ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟ୍ବେଣ୍ଟି-୨୦
ଗୁଆହାଟୀ: ପ୍ରଥମ ଦୁଇ ମ୍ୟାଚ୍ ଜିତିସାରିଥିବା ଭାରତ ଏବେ ଶୃଙ୍ଖଳା ମୂଳପୋଛ କରିବା ଲକ୍ଷ୍ୟରେ ମଙ୍ଗଳବାର ମଇଦାନକୁ ଓହ୍ଲାଇବ। ଅନ୍ୟପକ୍ଷରେ ବିଶ୍ବ ବିଜେତା ଦଳ ହୋଇଥିଲେ ମଧ୍ୟ ଦୁଇଟି ଶୋଚନୀୟ ପରାଜୟର ସାମ୍ନା କରିଥିବା ଅଷ୍ଟ୍ରେଲିଆ ଶୃଙ୍ଖଳାରେ ଜୀବିତ ରହିବାକୁ ହେଲେ ଗୁଆହାଟୀ ଟ୍ବେଣ୍ଟି-୨୦ ଜିତିବା ଅପରିହାର୍ଯ୍ୟ ହୋଇପଡ଼ିଛି। ସୂର୍ଯ୍ୟକୁମାର ଯାଦବଙ୍କ ଦଳ ୨-୦ରେ ଆଗୁଆ ଥିବାରୁ ଆତ୍ମବିଶ୍ବାସକୁ ଉଚ୍ଚରେ ରଖିଛି। ତ୍ରୁଟିଶୂନ୍ୟ ବ୍ୟାଟିଂ କରି ଏହି ଯୁବ ସେନା ଅଷ୍ଟ୍ରେଲିଆକୁ ଅଡୁଆରେ ପକାଇଛି। ବର୍ଷାପଡ଼ା ଷ୍ଟାଡିୟମ୍ […]
ଗୁଆହାଟୀ: ପ୍ରଥମ ଦୁଇ ମ୍ୟାଚ୍ ଜିତିସାରିଥିବା ଭାରତ ଏବେ ଶୃଙ୍ଖଳା ମୂଳପୋଛ କରିବା ଲକ୍ଷ୍ୟରେ ମଙ୍ଗଳବାର ମଇଦାନକୁ ଓହ୍ଲାଇବ। ଅନ୍ୟପକ୍ଷରେ ବିଶ୍ବ ବିଜେତା ଦଳ ହୋଇଥିଲେ ମଧ୍ୟ ଦୁଇଟି ଶୋଚନୀୟ ପରାଜୟର ସାମ୍ନା କରିଥିବା ଅଷ୍ଟ୍ରେଲିଆ ଶୃଙ୍ଖଳାରେ ଜୀବିତ ରହିବାକୁ ହେଲେ ଗୁଆହାଟୀ ଟ୍ବେଣ୍ଟି-୨୦ ଜିତିବା ଅପରିହାର୍ଯ୍ୟ ହୋଇପଡ଼ିଛି। ସୂର୍ଯ୍ୟକୁମାର ଯାଦବଙ୍କ ଦଳ ୨-୦ରେ ଆଗୁଆ ଥିବାରୁ ଆତ୍ମବିଶ୍ବାସକୁ ଉଚ୍ଚରେ ରଖିଛି। ତ୍ରୁଟିଶୂନ୍ୟ ବ୍ୟାଟିଂ କରି ଏହି ଯୁବ ସେନା ଅଷ୍ଟ୍ରେଲିଆକୁ ଅଡୁଆରେ ପକାଇଛି। ବର୍ଷାପଡ଼ା ଷ୍ଟାଡିୟମ୍ ପିଚ୍ ବ୍ୟାଟିଂ ଅନୁକୂଳ ଥିବାରୁ ଏଠାରେ ମଧ୍ୟ ରନ୍ ବର୍ଷା ହେବ ବୋଲି ଆକଳନ କରାଯାଇଛି।
ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାଏକ୍ବାଡ, ଈଶାନ କିଶନ ଏବଂ ସୂର୍ଯ୍ୟକୁମାର ଯାଦବ ଜବରଦସ୍ତ ଫର୍ମରେ ଥିବାରୁ ଭାରତର ବ୍ୟାଟିଂକୁ ନେଇ ସେଭଳି ଚିନ୍ତା ନାହିଁ। ଆସନ୍ତା ବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ବାମହାତୀ ବ୍ୟାଟର୍ ରିଙ୍କୁ ସିଂହ ୬ ନମ୍ବର ସ୍ଥାନକୁ ଏକ ପ୍ରକାର ପକ୍କା କରି ସାରିଛନ୍ତି ଏବଂ ଫିନିସର୍ ଭୂମିକାକୁ ଭଲ ଭାବେ ତୁଲାଇବାରେ ସଫଳ ହେଉଛନ୍ତି। କିନ୍ତୁ ତିଳକ ବର୍ମା ଚଳିତ ଶୃଙ୍ଖଳାରେ ଆଖିଦୃଶିଆ ପ୍ରଦର୍ଶନ ଦେଇପାରିନାହାନ୍ତି। ଭାରତୀୟ ବୋଲିଂ ବାହିନୀ ପ୍ରଥମ ମ୍ୟାଚ୍ ତୁଳନାରେ ଦ୍ବିତୀୟରେ ଉନ୍ନତି କରିଥିଲେ। ପ୍ରଥମଟିରେ ୨୦୮ ରନ୍ ବ୍ୟୟ କରିଥିବା ବେଳେ ଦ୍ବିତୀୟରେ ୧୯୧ ରନ୍ ଦେଇଥିଲେ। ବିଶାଖାପାଟଣାରେ ଜୋସ୍ ଇଂଲିସ ଓ ଷ୍ଟିଭେନ୍ ସ୍ମିଥଙ୍କ ଆକ୍ରମଣର ଶିକାର ହୋଇଥିବା ପ୍ରସିଦ୍ଧ କୃଷ୍ଣ ତ୍ରିଭେନ୍ଦ୍ରମରେ ୩ ୱିକେଟ୍ ନେଇ ଚମତ୍କାର ପ୍ରତ୍ୟାବର୍ତନ କରିଛନ୍ତି। ଅର୍ଶଦୀପ ସିଂହ ମଧ୍ୟ ସଫଳତାର ସହ ବ୍ଲକ୍ ହୋଲ୍ ଡେଲିଭରି ପକାଇବାରେ ସକ୍ଷମ ହୋଇଛନ୍ତି। ଅନ୍ୟପକ୍ଷରେ ଭାରତରେ ପ୍ରାୟ ଦୁଇ ମାସରୁ ଉର୍ଧ୍ବ ସମୟ କାଟି ସାରିଥିବା ଷ୍ଟିଭ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ମାର୍କସ ଷ୍ଟୋଇନିସ୍ ଓ ଆଡାମ ଜାମ୍ପାଙ୍କ ଭଳି ବରିଷ୍ଠ ଖେଳାଳିମାନେ କ୍ଲାନ୍ତ ହୋଇପଡ଼ିଥିବା ଦେଖାଯାଉଛି। ଏବେ ଶୃଙ୍ଖଳାରେ ଜୀବିତ ରହିବାକୁ ସେମାନଙ୍କୁ ମଙ୍ଗଳବାର ନିଶ୍ଚିତ ବିଜୟ ଆବଶ୍ୟକ ଥିବାରୁ ମାଥ୍ୟୁ ୱେଡ୍ଙ୍କ ଦଳ କିଛି କରିସ୍ମା କରିବା ଆଶାରେ ରହିବ।




