ଆଜି ‌ଚେନ୍ନାଇ ସୁପରକିଙ୍ଗ୍ସ ସହ ଲଢିବ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌

ଚେନ୍ନାଇ: ଆଇପିଏଲ୍‌ରେ ସୋମବାରଠାରୁ ଦ୍ବିତୀୟ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହେବ। ଏଥିରେ ପ୍ରଥମେ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ (ଏଲ୍‌ଏସ୍‌ଜି) ମୁହାଁମୁହିଁ ହେବେ। ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଉଦ୍‌ଘାଟନୀ ମ୍ୟାଚ୍‌ରେ ଗତଥର ଚାମ୍ପିଅନ୍‌ ଗୁଜରାଟ ଟାଇଟନ୍ସ ନିକଟରୁ ୫ ୱିକେଟ୍‌ରେ ହାରିଯାଇଥିଲା। ଫଳରେ ସୋମବାର ପରାଜୟରୁ ବାହାରି ପ୍ରଥମ ବିଜୟ ଲକ୍ଷ୍ୟରେ ରହିବ ସିଏସ୍‌କେ। ଋତୁରାଜ ଗାଏକ୍ବାଡ, ମୋଇନ ଅଲ୍ଲୀ, ବେନ୍‌ ଷ୍ଟୋକ୍ସ, ଶିବମ ଦୁବେ, ରବୀନ୍ଦ୍ର ଜାଦେଜା ଏବଂ ଅଧିନାୟକ […]

Samaya Live Picture
Published On

ଚେନ୍ନାଇ: ଆଇପିଏଲ୍‌ରେ ସୋମବାରଠାରୁ ଦ୍ବିତୀୟ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହେବ। ଏଥିରେ ପ୍ରଥମେ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ (ଏଲ୍‌ଏସ୍‌ଜି) ମୁହାଁମୁହିଁ ହେବେ। ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଉଦ୍‌ଘାଟନୀ ମ୍ୟାଚ୍‌ରେ ଗତଥର ଚାମ୍ପିଅନ୍‌ ଗୁଜରାଟ ଟାଇଟନ୍ସ ନିକଟରୁ ୫ ୱିକେଟ୍‌ରେ ହାରିଯାଇଥିଲା। ଫଳରେ ସୋମବାର ପରାଜୟରୁ ବାହାରି ପ୍ରଥମ ବିଜୟ ଲକ୍ଷ୍ୟରେ ରହିବ ସିଏସ୍‌କେ। ଋତୁରାଜ ଗାଏକ୍ବାଡ, ମୋଇନ ଅଲ୍ଲୀ, ବେନ୍‌ ଷ୍ଟୋକ୍ସ, ଶିବମ ଦୁବେ, ରବୀନ୍ଦ୍ର ଜାଦେଜା ଏବଂ ଅଧିନାୟକ ଧୋନିଙ୍କ ବ୍ୟାଟିଂ ସାଙ୍ଗକୁ ଜାଦେଜା, ମିଚେଲ ସାଣ୍ଟନର, ରାଜବର୍ଦ୍ଧନ ହଙ୍ଗାରଗେକାର ଓ ଦୀପକ ଚହରଙ୍କ ବୋଲିଂ ସିଏସ୍‌କେର ଭାଗ୍ୟ ନିର୍ଣ୍ଣୟ କରିବ। ଗାଏକ୍ବାଡ ପ୍ରଥମ ମ୍ୟାଚ୍‌ରେ ଶତକରୁ ଅଳ୍ପକେ ବଞ୍ଚିତ ରହିଥିଲେ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ପ୍ରତିପକ୍ଷଙ୍କୁ ଚେତାବନୀ ଦେଇସାରିଛନ୍ତି। ଅନ୍ୟପକ୍ଷରେ କେଏଲ୍‌ ରାହୁଲଙ୍କ ଏଲ୍‌ଏସ୍‌ଜି ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନ୍‌ରେ ପରାସ୍ତ କରି ଆତ୍ମବିଶ୍ବାସ ବୃଦ୍ଧି କରିଛି। ତେଣୁ ଦ୍ବିତୀୟ ମ୍ୟାଚ୍‌ରେ ମଧ୍ୟ ବିଜୟ ଧାରା ଜାରି ରଖିବାକୁ ଦଳ ଚାହିଁବ। ପ୍ରଥମ ମ୍ୟାଚ୍‌ରେ ରାହୁଲ ଖରାପ ପ୍ରଦର୍ଶନ ବଜାୟ ରଖିଥିବାରୁ ଏହି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ ପାଇଁ ତାଙ୍କ ପାଖରେ ଆଉ ଏକ ସୁଯୋଗ ରହିବ। ପ୍ରଥମ ମ୍ୟାଚ୍‌ରେ କାଇଲ ମାୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ଓ ନିକୋଲାସ୍‌ ପୂରନଙ୍କ ଦ୍ରୁତ ରନ୍‌ ଏଲ୍‌ଏସ୍‌ଜିକୁ ଜିତାଇବାରେ ବଡ଼ ଭୂମିକା ନେଇଥିଲା। ବୋଲିଂରେ ମାର୍କ ଉଡ୍‌ ପ୍ରଥମ ମ୍ୟାଚ୍‌ରେ ୫ ୱିକେଟ୍‌ ସଫଳତା ହାତେଇଥିବାରୁ ସିଏସ୍‌କେ ବିପକ୍ଷରେ ସେ ମଧ୍ୟ ମୁଖ୍ୟ ଅସ୍ତ୍ର ହୋଇପାରନ୍ତି। ତେଣୁ ସୋମବାରର ମୁକାବିଲା ଆଉ ଏକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ ହେବ ବୋଲି ଆକଳନ କରାଯାଉଛି।

Tags: