ଆଜି ଗୁଜୁରାଟ ଟାଇଟନ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ
ନୂଆଦିଲ୍ଲୀ : ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ଚଳିତ ଆଇପିଏଲ୍ରେ ଅଭିଯାନ ଆରମ୍ଭ କରିଥିବା ଗୁଜରାଟ ଟାଇଟନ୍ସ ପ୍ରଥମ ଥର ଘର ବାହାରେ ମ୍ୟାଚ୍ ଖେଳିବାକୁ ଯାଉଛି। ଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦ୍ବିତୀୟ ମ୍ୟାଚ୍ ଖେଳିବ ଗୁଜରାଟ ଟାଇଟନ୍ସ। ଏନ୍ରିକ ନର୍ଖିଆଙ୍କ ଅନୁପସ୍ଥିତରେ ଘରୋଇ ଦଳର ଦ୍ରୁତ ବୋଲିଂକ୍ରମ ସେତେଟା ପ୍ରଭାବି ହୋଇପାରିନାହିଁ। ଚେତନ ସାକାରିଆ ଓ ମୁକେଶ କୁମାରଙ୍କ ପାଖରେ ଆନ୍ତର୍ଜାତିକସ୍ତରର ବ୍ୟାଟର୍ଙ୍କୁ ଅସୁବିଧାରେ ପକାଇପାରିବା ଭଳି ଗତି […]
ନୂଆଦିଲ୍ଲୀ : ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ଚଳିତ ଆଇପିଏଲ୍ରେ ଅଭିଯାନ ଆରମ୍ଭ କରିଥିବା ଗୁଜରାଟ ଟାଇଟନ୍ସ ପ୍ରଥମ ଥର ଘର ବାହାରେ ମ୍ୟାଚ୍ ଖେଳିବାକୁ ଯାଉଛି। ଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦ୍ବିତୀୟ ମ୍ୟାଚ୍ ଖେଳିବ ଗୁଜରାଟ ଟାଇଟନ୍ସ। ଏନ୍ରିକ ନର୍ଖିଆଙ୍କ ଅନୁପସ୍ଥିତରେ ଘରୋଇ ଦଳର ଦ୍ରୁତ ବୋଲିଂକ୍ରମ ସେତେଟା ପ୍ରଭାବି ହୋଇପାରିନାହିଁ। ଚେତନ ସାକାରିଆ ଓ ମୁକେଶ କୁମାରଙ୍କ ପାଖରେ ଆନ୍ତର୍ଜାତିକସ୍ତରର ବ୍ୟାଟର୍ଙ୍କୁ ଅସୁବିଧାରେ ପକାଇପାରିବା ଭଳି ଗତି କିମ୍ବା ବୋଲିଂରେ ଭିନ୍ନତା ଦେଖିବାକୁ ମିଳିନାହିଁ। ଖଲିଲ ଅହମ୍ମଦଙ୍କ ପ୍ରଥମ ମ୍ୟାଚ୍ରେ ପ୍ରଦର୍ଶନ ଚଳନୀୟ ଥିଲା, କିନ୍ତୁ କ୍ଷେତ୍ରରକ୍ଷଣ ସବୁବେଳେ ତାଙ୍କର ଦୁର୍ବଳତା ହୋଇଯାଇଛି। ତେଣୁ ନର୍ଖିଆ ଓ ଲୁଙ୍ଗି ଏନ୍ଗିଡି ଯେପର୍ଯ୍ୟନ୍ତ ଭାରତରେ ପହଞ୍ଚିନାହାନ୍ତି, ସେପର୍ଯ୍ୟନ୍ତ ଦିଲ୍ଲୀର ବୋଲିଂ କ୍ରମ ଦୁର୍ବଳ ରହିଯିବା ଭଳି ମନେହେଉଛି। ବ୍ୟାଟରଙ୍କ କ୍ଷେତ୍ରରେ ଅଧିନାୟକ ଡେଭିଡ୍ ୱାର୍ଣ୍ଣର ଭାରତୀୟ ଯୁବ ଖେଳାଳି ପୃଥ୍ବୀ ସ’ ଓ ସର୍ଫରାଜ ଖାନ୍ଙ୍କଠୁ ବଡ଼ ପାଳି ଆଶା ରଖୁଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ମହମ୍ମଦ ସାମି ଓ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଭିନ୍ନ ଆହ୍ବାନ ଦେଇପାରନ୍ତି। ଆଲଜାରି ଯୋସେଫ, ୟଶ ଦୟାଲ ଓ ରସିଦ୍ ଖାନ୍ଙ୍କ ବର୍ତ୍ତମାନର ପ୍ରଦର୍ଶନକୁ ଦେଖିଲେ ଦିଲ୍ଲୀ ବ୍ୟାଟରଙ୍କୁ ସତର୍କ ହୋଇ ଖେଳିବାକୁ ପଡ଼ିବ। ତେବେ ଦିଲ୍ଲୀରେ ଭଲ ପ୍ରଦର୍ଶନ କରିପାରୁଥିବା ଭାରତୀୟ ଖେଳାଳିଙ୍କ ଅଭାବ ରହିଛି। ଏହାଫଳରେ ଇମ୍ପାକ୍ଟ ପ୍ଲେୟାର ବଦଳ ସମୟରେ ଜଣେ ଉପଯୁକ୍ତ ଖେଳାଳି ବାଛିବା ଦଳ ପାଇଁ କଠିନ ହୋଇଯିବ। ରିପଲ ପଟେଲ, ଲଳିତ ଯାଦବ ଓ ଅମନ ହାକିମ ଖାନ୍ ଘରୋଇ କ୍ରିକେଟ୍ରେ ଭଲ ଖେଳାଳି ହୋଇଥିଲେ ବି ହଠାତ୍ ମ୍ୟାଚ୍ରେ ମୋଡ଼ ବଦଳାଇଦେଲା ଭଳି ଦକ୍ଷତାର ଅଭାବ ରହିଛି। ଏଭଳିସ୍ଥିତିରେ ଦଳର ବିଦେଶୀ ଖେଳାଳିମାନେ ଏହାର ଭାଗ୍ୟ ପରିବର୍ତ୍ତନ ପାଇଁ କଣ କରିପାରୁଛନ୍ତି, ତାହା ଆଜିର ମ୍ୟାଚ୍ରେ ଜଣାପଡ଼ିବ।




