ଡବ୍ଲୁଟିସି ଫାଇନାଲ୍: ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ୪୬୯, ଭାରତ ୧୫୧/୫

ଲଣ୍ଡନ: ଭାରତୀୟ ବ୍ୟାଟରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଫଳରେ ପ୍ରଥମ ଦିନ ଭଳି ଦ୍ବିତୀୟ ଦିବସରେ ମଧ୍ୟ ଅଷ୍ଟ୍ରେଲିଆ ପ୍ରାଧାନ୍ୟ ବିସ୍ତାର କରିଛି। ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲୁଟିସି) ଫାଇନାଲ୍ରେ ଅଷ୍ଟ୍ରେଲିଆର ୪୬୯ ରନ୍ ଜବାବରେ ଭାରତ ଦ୍ବିତୀୟ ଦିନ ସୁଦ୍ଧା ୫ ୱିକେଟ୍ ହରାଇ ୧୫୧ ରନ୍ ସଂଗ୍ରହ କରିବା ସହ ସଂଘର୍ଷ କରୁଛି। ଅଜିଙ୍କ୍ୟ ରାହାଣେ ୨୯* ଓ ଶ୍ରୀକର ଭରତ ୫* ରନ୍ କରି ଅପରାଜିତ ଅଛନ୍ତି। ଏଥିପୂର୍ବରୁ ଅଧିନାୟକ ରୋହିତ ଶର୍ମା ଓ […]

