କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ
କୋଲକାତା: ଯଶସ୍ବୀ ଜୟସ୍ବାଲଙ୍କ ଦ୍ରୁତତମ (୧୩ ବଲ୍) ଆଇପିଏଲ୍ ଅର୍ଦ୍ଧଶତକ ସହିତ ରାଜସ୍ଥାନ ରୟାଲ୍ସ ପରାଜୟ ଧାରା ଭାଙ୍ଗିଛି। ବିଗତ ୬ ମ୍ୟାଚ୍ରୁ ୫ ପରାଜୟ ବରଣ କରିଥିବା ସଂଜୁ ସାମସନଙ୍କ ଦଳ ଏକତରଫା ଭାବେ କୋଲକାତା ନାଇଟ୍ ରାଇଡର୍ସକୁ ୯ ୱିକେଟ୍ରେ ପରାସ୍ତ କରିଛି। ୟୁଝବେନ୍ଦ୍ର ଚହଲଙ୍କ ୪ ୱିକେଟ୍ ଦଖଲ ଓ ଆଇପିଏଲରେ ସର୍ବାଧିକ ୱିକେଟ୍ ରେକର୍ଡ (୧୮୭ ୱିକେଟ୍) କାରଣରୁ କୋଲକାତା ନାଇଟ୍ ରାଇଡର୍ସ ମାତ୍ର ୧୪୯ ରନ୍ କରିଥିଲା। କିନ୍ତୁ ପ୍ରଥମରୁ […]
କୋଲକାତା: ଯଶସ୍ବୀ ଜୟସ୍ବାଲଙ୍କ ଦ୍ରୁତତମ (୧୩ ବଲ୍) ଆଇପିଏଲ୍ ଅର୍ଦ୍ଧଶତକ ସହିତ ରାଜସ୍ଥାନ ରୟାଲ୍ସ ପରାଜୟ ଧାରା ଭାଙ୍ଗିଛି। ବିଗତ ୬ ମ୍ୟାଚ୍ରୁ ୫ ପରାଜୟ ବରଣ କରିଥିବା ସଂଜୁ ସାମସନଙ୍କ ଦଳ ଏକତରଫା ଭାବେ କୋଲକାତା ନାଇଟ୍ ରାଇଡର୍ସକୁ ୯ ୱିକେଟ୍ରେ ପରାସ୍ତ କରିଛି। ୟୁଝବେନ୍ଦ୍ର ଚହଲଙ୍କ ୪ ୱିକେଟ୍ ଦଖଲ ଓ ଆଇପିଏଲରେ ସର୍ବାଧିକ ୱିକେଟ୍ ରେକର୍ଡ (୧୮୭ ୱିକେଟ୍) କାରଣରୁ କୋଲକାତା ନାଇଟ୍ ରାଇଡର୍ସ ମାତ୍ର ୧୪୯ ରନ୍ କରିଥିଲା। କିନ୍ତୁ ପ୍ରଥମରୁ ଆକ୍ରମଣ କରିଥିବା ଜୟସ୍ବାଲ ୪୭ ବଲରୁ ୯୮* ରନ୍ କରିବାରୁ ରାଜସ୍ଥାନ ୧୩.୧ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ସଂଜୁ ସାମସନ୍ (୨୯ ବଲରୁ ୪୮*)ଙ୍କ ସହ ମିଶି ଜୟସ୍ବାଲ ଦ୍ବିତୀୟ ୱିକେଟ୍ ଲାଗି ୧୧.୩ ଓଭରରେ ୧୨୧* ରନ୍ ଯୋଡ଼ି ଦଳର ନେଟ୍ ରନ୍ ରେଟରେ ମଧ୍ୟ ବୃଦ୍ଧି କରାଇଛନ୍ତି। ଏହି ବିଜୟ ସହିତ ରାଜସ୍ଥାନ ରୟାଲ୍ସ ମଧ୍ୟ ପଞ୍ଚମରୁ ତୃତୀୟ ସ୍ଥାନକୁ ଉଠିଛି। ଏଥିପୂର୍ବରୁ ଭେଙ୍କଟେଶ ଆୟରଙ୍କ ଅର୍ଦ୍ଧଶତକୀୟ ପାଳି ସହଯୋଗରେ କୋଲକାତା ନାଇଟ୍ ରାଇଡର୍ସ ୧୪୯ ରନ୍ କରିଥିଲା। ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମୁକାବିଲାରେ ରାଜସ୍ଥାନ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା। ପାୱାରପ୍ଲେ ମଧ୍ୟରେ ଟ୍ରେଣ୍ଟ ବୋଲ୍ଟ ଘରୋଇ ଦଳକୁ ଯୁଗଳ କ୍ଷତି ପହଞ୍ଚାଇଥିଲେ। ତୃତୀୟ ଓଭରରେ ଜାସନ୍ ରଏ (୧୦) ଓ ପଞ୍ଚମ ଓଭରରେ ରହମନୁଲ୍ଲା ଗୁରବାଜ୍ (୧୮) ଙ୍କୁ ବୋଲ୍ଟ କରିବା ପରେ ଭେଙ୍କଟେଶ ପାଳିକୁ ଉଦ୍ଧାର କରିଥିଲେ। ଅଧିନାୟକ ନୀତୀଶ ରାଣା (୨୨)ଙ୍କୁ ସାଥୀ କରି ତୃତୀୟ ୱିକେଟ୍ରେ ୪୮ ଓ ଆନ୍ଦ୍ରେ ରସେଲ୍ (୧୦)ଙ୍କ ସହ ମିଶି ଚତୁର୍ଥ ୱିକେଟ୍ରେ ୩୦ ରନ୍ ଯୋଡ଼ିଥିବା ଭେଙ୍କଟେଶ ଚଳିତ ଆଇପିଏଲ୍ରେ ଦ୍ବିତୀୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ।




