ଆଜି ବିଶ୍ବକପରେ ଆଫଗାନିସ୍ତାନ-ନେଦରଲାଣ୍ଡ୍ସ ମୁକାବିଲା

ଲକ୍ଷ୍ନୌ: ଚଳିତ ପୁରୁଷ କ୍ରିକେଟ୍ ବିଶ୍ବକପ୍ର ଦୁଇ ବିପର୍ଯ୍ୟୟକାରୀ ନେଦରଲାଣ୍ଡ୍ସ ଓ ଆଫଗାନିସ୍ତାନ ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ୍ ଏକନାରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଦୁଇ ଦଳଙ୍କ ମଧ୍ୟରୁ ପଏଣ୍ଟ ବ୍ୟବଧାନରେ ନେଦରଲାଣ୍ଡ୍ସ ଉପରେ ଆଫଗାନିସ୍ତାନ ରହିଥିଲେ ବି ଉଭୟ ପ୍ରାୟ ସମାନ ଦକ୍ଷତା ରଖିଛନ୍ତି। ବିଶ୍ବକପ୍ ଆରମ୍ଭରୁ ଦୁର୍ବଳ ଦଳ ଭାବେ ଗଣାଯାଉଥିବା ଏହି ଦୁଇ ଦଳ ଏବେ ଶକ୍ତିଶାଳୀ ଦଳଙ୍କୁ ବି ପାଣି ପିଆଇ ଦେଲେଣି। ଇଂଲଣ୍ଡ, ପାକିସ୍ତାନ ଓ […]

