ଆଫଗାନିସ୍ତାନଠୁ ବିଜୟ ଛଡ଼ାଇ ଆଣିଲେ ମ୍ୟାକ୍ସୱେଲ
ମୁମ୍ବାଇ: ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ପରେ ଏକାକୀ ଗୋଟିଏ ପଟରୁ ଚୌକା ଛକା ବର୍ଷା କରି ୫ ଥର ବିଜେତା ଅଷ୍ଟ୍ରେଲିଆକୁ ସେମିଫାଇନାଲ୍ରେ ପହଞ୍ଚାଇଛନ୍ତି ଗ୍ଲେନ ମ୍ୟାକ୍ସୱେଲ୍ (୨୦୧*, ୧୨୮ ବଲ୍, ୨୧ ଚୌକା, ୧୦ ଛକା)। ଗୋଟିଏ ସମୟରେ ୯୧ ରନ୍ରେ ୭ ୱିକେଟ୍ ହରାଇ ପରାଜୟ ଦ୍ବାରରେ ଠିଆ ହୋଇଥିବା ଅଷ୍ଟ୍ରେଲିଆକୁ ମ୍ୟାକ୍ସୱେଲ୍ କେବଳ ଉଦ୍ଧାର କରିନଥିଲେ, ବରଂ ଅଧିନାୟକ ପାଟ୍ କମିନ୍ସଙ୍କ ସହ ଅଷ୍ଟମ ୱିକେଟ୍ରେ ଅବିଭାଜିତ ୨୦୨* ରନ୍ର ଭାଗୀଦାରି କରି ଶ୍ରେଷ୍ଠ […]
ମୁମ୍ବାଇ: ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ପରେ ଏକାକୀ ଗୋଟିଏ ପଟରୁ ଚୌକା ଛକା ବର୍ଷା କରି ୫ ଥର ବିଜେତା ଅଷ୍ଟ୍ରେଲିଆକୁ ସେମିଫାଇନାଲ୍ରେ ପହଞ୍ଚାଇଛନ୍ତି ଗ୍ଲେନ ମ୍ୟାକ୍ସୱେଲ୍ (୨୦୧*, ୧୨୮ ବଲ୍, ୨୧ ଚୌକା, ୧୦ ଛକା)। ଗୋଟିଏ ସମୟରେ ୯୧ ରନ୍ରେ ୭ ୱିକେଟ୍ ହରାଇ ପରାଜୟ ଦ୍ବାରରେ ଠିଆ ହୋଇଥିବା ଅଷ୍ଟ୍ରେଲିଆକୁ ମ୍ୟାକ୍ସୱେଲ୍ କେବଳ ଉଦ୍ଧାର କରିନଥିଲେ, ବରଂ ଅଧିନାୟକ ପାଟ୍ କମିନ୍ସଙ୍କ ସହ ଅଷ୍ଟମ ୱିକେଟ୍ରେ ଅବିଭାଜିତ ୨୦୨* ରନ୍ର ଭାଗୀଦାରି କରି ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ବିଶ୍ବକପ୍ରେ ଅଷ୍ଟ୍ରେଲିଆ ପାଇଁ ପ୍ରଥମ ଦ୍ବିଶତକ ମାରିବା ସହ ସବୁଠୁ ବଡ଼ ପଶ୍ଚାତ୍ଧାବନ ବିଜୟ ଭେଟି ଦେଇଥିଲେ ମ୍ୟାକ୍ସୱେଲ୍। ରୋମାଞ୍ଚ ଭରା ଏହି ମ୍ୟାଚ୍ରେ ଆଫଗାନିସ୍ତାନ ପକ୍ଷରୁ ଧାର୍ଯ୍ୟ ୨୯୨ ରନ୍ର ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୪୬.୫ ଓଭରରେ ବିଜୟୀ ହୋଇଛି। ମ୍ୟାକ୍ସୱେଲ୍ ମଧ୍ୟ ତାଙ୍କର ସାହସୀ ଓ ଲଢୁଆ ପାଳି ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
ଟସ୍ ଜିତି ଆଫଗାନିସ୍ତାନ ବ୍ୟାଟିଂ କରିଥିଲା। ରହମନୁଲ୍ଲା ଗୁରବାଜ, ରହମତ ଶାହ, ହସମାତୁଲ୍ଲା ସାହିଦି, ଅଜମାତୁଲ୍ଲା ଓମରଜାଇ, ମହମ୍ମଦ ନବି ଭଲ ଖେଳି ଦଳକୁ ୫.୦୦ ରନ୍ରେଟ୍ ପାଖାପାଖି ରଖି ମ୍ୟାଚ୍କୁ ଆଗେଇଥିଲେ। କିନ୍ତୁ କେହି ବଡ଼ ରନ୍ କରିପାରିନଥିଲେ। ତଥାପି ପ୍ରାରମ୍ଭିକ ବ୍ୟାଟର ଇବ୍ରାହିମ ଜଦ୍ରାନ ଗୋଟିଏ ପଟରୁ ପାଳି ସମ୍ଭାଳିବା ସହ ଆଫଗାନିସ୍ତାନ ପାଇଁ ବିଶ୍ବକପ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବୋଚ୍ଚ ରନ୍ ସଂଗ୍ରହ କରିଥିଲେ। ୬୨ ବଲ୍ରୁ ଅର୍ଦ୍ଧଶତକ ଓ ୧୩୧ ବଲ୍ରୁ ଶତକ ଅର୍ଜନ କରିଥିବା ଇବ୍ରାହିମ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଆଫଗାନିସ୍ତାନର ପ୍ରଥମ ବ୍ୟାଟର୍ ଭାବେ ଶତକ (୧୨୯ ରନ୍) ଅର୍ଜନ କରିଥିଲେ। ରସିଦ ଖାନ୍ଙ୍କ ସହ ମିଶି ଇବ୍ରାହିମ୍ ଷଷ୍ଠ ୱିକେଟ୍ରେ ୫୮ ରନ୍ ଯୋଡ଼ିବା ସହ ଦଳକୁ ୩୦୦ ରନ୍ର ନିକଟତର କରାଇଥିଲେ।
ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଛି। ପଦାର୍ପଣ ବିଶ୍ବକପ୍ ମ୍ୟାଚ୍ରେ ଶତକ ଅର୍ଜନ କରିଥିବା ଟ୍ରାଭିସ୍ ହେଡ୍ ଖାତା ଖୋଲି ପାରିନଥିଲା ବେଳେ ଅନ୍ୟମାନେ ନିୟମିତ ଅନ୍ତରାଳରେ ପାଭିଲିଅନ୍ ଫେରିଛନ୍ତି। କେବଳ ଗ୍ଲେନ୍ ମ୍ୟାକ୍ସୱେଲ୍ ଆଫଗାନ୍ ବୋଲରଙ୍କୁ ସାହସିକତାର ସହିତ ସାମ୍ନା କରିବା ସହ ରକ୍ଷଣାତ୍ମକ ଖେଳିବା ଜାରି ରଖିଥିଲେ। ହେଲେ ୨୨ତମ ଓଭରରେ ମ୍ୟାଚ୍ର ମୋଡ଼ ବଦଳି ଯାଇଥିଲା। ୨୧.୫ ଓଭରରେ ୧୧୨/୭ ସ୍କୋର ବେଳେ ନୂର ଅହମ୍ମଦଙ୍କ ବଲ୍କୁ ମ୍ୟାକ୍ସୱେଲ୍ ସର୍ଟ ଫାଇନ୍ ଲେଗ୍କୁ ଏକ ସହଜ କ୍ୟାଚ୍ ଦେଇଥିଲେ ମଧ୍ୟ ମୁଜିବ ଉର ରେହମାନ ତାହାକୁ ହାତଛଡ଼ା କରିଥିଲେ। ସେତେବେଳକୁ ମ୍ୟାକ୍ସୱେଲ୍ ୩୯ ବଲ୍ରୁ ୩୩ ରନ୍ କରିଥିଲେ ଏବଂ ଅଷ୍ଟ୍ରେଲିଆକୁ ୧୮୦ ରନ୍ ଆବଶ୍ୟକ ଥିଲା। ଏହି ଓଭରରେ ଦୁଇଟି ବଲ୍ ପୂର୍ବରୁ ଏକ ଏଲ୍ବିଡବ୍ଲୁ ଆବେଦନକୁ ଅମ୍ପାୟାର ଆଉଟ୍ ଦେଇଥିଲେ। କିନ୍ତୁ ମ୍ୟାକ୍ସୱେଲ ରିଭ୍ୟୁ ନେବା ପରେ ତାହା ନଟ୍ଆଉଟ୍ ହୋଇଥିଲା। ତେଣୁ ଏକାଧିକ ଜୀବନଦାନ ପାଇବା ପରେ ମ୍ୟାକ୍ସୱେଲ୍ ଆଉ ଚୁପ୍ ରହି ନଥିଲେ। ୭୬ ବଲ୍ରୁ ଶତକ ଅର୍ଜନ କରିବା ପରେ ଏହି ପାଳିକୁ ଶେଷ ପର୍ଯ୍ୟନ୍ତ ଜାରି ରଖିବାକୁ ମ୍ୟାକ୍ସୱେଲ୍ ଓ ଅଧିନାୟକ କମିନ୍ସ ଟାଣି ନେଇଥିଲେ। କମିନ୍ସ ଆଉ ୱିକେଟ୍ ସୁଯୋଗ ଦେଇନଥିଲା ବେଳେ ବାରମ୍ବାର ମାଂସପେଶୀ ଆଘାତର ସାମ୍ନା କରି ମ୍ୟାକ୍ସୱେଲ୍ ପରବର୍ତ୍ତୀ ୧୦୦ ରନ୍ କରିବାକୁ ମାତ୍ର ୫୨ ବଲ୍ ଖେଳିଥିଲେ। ଏହି ଦ୍ବିଶତକ ଭାଗୀଦାରିରେ ଅଧିନାୟକ କମିନ୍ସ ମାତ୍ର ୧୨ ରନ୍ କରିଥିଲେ ମଧ୍ୟ ୬୮ ବଲ୍ ଖେଳି ଅଷ୍ଟ୍ରେଲିଆର ବିଜୟରେ ମଧ୍ୟ ବଡ଼ ଅବଦାନ ରଖିଥିଲେ।




