ଇଂଲଣ୍ଡକୁ ହରାଇ ସେମିଫାଇନାଲ୍‌ରେ ଭାରତ

ଲକ୍ଷ୍ନୌ: ଚଳିତ ଦିନିକିଆ କ୍ରିକେଟ୍ ବିଶ୍ବକପରେ ଭାରତୀୟ କ୍ରିକେଟ୍ ଦଳ ଅପରାଜେୟ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ବିଜେତା ଇଂଲଣ୍ଡକୁ ୧୦୦ ରନ୍‌ରେ ପରାସ୍ତ କରି ଭାରତ ଷଷ୍ଠ ବିଜୟ ପାଇଥିଲା। ଫଳରେ ପଏଣ୍ଟ୍ ତାଲିକାର ପ୍ରଥମ ସ୍ଥାନକୁ ଫେରିଥିଲା ବେଳେ ଇଂଲଣ୍ଡ ଷଷ୍ଠ ମ୍ୟାଚ୍ରୁ ପଞ୍ଚମ ପରାଜୟ ସହ ସେମିଫାଇନାଲ୍ ଦୌଡ଼ରୁ ଆପାତତଃ ବାଦ୍ ପଡ଼ିଛି। ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପାୟୀ ଷ୍ଟାଡିୟମ୍ ଏକନାର ପିଚ୍ରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ […]

Samaya Live Picture
Published On

ଲକ୍ଷ୍ନୌ: ଚଳିତ ଦିନିକିଆ କ୍ରିକେଟ୍ ବିଶ୍ବକପରେ ଭାରତୀୟ କ୍ରିକେଟ୍ ଦଳ ଅପରାଜେୟ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ବିଜେତା ଇଂଲଣ୍ଡକୁ ୧୦୦ ରନ୍‌ରେ ପରାସ୍ତ କରି ଭାରତ ଷଷ୍ଠ ବିଜୟ ପାଇଥିଲା। ଫଳରେ ପଏଣ୍ଟ୍ ତାଲିକାର ପ୍ରଥମ ସ୍ଥାନକୁ ଫେରିଥିଲା ବେଳେ ଇଂଲଣ୍ଡ ଷଷ୍ଠ ମ୍ୟାଚ୍ରୁ ପଞ୍ଚମ ପରାଜୟ ସହ ସେମିଫାଇନାଲ୍ ଦୌଡ଼ରୁ ଆପାତତଃ ବାଦ୍ ପଡ଼ିଛି।
ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପାୟୀ ଷ୍ଟାଡିୟମ୍ ଏକନାର ପିଚ୍ରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୨୯ ରନ୍ କରିଥିଲା। ଜବାବରେ ତାରକା ଖଚିତ ଇଂଲଣ୍ଡ ବ୍ୟାଟିଂ ବାହିନୀ ଭାରତୀୟ ବୋଲରଙ୍କ ସାମ୍ନା କରିନପାରି ତାସ୍ ଘର ଭଳି ଭୁଶୁଡ଼ି ପଡ଼ିଥିଲା। ଏପରିକି ଜୋ ରୁଟ୍ ଓ ବେନ୍ ଷ୍ଟୋକ୍ସଙ୍କ ଭଳି ଖେଳାଳି ଖାତା ଖୋଲି ପାରି ନଥିଲେ। ଡେଭିଡ୍ ମଲାନ ଓ ରୁଟ୍ଙ୍କୁ ଲଗାତାର ବଲ୍ରେ ଆଉଟ୍ କରି ଯଶପ୍ରୀତ ବୁମ୍ରା ହିଁ ଇଂଲଣ୍ଡ ବିପର୍ଯ୍ୟୟର ଶୁଭାରମ୍ଭ କରିଥିଲେ। ଅନ୍ୟମାନେ ପାଦ ଜମିବା ପୂର୍ବରୁ ଆପେ ଆପେ ଆତ୍ମସମର୍ପଣ କରିଦେଇଥିଲେ। ଭାରତୀୟ ବୋଲିରମାନେ ଏମିତି ମାପଚୁପ ଓ ଶାଣିତ ବୋଲିଂ କରିଥିଲେ ଯେ କେବଳ ଲିଆମ ଲିଭିଂଷ୍ଟୋନ୍ ୨୦ ରନ୍ ଟପି ପାରିଥିଲେ। ଅସହାୟ ଇଂଲଣ୍ଡ ୩୪.୫ ଓଭରରେ ମାତ୍ର ୧୨୯ ରନ୍ କରି ଅଲ୍ଆଉଟ୍ ହୋଇ ଶୋଚନୀୟ ଭାବେ ମ୍ୟାଚ୍ ହାରିଥିଲା। ଦୁଇ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରା ଓ ମହମ୍ମଦ ସାମି ୭ ୱିକେଟ୍ ବାଣ୍ଟି ଇଂଲଣ୍ଡକୁ ପୂରା ଘାଇଲା କରି ଦେଇଥିଲେ। ଲେଗ୍ ସ୍ପିନର କୁଲଦୀବ ଯାଦବ ଏବଂ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ନିଜ ନିଜ ଯାଦୁ ଦେଖାଇ ଅବଶିଷ୍ଟ ୩ ୱିକେଟ୍ କରାୟତ୍ତ କରି ନେଇଥିଲେ। ଛୋଟ ସ୍କୋର କରିଥିଲେ ମଧ୍ୟ ଉଚ୍ଚଗୁଣମାନର ବୋଲିଂ ବଳରେ ଭାରତ ଶେଷରେ ଏକତରଫା ବିଜୟ ହାସଲ କରିଥିଲା। ୩ଟି ଦର୍ଶନୀୟ ଛକା ଓ ୧୦ଟି ଚୌକା ସହାୟତାରେ ୮୭ ରନ୍ର ଲଢ଼ୁଆ ପାଳି ଖେଳିଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଏକମାତ୍ର ଦଳ ଭାବେ ଏପର୍ଯ୍ୟନ୍ତ ବିଶ୍ବକପ୍-୨୦୨୩ରେ କୌଣସି ମ୍ୟାଚ୍ ହାରି ନଥିବା ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୨ ତାରିଖରେ ପଡ଼ୋଶୀ ଶ୍ରୀଲଙ୍କାକୁ ଭେଟିବ।

Tags: