ଆସେସ୍ ଶୃଙ୍ଖଳା ଦ୍ବିତୀୟ ଟେଷ୍ଟକୁ ଜିତିଲା ଅଷ୍ଟ୍ରେଲିଆ
ଲର୍ଡ୍ସ: ଲର୍ଡସ ପଡ଼ିଆରେ ଆସେସ୍ ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍ ରୋମାଞ୍ଚକ ଭାବେ ଶେଷ ହୋଇଛି। ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ବିସ୍ଫୋରକ ୧୫୫ ରନ୍ ସଂଗ୍ରହ କରିଥିଲେ ମଧ୍ୟ ଦଳକୁ ଜିତାଇପାରିନଥିଲେ। ଇଂଲଣ୍ଡର ଦ୍ବିତୀୟ ପାଳି ୩୨୭ ରନ୍ରେ ସୀମିତ ହୋଇଯାଇଥିଲା। ଫଳରେ ଇଂଲଣ୍ଡ ୪୩ ରନ୍ରେ ମ୍ୟାଚ୍ ହାରିଥିଲା ଏବଂ ଅଷ୍ଟ୍ରେଲିଆ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇଯାଇଛି। ଗୁରୁବାରଠାରୁ ହେଡିଙ୍ଗଲେରେ ତୃତୀୟ ଟେଷ୍ଟ୍ ଆରମ୍ଭ ହେବ। ଶେଷ ଦିନରେ ମ୍ୟାଚ୍ ଆରମ୍ଭ […]
ଲର୍ଡ୍ସ: ଲର୍ଡସ ପଡ଼ିଆରେ ଆସେସ୍ ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍ ରୋମାଞ୍ଚକ ଭାବେ ଶେଷ ହୋଇଛି। ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ବିସ୍ଫୋରକ ୧୫୫ ରନ୍ ସଂଗ୍ରହ କରିଥିଲେ ମଧ୍ୟ ଦଳକୁ ଜିତାଇପାରିନଥିଲେ। ଇଂଲଣ୍ଡର ଦ୍ବିତୀୟ ପାଳି ୩୨୭ ରନ୍ରେ ସୀମିତ ହୋଇଯାଇଥିଲା। ଫଳରେ ଇଂଲଣ୍ଡ ୪୩ ରନ୍ରେ ମ୍ୟାଚ୍ ହାରିଥିଲା ଏବଂ ଅଷ୍ଟ୍ରେଲିଆ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇଯାଇଛି। ଗୁରୁବାରଠାରୁ ହେଡିଙ୍ଗଲେରେ ତୃତୀୟ ଟେଷ୍ଟ୍ ଆରମ୍ଭ ହେବ।
ଶେଷ ଦିନରେ ମ୍ୟାଚ୍ ଆରମ୍ଭ ବେଳକୁ ଇଂଲଣ୍ଡକୁ ଆଉ ୨୫୨ ରନ୍ ଆବଶ୍ୟକ ଥିବାବେଳେ ହାତରେ ୬ ୱିକେଟ୍ ଥିଲା। ୧୧୪/୪ରୁ ଖେଳ ଆରମ୍ଭ କରି ଘରୋଇ ଦଳ ମଧ୍ୟାହ୍ନ ଭୋଜନ ବେଳକୁ ୨୪୩/୬ରେ ପହଞ୍ଚିଯାଇଥିଲା। ବିରତି ପୂର୍ବର ଦ୍ବିତୀୟ ଶେଷ ଓଭରରେ ବେନ୍ ଷ୍ଟୋକ୍ସ ଆଶ୍ଚର୍ଯ୍ୟଜନକ ଭାବେ ଲଗାତାର ୩ ଛକା ମାରି ଷ୍ଟାଇଲ୍ରେ ଶତକ ପୂର୍ଣ୍ଣ କରିଥିଲେ। ବିରତି ପରେ ମଧ୍ୟ ସେ ଅନୁରୂପ ଆକ୍ରମଣ ଜାରି ରଖିଥିଲେ। ଷ୍ଟୁଆର୍ଟ ବ୍ରଡଙ୍କୁ ସାଥି କରି ସପ୍ତମ ୱିକେଟ୍ ପାଇଁ ୧୦୮ ରନ୍ ଯୋଡ଼ିବା ପରେ ଜୋସ୍ ହାଜେଲଉଡ୍ଙ୍କ ବୋଲିଂରେ ଷ୍ଟୋକ୍ସ ୱିକେଟରକ୍ଷକ ଆଲେକ୍ସ କ୍ୟାରିଙ୍କୁ କ୍ୟାଚ୍ ଦେଇ ଫେରିଥିଲେ। ତାଙ୍କ ପରେ ଓଲି ରବିନସନ୍, ଷ୍ଟୁଆର୍ଟ ବ୍ରଡ୍ ଓ ଜୋସ୍ ଟଙ୍ଗ୍ ଆଉଟ୍ ହୋଇଥିଲେ। ବିଜୟୀ ଦଳର ମିଚେଲ ଷ୍ଟାର୍କ, ପ୍ୟାଟ୍ କମିନ୍ସ, ଜୋସ୍ ହାଜେଲଉଡ୍, କାମେରୁନ୍ ଗ୍ରିନ୍ ସମସ୍ତ ୧୦ ୱିକେଟ୍ ବାଣ୍ଟି ନେଇଥିଲେ। ଉଭୟ ପାଳିରେ ଭଲ ଖେଳିଥିବା ଷ୍ଟିଭେନ୍ ସ୍ମିଥ୍ (୧୧୦ ଓ ୩୪) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।




