ଗୁଜରାଟ ଟାଇଟନ୍ସକୁ ହରାଇ ଆଇପିଏଲ୍ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ

ଚେନ୍ନାଇ: ଗତବର୍ଷର ବିଜେତା ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି। ଏଥି ସହ ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ମଙ୍ଗଳବାର ଚେନ୍ନାଇର ଚେପକ୍ ଷ୍ଟାଡ଼ିୟମ୍ରେ ଖେଳାଯାଇଥିବା କ୍ବାଲିଫାୟାର୍-୧ରେ ସିଏସ୍କେ ଦଳଗତ ପ୍ରଦର୍ଶନ ବଳରେ ସିଧାସଳଖ ଟ୍ରଫି ଟକ୍କରରେ ପହଞ୍ଚିଯାଇଛି। ଋତୁରାଜ ଗାଏକ୍ବାଡ ଓ ଡେଭନ୍ କନୱେଙ୍କ ଦୃଢ଼ ମୂଳଦୁଆ ସତ୍ତ୍ବେ ସଂଘର୍ଷ କରିଥିବା […]

Samaya Live Picture
Published On

ଚେନ୍ନାଇ: ଗତବର୍ଷର ବିଜେତା ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି। ଏଥି ସହ ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ମଙ୍ଗଳବାର ଚେନ୍ନାଇର ଚେପକ୍ ଷ୍ଟାଡ଼ିୟମ୍ରେ ଖେଳାଯାଇଥିବା କ୍ବାଲିଫାୟାର୍-୧ରେ ସିଏସ୍କେ ଦଳଗତ ପ୍ରଦର୍ଶନ ବଳରେ ସିଧାସଳଖ ଟ୍ରଫି ଟକ୍କରରେ ପହଞ୍ଚିଯାଇଛି। ଋତୁରାଜ ଗାଏକ୍ବାଡ ଓ ଡେଭନ୍ କନୱେଙ୍କ ଦୃଢ଼ ମୂଳଦୁଆ ସତ୍ତ୍ବେ ସଂଘର୍ଷ କରିଥିବା ସିଏସ୍କେ ୧୭୨ ରନ୍ କରି ନେଇଥିଲା। ଜବାବରେ କୌଣସି ସମୟରେ ସୁଯୋଗକୁ ହାତେଇ ନପାରି ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ସମସ୍ତ ୱିକେଟ୍ ହରାଇ ୧୫୭ ରନ୍ କରିପାରିଥିଲା। ଚେନ୍ନାଇର ପ୍ରତି ବୋଲର ଦୀପକ ଚହର, ତୁଷାର ଦେଣପାଣ୍ଡେ, ମାଥିଶା ପଥିରଣା, ରବୀନ୍ଦ୍ର ଜାଦେଜା, ମହେଶ ତୀକ୍ଷଣା ୱିକେଟ୍ ବାଣ୍ଟି ନେଇଥିଲେ। ଗୁଜରାଟ ପାଇଁ କେବଳ ଶୁବମନ ଗିଲ୍ ଲଢ଼ି ୪୨ ରନ୍ର ସର୍ବାଧିକ ପାଳି ଖେଳିଥିଲେ। ଶେଷ ଭାଗରେ ରସିଦ୍ ଖାନ କିଛି ଦର୍ଶନୀୟ ସଟ୍ ଖେଳି ୩୦ ରନ୍ କରିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନଥିଲା। ପରାଜୟ ସତ୍ତ୍ବେ ଏକ ନମ୍ବର ସ୍ଥାନରେ ରହି ପ୍ଲେ ଅଫ୍ ଆସିଥିବାରୁ ହାର୍ଦିକ ପାଣ୍ଡ୍ୟାଙ୍କ ଦଳକୁ ଫାଇନାଲ୍ ପ୍ରବେଶ ଲାଗି ଆଉ ଗୋଟିଏ ସୁଯୋଗ ମିଳିବ। ବୁଧବାର ଏଲିମିନେଟର୍ରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଲକ୍ଷ୍ନୌ ସୁପର୍ ଜାଏଣ୍ଟସର ମୁକାବିଲା ହେବ। ଏହି ଦଳର ବିଜେତା ସହ ଶୁକ୍ରବାର କ୍ବାଲିଫାୟାର-୨ରେ ଖେଳିବ ଗୁଜରାଟ ଟାଇଟନ୍ସ। ସେଦିନର ବିଜେତା ରବିବାର ଚେନ୍ନାଇ ସୁପର୍ କିଙ୍ଗ୍ସ ସହ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମ୍ରେ ଫାଇନାଲ୍ ଖେଳିବ।

Tags: