ଟ୍ବେଣ୍ଟି-୨୦ରେ ଅଷ୍ଟ୍ରେଲିଆକୁ ୨ ୱିକେଟ୍ରେ ହରାଇ ଭାରତର ବିଜୟ ଅଭିଯାନ
ବିଶାଖାପାଟଣା: ଦିନିକିଆ ବିଶ୍ବକପ୍ ଶେଷ ହେବାର ୪ ଦିନ ପରେ ଟ୍ବେଣ୍ଟି-୨୦ ଫର୍ମାଟରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବିଶାଖାପାଟଣାରେ ଅଷ୍ଟ୍ରେଲିଆ ୨୦୮ ରନ୍ର ଲଢ଼ୁଆ ଲକ୍ଷ୍ୟ ଦେଇଥିଲେ ମଧ୍ୟ ଭାରତ ଗୋଟିଏ ବଲ୍ ପୂର୍ବରୁ ୨ ୱିକେଟ୍ରେ ମ୍ୟାଚ୍ ଜିତିନେଇଛି। ଏହାଫଳରେ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି। ଅର୍ଦ୍ଧଶତକୀୟ ପାଳି ପାଇଁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଛନ୍ତି। ସୂର୍ଯ୍ୟକୁମାର ଯାଦବ ଟସ୍ […]
ବିଶାଖାପାଟଣା: ଦିନିକିଆ ବିଶ୍ବକପ୍ ଶେଷ ହେବାର ୪ ଦିନ ପରେ ଟ୍ବେଣ୍ଟି-୨୦ ଫର୍ମାଟରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବିଶାଖାପାଟଣାରେ ଅଷ୍ଟ୍ରେଲିଆ ୨୦୮ ରନ୍ର ଲଢ଼ୁଆ ଲକ୍ଷ୍ୟ ଦେଇଥିଲେ ମଧ୍ୟ ଭାରତ ଗୋଟିଏ ବଲ୍ ପୂର୍ବରୁ ୨ ୱିକେଟ୍ରେ ମ୍ୟାଚ୍ ଜିତିନେଇଛି। ଏହାଫଳରେ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି। ଅର୍ଦ୍ଧଶତକୀୟ ପାଳି ପାଇଁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଛନ୍ତି।
ସୂର୍ଯ୍ୟକୁମାର ଯାଦବ ଟସ୍ ଜିତିବା ପରେ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲେ। ଅଷ୍ଟ୍ରେଲିଆ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲେ ମଧ୍ୟ ରବି ବିଷ୍ଣୋଇ ମାଥ୍ୟୁ ୱେଡ୍ଙ୍କୁ ବୋଲ୍ଡ କରି ପ୍ରାରମ୍ଭିକ ସଫଳତା ଦେଇଥିଲେ। ପରେ ଷ୍ଟିଭେନ୍ ସ୍ମିଥ୍ ଦ୍ବିତୀୟ ୱିକେଟ୍ରେ ଜୋସ୍ ଇଙ୍ଗଲିସ୍ଙ୍କୁ ସାଥୀ କରି ୧୩୦ ରନ୍ ଭାଗୀଦାରି କରିବା ପରେ ବ୍ୟକ୍ତିଗତ ୫୨ ରନ୍ କରିଥିବା ବେଳେ ରନ୍ ଆଉଟ୍ ହୋଇଯାଇଥିଲେ। ଜୋସ୍ ଇଙ୍ଗଲିସ୍ ଶ୍ରେଷ୍ଠ ଟ୍ବେଣ୍ଟି-୨୦ ପାଳି ଖେଳି ୪୭ ବଲ୍ରୁ ପ୍ରଥମ ଶତକ ଅର୍ଜନ କରିଥିଲେ। ୧୧୦ ରନ୍ କରି ଇଙ୍ଗଲିସ୍ ପ୍ରସିଦ୍ଧ କୃଷ୍ଣଙ୍କ ଶିକାର ହୋଇଥିଲେ। ୨୦୯ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତ ପ୍ରଥମ ଓଭରରେ ଋତୁରାଜ ଗାଏକ୍ବାଡଙ୍କ ରନ୍ ଆଉଟ୍ ରୂପରେ ପ୍ରଥମ ଝଟ୍କା ପାଇଥିଲା। ଜୟସ୍ବାଲଙ୍କ ଭୁଲ୍ ବୁଝାମଣା ପାଇଁ ଗାଏକ୍ବାଡ୍ଙ୍କୁ ଓ୍ବିକେଟ୍ ଦେବାକୁ ପଡ଼ିଥିଲା। ଜୟସ୍ବାଲ ଦ୍ରୁତ ଖେଳିବାକୁ ଯାଇ ୮ ବଲ୍ରୁ ୨ ଚୌକା ଓ ୨ ଛକା ସହାୟତାରେ ୨୧ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ଈଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରି ଭାରତକୁ ପାୱାର ପ୍ଲେ ୬ ଓଭର ଶେଷ ବେଳକୁ ୬୩/୨ରେ ପହଞ୍ଚାଇଥିଲେ। ଅର୍ଦ୍ଧଶତକ ଅର୍ଜନ କରିଥିବା ଈଶାନ ୫୮ ଓ ସୂର୍ଯ୍ୟ ୮୦ ରନ୍ କରି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ। ନାଟକୀୟ ଶେଷ ଓଭରରେ ମାତ୍ର ୭ ରନ୍ ଆବଶ୍ୟକ ଥିଲେ ମଧ୍ୟ ଲଗାତାର ୩ ବଲ୍ରେ ୨ଟି ରନ୍ ଆଉଟ୍ ସହ ୩ ୱିକେଟ୍ ହରାଇଥିଲା ଭାରତ। ଶେଷ ବଲ୍ରୁ ଗୋଟିଏ ରନ୍ ଆବଶ୍ୟକ ଥିବାବେଳେ ସିନ୍ ଆବୋଟଙ୍କୁ ରିଙ୍କୁ ସିଂହ ଲଙ୍ଗ ଅନ୍ ଉପରେ ଛକା ମାରି ବିଜୟ ଶେଷ କରିଥିଲେ। କିନ୍ତୁ ଏହା ନୋ ବଲ୍ ଥିବାରୁ ଛକାକୁ ହିସାବକୁ ନିଆଯାଇନଥିଲା।




