-୧ ୱିକେଟ୍ ନେଇଛନ୍ତି। । ପ୍ରଥମ ଦିନ ଖେଳ ବନ୍ଦ ବେଳକୁ ଭାରତ କୌଣସି ୱିକେଟ୍ ନ ହରାଇ ୮୦ ରନ୍ […]
ରୋସେୟୁ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ସ୍ପିନର୍ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ପ୍ରଥମ ଦିବସରେ ଘରୋଇ ଦଳ ମାତ୍ର ୧୫୦ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଛି। ସ୍ପିନ୍ ଯୋଡ଼ି ରବିଚନ୍ଦ୍ରନ ଅଶ୍ବିନ (୫/୬୦) ଏବଂ ରବୀନ୍ଦ୍ର ଜାଡେଜା (୩/୨୬) ମିଳିତ ଭାବେ ୮ ୱିକେଟ୍ ଅକ୍ତିଆର କରିଥିବାବେଳେ ଶାର୍ଦୁଳ ଠାକୁର-ମହମ୍ମଦ ସିରାଜ ୧-୧ ୱିକେଟ୍ ନେଇଛନ୍ତି। । ପ୍ରଥମ ଦିନ ଖେଳ ବନ୍ଦ ବେଳକୁ ଭାରତ କୌଣସି ୱିକେଟ୍ ନ ହରାଇ ୮୦ ରନ୍ କରିଥିଲା। ରୋହିତ ଶର୍ମା ୩୦* ଏବଂ ଯଶସ୍ବୀ ଜୟସ୍ବାଲ୍ ୪୦* ରନ୍ କରି ଅପରାଜିତ ଅଛନ୍ତି।
ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ପାଇଁ କ୍ରେଗ୍ ବ୍ରାଥ୍ୱେଟ୍ ଏବଂ ଟାଗେନାରାୟଣ ଚନ୍ଦରପଲ୍ ପାଳି ଆରମ୍ଭ କରିଥିଲେ। ଉଭୟ ଭଲ ଆରମ୍ଭ କରିଥିଲେ ମଧ୍ୟ ରୋହିତ ଶର୍ମା ପିଚ୍କୁ ଠିକ୍ ଭାବେ ପଢ଼ି ନେବାରୁ ନବମ ଓଭରରୁ ଅଶ୍ବିନଙ୍କୁ ଡାକିଥିଲେ। ପ୍ରଥମ ବଲ୍ରେ ସେ ୱିକେଟ୍ରୁ ବଞ୍ଚିତ ହୋଇଥିଲେ ମଧ୍ୟ ତୃତୀୟ ଓଭରରେ ଭାରତ ପାଇଁ ପ୍ରଥମ ୱିକେଟ୍ ଦେଇଥିଲେ। ଟାଗେନାରାୟଣଙ୍କୁ ସେ ବୋଲ୍ଡ କରି ଦେଇଥିଲେ। ନିଜର ଦୁଇ ଓଭର ପରେ ସେ ଅନ୍ୟତମ ଓପନର୍ ତଥା ଅଧିନାୟକ ବ୍ରାଥ୍ୱେଟଙ୍କୁ ରୋହିତ ଶର୍ମାଙ୍କ ହାତରେ କ୍ୟାଚ୍ କରାଇଥିଲେ। ରେମନ୍ ରିଫରଙ୍କୁ ଶାର୍ଦୁଳ ଠାକୁର ନିଜ ପ୍ରଥମ ଓଭରରେ ଆଉଟ୍ କରି ଦେଇଥିଲେ। ମଧ୍ୟାହ୍ନ ଭୋଜନ ପୂର୍ବର ଶେଷ ବଲ୍ରେ ଜାଡେଜାଙ୍କ ବୋଲିଂରେ ଏକ କଷ୍ଟକର କ୍ୟାଚ୍ ନେଇ ଜର୍ମାଇନ୍ ବ୍ଲାକଉଡଙ୍କୁ ପ୍ୟାଭିଲିଅନ୍ ଫେରିଥିଲେ। ମଧ୍ୟାହ୍ନ ଭୋଜନ ପରେ ଜାଡ଼େଜା ଘରୋଇ ଦଳର ୱିକେଟରକ୍ଷକ ଯୋଶୁଆ ଡ’ସିଲଭାଙ୍କୁ ଯୁବ ୱିକେଟରକ୍ଷକ ଈଶାନ କିଶନଙ୍କ ଜରିଆରେ ବିଦା କରିଥିଲେ। ହୋଲ୍ଡର-ଆଥନେଜ୍ ୪୧ ରନ୍ ଭାଗୀଦାରି କରି କିଛିଟା ସମ୍ମାନ ରଖିବାକୁ ଚେଷ୍ଟା କରିଥିଲେ। ହୋଲ୍ଡର କିନ୍ତୁ ମହମ୍ମଦ ସିରାଜଙ୍କୁ ବଡ଼ ସଟ୍ ଖେଳିବାକୁ ଯାଇ ଫାଇନ୍ ଲେଗ୍ ଅଞ୍ଚଳରେ ଶାର୍ଦୁଳ ଠାକୁରଙ୍କ ହାତରେ ଧରାପଡ଼ିବାରୁ ଏହି ଭାଗୀଦାରି ଅଲଗା ହୋଇଯାଇଥିଲା। ଅଶ୍ବିନ ଏହା ପରେ ଲଗାତାର ଓଭରରେ ଅଲଜାରି ଯୋସେଫ (୪) ଏବଂ ଆଥାନେଜ୍ (୪୭ ରନ୍, ୯୯ ବଲ୍, ୭ ଚୌକା, ୧ ଛକା)ଙ୍କୁ ଆଉଟ୍ କରି ଭାରତର ପ୍ରାଧାନ୍ୟ ଜାରି ରଖିଥିଲେ। ଶେଷକୁ ୱାରିକାନଙ୍କ ୱିକେଟ୍ ନେଇ ଅଶ୍ବିନ୍ ୩୩ତମ ୫ ୱିକେଟ୍ ସଫଳତା ପାଇଛନ୍ତି।