Samaya Live Picture
Published On

ଲଣ୍ଡନ: ଭାରତୀୟ ବ୍ୟାଟରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଫଳରେ ପ୍ରଥମ ଦିନ ଭଳି ଦ୍ବିତୀୟ ଦିବସରେ ମଧ୍ୟ ଅଷ୍ଟ୍ରେଲିଆ ପ୍ରାଧାନ୍ୟ ବିସ୍ତାର କରିଛି। ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲୁଟିସି) ଫାଇନାଲ୍ରେ ଅଷ୍ଟ୍ରେଲିଆର ୪୬୯ ରନ୍ ଜବାବରେ ଭାରତ ଦ୍ବିତୀୟ ଦିନ ସୁଦ୍ଧା ୫ ୱିକେଟ୍ ହରାଇ ୧୫୧ ରନ୍ ସଂଗ୍ରହ କରିବା ସହ ସଂଘର୍ଷ କରୁଛି। ଅଜିଙ୍କ୍ୟ ରାହାଣେ ୨୯* ଓ ଶ୍ରୀକର ଭରତ ୫* ରନ୍ କରି ଅପରାଜିତ ଅଛନ୍ତି। ଏଥିପୂର୍ବରୁ ଅଧିନାୟକ ରୋହିତ ଶର୍ମା ଓ ଆଇପିଏଲ୍ ଅରେଞ୍ଜ କ୍ୟାପ୍ ବିଜେତା ଶୁବମନ ଗିଲ୍ ପ୍ରଥମରୁ ଆକ୍ରମଣାତ୍ମକ ଶୈଳୀ ଆପଣାଇଥିଲେ। କିନ୍ତୁ ଷଷ୍ଠ ଓଭରର ଶେଷ ବଲ୍ରେ ପ୍ୟାଟ୍ କମିନ୍ସ ଭାରତୀୟ ଅଧିନାୟକଙ୍କୁ ଏଲ୍ବିଡବ୍ଲୁ କରିଥିଲା ବେଳେ ୩ ବଲ୍ ବ୍ୟବଧାନ ପରେ ସ୍କଟ୍ ବୋଲାଣ୍ଡଙ୍କ ଇନ୍ ସୁଇଂକୁ ବୁଝିନପାରି ଗିଲ୍ ବୋଲ୍ଡ ହୋଇଯାଇଥିଲେ। ଚା’ ପାନ ବିରତି ସୁଦ୍ଧା ଦୁଇ ୱିକେଟ୍ ହରାଇଥିବା ଭାରତକୁ ବିରାଟ କୋହଲି ଓ ଚେତେଶ୍ବର ପୂଜାରା ସମ୍ଭାଳିଥିଲେ। କିନ୍ତୁ ପୂଜାରା ମଧ୍ୟ ସମାନ ଢଙ୍ଗରେ ବଲ୍ ଛାଡ଼ି କାମେରନ୍ ଗ୍ରିନ୍ଙ୍କ ଦ୍ବାରା ବୋଲ୍ଡ ହୋଇଯାଇଥିଲେ। କୋହଲିଙ୍କୁ ଷ୍ଟାର୍କ ଆଉଟ୍ କରି ଶୀର୍ଷକ୍ରମ ଭାଙ୍ଗିଥିଲେ। ୧୯ ଓଭର ଭିତରେ ଭାରତ ୭୧ ରନ୍ରେ ୪ ୱିକେଟ୍ ହରାଇସାରିଥିଲା। ଜାଡ଼େଜା ଓ ଅଜିଙ୍କ୍ୟ ରାହାଣେ ପଞ୍ଚମ ୱିକେଟ୍ରେ ୭୧ ରନ୍ ଭାଗୀଦାରି କରି ପାଳି ସମ୍ଭାଳିଥିଲେ। କିନ୍ତୁ ଗୁରୁବାର ଖେଳ ଶେଷ ହେବାର ୪ ଓଭର ପୂର୍ବରୁ ଜାଡ଼େଜା ଆଉଟ୍ ହୋଇଯାଇଥିଲେ।
ପ୍ରଥମ ଦିନରେ ଷ୍ଟିଭ୍ ସ୍ମିଥ୍ ଓ ଟ୍ରାଭିସ୍ ହେଡ୍ କୀର୍ତ୍ତିମାନଭରା ଦ୍ବିଶତକୀୟ ପାଳି ଖେଳିଥିଲେ। ଦ୍ବିତୀୟ ଦିନରେ ଆଉ ୧୪୨ ରନ୍ ଯୋଡ଼ିବା ପରେ ଆଷ୍ଟ୍ରେଲିଆ ପାଳି ଶେଷ ହୋଇଥିଲା। ସ୍ମିଥ୍ ମଧ୍ୟ ଭାରତ ବିପକ୍ଷରେ ନବମ ଶତକ ମାରିଥିଲା ବେଳେ ଉମେଶ ଯାଦବଙ୍କୁ ଛାଡ଼ିଦେଲେ ଅନ୍ୟ ବୋଲରମାନେ ସଫଳତା ପାଇଥିଲେ। ପ୍ରଥମ ଦିନର ଅସମାପ୍ତ ସ୍କୋର ୩୨୭/୩ରୁ ଖେଳିବା ଆରମ୍ଭ କରିଥିଲେ ହେଁ ହେଡ୍ଙ୍କୁ ଆଉଟ୍ କରି ସିରାଜ ଭାରତକୁ ବଡ଼ ସଫଳତା ଦେଇଥିଲେ। ଗୁରୁବାର ହେଡ୍ ଆଉ ୧୭ ରନ୍ ଯୋଡ଼ି ପାରିଥିଲେ। ଅନ୍ୟ ପଟରୁ ରକ୍ଷଣାତ୍ମକ ଖେଳୁଥିବା ସ୍ମିଥ୍ କିନ୍ତୁ ୩୧ ତମ ଶତକ ଅର୍ଜନ କରି ଆଗକୁ ବଢୁଥିଲେ ବି ଶାର୍ଦୁଳ ଠାକୁର ତାଙ୍କୁ ବୋଲ୍ଡ କରିଦେଇଥିଲେ। ସପ୍ତମ ସ୍ଥାନରେ ଆସିଥିବା ଆଲେକ୍ସ କ୍ୟାରି କିଛି ଉପଯୋଗୀ ପାଳି ଖେଳିଥିଲେ ମଧ୍ୟ ଜାଡ଼େଜା ତାଙ୍କୁ ଆଉଟ୍ କରିଥିଲେ।

Tags: