କ୍ୟାପିଟାଲ୍ସକୁ ହରାଇଲା ଜାଏଣ୍ଟସ୍: ମାର୍କ ଉଡ୍ଙ୍କୁ ପ୍ରଥମ ୫ ୱିକେଟ୍
ଲକ୍ଷ୍ନୌ: କେଏଲ୍ ରାହୁଲଙ୍କ ଖରାପ ପ୍ରଦର୍ଶନ ଜାରି ରହିବା ସତ୍ତ୍ବେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶନିବାର ରାତିରେ ଖେଳାଯାଇଥିବା ଆଇପିଏଲ୍ର ତୃତୀୟ ମ୍ୟାଚ୍ରେ ରାହୁଲଙ୍କ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନ୍ରେ ପରାସ୍ତ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ବୋଲିଂ କରିଥିବା ବେଳେ ଲକ୍ଷ୍ନୌ ୧୯୩ ରନ୍ର ପାହାଡ଼ ଛିଡ଼ା କରିଥିଲା। ରାହୁଲଙ୍କ ସହ ଦୀପକ ହୁଡ଼ା, କୃନାଲ ପାଣ୍ଡ୍ୟା, ମାର୍କସ ଷ୍ଟୋଇନିସ୍ ମଧ୍ୟ ଆଶାନୁରୂପକ ପ୍ରଦର୍ଶନ ଦେଇପାରିନଥିଲେ। ତଥାପି […]
ଲକ୍ଷ୍ନୌ: କେଏଲ୍ ରାହୁଲଙ୍କ ଖରାପ ପ୍ରଦର୍ଶନ ଜାରି ରହିବା ସତ୍ତ୍ବେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶନିବାର ରାତିରେ ଖେଳାଯାଇଥିବା ଆଇପିଏଲ୍ର ତୃତୀୟ ମ୍ୟାଚ୍ରେ ରାହୁଲଙ୍କ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନ୍ରେ ପରାସ୍ତ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ବୋଲିଂ କରିଥିବା ବେଳେ ଲକ୍ଷ୍ନୌ ୧୯୩ ରନ୍ର ପାହାଡ଼ ଛିଡ଼ା କରିଥିଲା। ରାହୁଲଙ୍କ ସହ ଦୀପକ ହୁଡ଼ା, କୃନାଲ ପାଣ୍ଡ୍ୟା, ମାର୍କସ ଷ୍ଟୋଇନିସ୍ ମଧ୍ୟ ଆଶାନୁରୂପକ ପ୍ରଦର୍ଶନ ଦେଇପାରିନଥିଲେ। ତଥାପି ଦ୍ବାଦଶ ଓଭରରେ ଲକ୍ଷ୍ନୌ ୧୦୦ ରନ୍ ପୂରଣ କରି ଭଲ ସ୍ଥିତିରେ ପହଞ୍ଚିଥିଲା। କାଏଲ୍ ମାୟର୍ସ (୩୮ ବଲ୍ରୁ ୭୩ ରନ୍) ଏବଂ ନିକୋଲାସ ପୂରନ (୨୧ ବଲ୍ରୁ ୩୬ ରନ୍) ଦଳକୁ ଉଦ୍ଧାର କରିବା ସହ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଦୁଇ ଭାରତୀୟ ଦ୍ରୁତ ବୋଳର ଖଲିଲ୍ ଅହମ୍ମଦ ଓ ଚେତନ ସାକାରିଆ ୨ ୱିକେଟ୍ ଲେଖାଏଁ ଅକ୍ତିଆର କରିଥିଲେ।
ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସର ଆରମ୍ଭ ଭଲ ହୋଇଥିଳେ ବି ପଞ୍ଚମ ଓଭରରେ ମାର୍କ ଉଡ୍ ଲଗାତାର ବଲ୍ରେ ପୃଥ୍ବୀ ସ’ ଓ ମିଚେଲ୍ ମାର୍ସଙ୍କୁ ଆଉଟ୍ କରି ଲକ୍ଷ୍ନୌକୁ ସଫଳତା ଦେଇଥିଲେ। ମାର୍ସଙ୍କ ସହିତ ସର୍ଫରାଜ ଖାନ୍, ରୋଭମାନ ପାୱେଲ ଏବଂ ଅମନ ହକିମ ଖାନ୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ତେବେ ଅଧିନାୟକ ଡେଭିଡ୍ ୱାର୍ଣ୍ଣର (୪୮ ବଲ୍ରୁ ୫୬ ରନ୍) ଦଳ ପାଇଁ କିଛି ଉପଯୋଗୀ ରନ୍ ବାହାର କରିଥିଲେ ବି ଦଳକୁ ପରାଜୟରୁ ଉଦ୍ଧାର କରପାରିନଥିଲେ। ଏହାଫଳରେ ଦିଲ୍ଲୀ ନିର୍ଦ୍ଧାରିତ ଓଭର ବେଳକୁ ୯ ୱିକେଟ୍ ବିନିମୟରେ ୧୪୩ ରନ୍ କରିପାରିଥିଲା। ମାର୍କ ଉଡ୍ ଚଳିତ ଆଇପିଏଲ୍ର ପ୍ରଥମ ୫ ୱିକେଟ୍ ସଫଳତା ଅର୍ଜନ କରିବା ସହ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।