Samaya Live Picture
Published On

ଲକ୍ଷ୍ନୌ: ଚଳିତ ପୁରୁଷ କ୍ରିକେଟ୍ ବିଶ୍ବକପ୍ର ଦୁଇ ବିପର୍ଯ୍ୟୟକାରୀ ନେଦରଲାଣ୍ଡ୍ସ ଓ ଆଫଗାନିସ୍ତାନ ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ୍ ଏକନାରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଦୁଇ ଦଳଙ୍କ ମଧ୍ୟରୁ ପଏଣ୍ଟ ବ୍ୟବଧାନରେ ନେଦରଲାଣ୍ଡ୍ସ ଉପରେ ଆଫଗାନିସ୍ତାନ ରହିଥିଲେ ବି ଉଭୟ ପ୍ରାୟ ସମାନ ଦକ୍ଷତା ରଖିଛନ୍ତି। ବିଶ୍ବକପ୍ ଆରମ୍ଭରୁ ଦୁର୍ବଳ ଦଳ ଭାବେ ଗଣାଯାଉଥିବା ଏହି ଦୁଇ ଦଳ ଏବେ ଶକ୍ତିଶାଳୀ ଦଳଙ୍କୁ ବି ପାଣି ପିଆଇ ଦେଲେଣି। ଇଂଲଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କା ଭଳି ୩ ପୂର୍ବ କପ୍ବିଜେତାଙ୍କୁ ହରାଇ ଆଫଗାନିସ୍ତାନ କୀର୍ତ୍ତିମାନ କରିଥିଲା ବେଳେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ଓ ଗତ ଶନିବାର ବାଂଲାଦେଶକୁ ହରାଇ ନେଦରଲାଣ୍ଡ୍ସ ନିଜ ପରାକାଷ୍ଠା ଦେଖାଇ ସାରିଛି। ଏବେ ଏହି ଦୁଇ ଦଳଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ତାହା ଶୁକ୍ରବାର ମ୍ୟାଚ୍ରେ ଜଣାପଡ଼ିବ। ଅପରାହ୍ନ ୨ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ।
ସେମିଫାଇନାଲ୍ ଆଶାରେ ଥିବା ଆଫଗାନିସ୍ତାନ ୨୦୦୩ ସଂସ୍କରଣରେ କେନିଆ ଭଳି ବିସ୍ମୟ କରିପାରେ। ଗୋଟିଏ ପରେ ଗୋଟିଏ ଶିଡ଼ି ଚଢ଼ି ଆଫଗାନିସ୍ତାନ ଏବେ ୬ ପଏଣ୍ଟ ସହ ପାକିସ୍ତାନ ତଳକୁ ଷଷ୍ଠ ସ୍ଥାନରେ ରହିଛି। ଆହୁରି ୩ ମ୍ୟାଚ୍ ବାକି ଥିବାରୁ, ଯଦି ସବୁଥିରେ ଜିତେ, ତେବେ ସେମିଫାଇନାଲ୍ରେ ପହଞ୍ଚିବା ସମ୍ଭବ ହେବ। ନେଦରଲାଣ୍ଡ୍ସ ପରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଫଗାନିସ୍ତାନ ପରବର୍ତ୍ତୀ ମ୍ୟାଚ୍ ଖେଳିବାକୁ ଅଛି। ବର୍ତ୍ତମାନ ସୁଦ୍ଧା ଦଳଗତ ପ୍ରଦର୍ଶନ ଭିତ୍ତିରେ ଏହି ଦଳ ହାରିଯାଇଥିବା ମ୍ୟାଚ୍ଗୁଡ଼ିକରେ ମଧ୍ୟ ପ୍ରତିପକ୍ଷଙ୍କୁ କଡ଼ା ଟକ୍କର ଦେଇଛି। ତେଣୁ ଶେଷ ୩ ମୁକାବିଲାରେ ଏହି ଦଳ ଜିତିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।
ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚକିତ କରିଥିବା ଅରେଞ୍ଜ ଆର୍ମିର ବୋଲିଂ ବିଭାଗ ଅପେକ୍ଷାକୃତ ଦୃଢ଼ ରହିଛି। ବ୍ୟାଟର୍ଙ୍କ ମଧ୍ୟରୁ ଯଦିଓ ଅଧିନାୟକ ସ୍କଟ୍ ଏଡୱାର୍ଡ୍ସ ସ୍ଥିର ପ୍ରଦର୍ଶନ ଦେଇଆସୁଥିଲେ ବି ସେମିଫାଇନାଲ୍ ଦୌଡ଼ରେ ରହିବାକୁ ହେଲେ, ଏହି ଦଳ ଜିତିବା ନିହାତି ଆବଶ୍ୟକ। ପ୍ରତିଯୋଗିତାରେ ଜୀବିତ ରହିବାକୁ ହେଲେ ଶୁକ୍ରବାର ବିଜୟ ସହ ଇଂଲଣ୍ଡ ଓ ଭାରତ ଭଳି ବଡ଼ ବାଧା ଏହା ଆଗରେ ରହିବ। ନେଟ୍ ରନ୍ରେଟ୍ରେ ମଧ୍ୟ ଏହି ଦଳ ବିଯୁକ୍ତାତ୍ମକ (-୧.୨୭୭) ସ୍ଥିତିରେ ରହିଥିବାରୁ ବଡ଼ ବ୍ୟବଧାନର ବିଜୟ ପାଇବାକୁ ହେବ। କିନ୍ତୁ ଏକନା ଷ୍ଟାଡିୟମ୍ର ମନ୍ଥର ପିଚ୍ରେ ସ୍ପିନରଙ୍କ ଭୂମିକା ଅଧିକ ରହିବ। ରସିଦ ଖାନ୍ ଓ ମୁଜୀବ ଉର୍ ରହମାନ ଏଠାରେ ୱିକେଟ୍ ସନ୍ଧାନରେ ରହିବାକୁ ଥିବାରୁ ନେଦରଲାଣ୍ଡ୍ସ ବ୍ୟାଟର୍ଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ। ଏହି ଷ୍ଟାଡିୟମ୍ରେ ୧୨ ଦିନିକିଆ ମଧ୍ୟରୁ ପଛରେ ବ୍ୟାଟିଂ କରୁଥିବା ଦଳ ୯ ଥର ଜିତିଛି।

Tags: