ଏସିଆଡ୍ରୁ ୧୦୭ ପଦକ ସହ ଭାରତର ଅଭିଯାନ ଶେଷ
ହାଙ୍ଗଝୌ: ୧୯ତମ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୦୦ ପାର୍ ହେବା ସହ ମୋଟ ୧୦୭ (୨୮ ସ୍ବର୍ଣ୍ଣ, ୩୮ ରୌପ୍ୟ ଓ ୪୧ କାଂସ୍ୟ) ରେ ଅଭିଯାନ ଶେଷ କରିଛି। ମହିଳା କବାଡ଼ି ଦଳ ସ୍ବର୍ଣ୍ଣ ଜିତି ଦେଶର ୧୦୦ ପଦକ ପୂରଣ କରିବାର ଗୌରବ ଅର୍ଜନ କରିଥିଲା। ୭୨ ବର୍ଷର ଏସିଆଡ୍ ଇତିହାସରେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ। ପୂର୍ବରୁ ୨୦୧୮ ଜାକର୍ତ୍ତା ସଂସ୍କରଣରେ (୧୬ ସ୍ବର୍ଣ୍ଣ, ୨୩ ରୌପ୍ୟ, ୩୧ କାଂସ୍ୟ) […]
ହାଙ୍ଗଝୌ: ୧୯ତମ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୦୦ ପାର୍ ହେବା ସହ ମୋଟ ୧୦୭ (୨୮ ସ୍ବର୍ଣ୍ଣ, ୩୮ ରୌପ୍ୟ ଓ ୪୧ କାଂସ୍ୟ) ରେ ଅଭିଯାନ ଶେଷ କରିଛି। ମହିଳା କବାଡ଼ି ଦଳ ସ୍ବର୍ଣ୍ଣ ଜିତି ଦେଶର ୧୦୦ ପଦକ ପୂରଣ କରିବାର ଗୌରବ ଅର୍ଜନ କରିଥିଲା। ୭୨ ବର୍ଷର ଏସିଆଡ୍ ଇତିହାସରେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ। ପୂର୍ବରୁ ୨୦୧୮ ଜାକର୍ତ୍ତା ସଂସ୍କରଣରେ (୧୬ ସ୍ବର୍ଣ୍ଣ, ୨୩ ରୌପ୍ୟ, ୩୧ କାଂସ୍ୟ) ୭୦ ପଦକ ଶ୍ରେଷ୍ଠ ଥିଲା। ତେବେ ମାନ୍ୟତାରେ ଏହା ତୃତୀୟ ଶ୍ରେଷ୍ଠ। ପୂର୍ବରୁ ଉଦ୍ଘାଟନୀ ସଂସ୍କରଣ (୧୯୫୧ ନୂଆଦିଲ୍ଲୀ)ରେ ଭାରତ ୧୫ ସ୍ବର୍ଣ୍ଣ ସହ ୫୧ ପଦକରେ ଦ୍ବିତୀୟ ଏବଂ ଜାକର୍ତ୍ତା (୧୯୬୨)ରେ ୧୦ ସ୍ବର୍ଣ୍ଣ ସହ ୩୩ ପଦକ ତୃତୀୟ ସ୍ଥାନରେ ରହିଥିଲା।
ଶନିବାର ଭାରତୀୟ ପୁରୁଷ ଓ ମହିଳା କବାଡ଼ି ଦଳ ଦେଶକୁ ଯୁଗଳ ସ୍ବର୍ଣ୍ଣ ଭେଟି ଦେଇଛନ୍ତି। ଫାଇନାଲ୍ରେ ମହିଳା ଦଳ ଗୋଟିଏ ପଏଣ୍ଟ (୨୬-୨୫) ବ୍ୟବଧାନରେ ଚାଇନିଜ୍ ତାଇପେକୁ ହରାଇଥିଲା ବେଳେ ପୁରୁଷ ଦଳ ବିଜେତା ଇରାନ ବିପକ୍ଷରେ ନାଟକୀୟ ବିଜୟ ହାସଲ କରି ପୁଣି ଥରେ ଏସିଆଡ୍ ମୁକୁଟ ହାସଲ କରିଥିଲା। ଭାରତୀୟ ତୀରନ୍ଦାଜ ପ୍ରବୀଣ ଓଜାସ ଦେଓତାଲ ଓ ଜ୍ୟୋତି ସୁରେଖା ଭେନ୍ନାମ ବ୍ୟକ୍ତିଗତ କାମ୍ପାଉଣ୍ଡରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଦୁଇ ଭାରତୀୟଙ୍କ ମଧ୍ୟରେ ଖେଳାଯାଇଥିବା ପୁରୁଷ ଫାଇନାଲ୍ରେ ପ୍ରବୀଣ ୧୪୯-୧୪୭ରେ ନିଜ ସାଥୀ ପ୍ରତିନ୍ଦ୍ବନ୍ଦ୍ବୀ ଅଭିଷେକ ବର୍ମାଙ୍କୁ ପରାସ୍ତ କରିଥିଲେ। ମହିଳା ଫାଇନାଲ୍ରେ ଜ୍ୟୋତି ୧୪୯-୧୪୫ରେ ଦକ୍ଷିଣ କୋରିଆର ଚାଏୱାନ ସୋଙ୍କୁ ହରାଇ ଦେଇଥିଲେ। କାଂସ୍ୟ ମୁକାବିଲାରେ ଅଦିତି ଗୋପୀଚାନ୍ଦ ୧୪୬-୧୪୦ରେ ଇଣ୍ଡୋନେସିଆର ରାଟି ଜିଲିଜାଟିଙ୍କୁ ହରାଇଥିଲେ। ବ୍ୟାଡମିଣ୍ଟନରେ ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଏସୀୟ କ୍ରୀଡ଼ା ବ୍ୟାଡ୍ମିଣ୍ଟନରେ ଭାରତ ଲାଗି ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି ସିଧାସଳଖ ୨୧-୧୮, ୨୧-୧୬ରେ କୋରିଆର ଚୋଇ ସୋଲଗ୍ୟୁ ଓ କିମ୍ ଓନ୍ହୋଙ୍କୁ ମାତ୍ ଦେଇଥିଲେ। ଅପରପକ୍ଷେ ଭାରତୀୟ ପୁରୁଷ କ୍ରିକେଟ୍ ଦଳ ପଦାର୍ପଣରେ ସ୍ବର୍ଣ୍ଣ ପଦକ ଜିତିଛି। ଭାରତ-ଆଫ୍ଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ବାତିଲ ହୋଇଥିଲା। ଫଳରେ ଭାରତ ଉଚ୍ଚ ମାନ୍ୟତା ଦଳ ହୋଇଥିବାରୁ ସ୍ବର୍ଣ୍ଣ ପଦକ ପାଇଥିଲା।




